ରାସ୍ତା ଜାମ୍ ହେବାରୁ ଏଭଳି ଦାବି କରି ଡିଭାଇଡରରେ ଯାଇ ବସିଲେ ବିଜେପି ବିଧାୟକ

ଲଖିମପୁର: ରାସ୍ତା ଜାମ୍ ହେବାରୁ ଜବରଦଖଲ ହଟାଇବା ଦାବି କରି ଡିଭାଇଡରରେ ଯାଇ ବସିଲେ ବିଜେପି ବିଧାୟକ। ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଛି ଏଭଳି ଘଟଣା। ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ବେଆଇନ ଜବରଦଖଲ ବିରୋଧରେ ବିଜେପି ବିଧାୟକ ଯୋଗେଶ ବର୍ମାଙ୍କ ରାଗ ଏତେ ବଢ଼ିଯାଇଥିଲା ଯେ ସେ ବିଳମ୍ବିତ ରାତି ୧୧ଟା ସମୟରେ ରାସ୍ତାର ଡିଭାଇଡରରେ ଯାଇ ବସିପଡ଼ିଥିଲେ।

ତା’ପରେ ପୌରସଂସ୍ଥାର ଅଧିକାରୀମାନଙ୍କୁ ଡାକି ଜବରଦଖଲ ହଟାଇବାକୁ କହିଥିଲେ। କୁହାଯାଉଛି ଯେ ଲଖିମପୁର ସଦର ଆସନରୁ ବିଧାୟକ ଥିବା ଯୋଗେଶ ବର୍ମା ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ତାଙ୍କ ଗାଡ଼ି ଅଧ ଘଣ୍ଟା ପାଇଁ ଜାମରେ ଅଟକି ରହିବାରୁ ସେ ତୁରନ୍ତ ଜବରଦଖଲ ହଟାଇବାକୁ ଅଡି ବସିଥିଲେ। ଶେଷରେ ତାଙ୍କ କଥା ରହିଥିଲା।

aajtak

ମିଳିଥିବା ସୂଚନା ମୁତାବକ, ବିବାହ ଉତ୍ସବରୁ ଫେରୁଥିବା ବେଳେ ଲଖିମପୁର ଖେରୀରେ ନିକଟ ବସଷ୍ଟାଣ୍ଡ ପାଖରେ ଜାମ୍ ଥିବାରୁ ଯୋଗେଶ ବର୍ମାଙ୍କ ଗାଡ଼ି ଆଗକୁ ବଢ଼ିପାରିନଥିଲା। ଅଧଘଣ୍ଟା କାର୍ ଭିତରେ ବସିରହିବା ପରେ ସେ ଗାଡ଼ିରୁ ବାହାରି ଜାମ ହେବାର କାରଣ ପଚାରି ବୁଝିଥିଲେ। ବେଆଇନ ଜବରଦଖଲ ପାଇଁ ରାସ୍ତା ଜାମ୍ ହେଉଥିବା ଜାଣି ସେ ବସଷ୍ଟାଣ୍ଡ ପାଖ ପୁଲିସ ଷ୍ଟେସନକୁ ଯାଇଥିଲେ। ତୁରନ୍ତ ଜାମ୍ ଖାଲି କର ଓ ବେଆଇନ ଜବରଦଖଲ ହଟାଅ ବୋଲି ପୁଲିସକୁ କହିଥିଲେ ଯୋଗେଶ। ହେଲେ ପୁଲିସ ନଶୁଣିବାରୁ ସେ ଆସି ଡିଭାଇଡରରେ ବସିପଡ଼ିଥିଲେ।

ସେଠାରୁ ସେ ଅଧିକାରୀମାନଙ୍କୁ ଫୋନ କରି ପୂରା ଘଟଣା ଜଣାଇବାରୁ ପୌରସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର