କୋଲକାତା: ପଶ୍ଚିମବଙ୍ଗର ଏକ କେନାଲରୁ ଜଣେ ନାବାଳକର ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଲୋକେ ଉତ୍ୟକ୍ତ ହୋଇ ଥାନାରେ ନିଆଁ ଲଗାଇ ଦେଇଛନ୍ତି।

Advertisment

ଉତ୍ତର ଦିନାଜପୁର ଜିଲ୍ଲାର କାଳିଆଗଞ୍ଜରେ ଏହି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଦିବାସୀ ଓ ରାଜବଂଶୀ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ଅପରାହ୍ନରେ ଥାନା ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପରେ ସେମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ, ପୁଲିସ କର୍ମଚାରୀମାନେ ଲାଠିଚାର୍ଜ ଆରମ୍ଭ କରିବାରୁ ଉତ୍ତେଜନା ବଢ଼ିଥିଲା। ଉତ୍ୟକ୍ତ ଜନତା ଥାନା ଭିତରକୁ ପଶି ନିଆଁ ଲଗାଇ ଦେଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏହା ପୂର୍ବରୁ ବିକ୍ଷୋଭକାରୀମାନେ ରାୟଗଞ୍ଜସ୍ଥିତ ଉତ୍ତର ଦିନାଜପୁର ଜିଲ୍ଲା ସଦର ମହକୁମାରେ ଥିବା ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ରାୟଗଞ୍ଜରେ ଏହି ବିକ୍ଷୋଭ ବିଜେପି ଦ୍ୱାରା ଆୟୋଜନ କରାଯାଇଥିଲା। ସେଠାରେ ମଧ୍ୟ ପୁଲିସ ସହ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଆଇନଶୃଙ୍ଖଳା ଫେରାଇ ଆଣିବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍‌ ସେଲ୍‌ ଓ ଲାଠିଚାର୍ଜ କରିବାକୁ ପଡ଼ିଥିଲା।

publive-image

ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏହି ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ବିଜେପିକୁ ଦାୟୀ କରିଛି ଏବଂ ନାବାଳିକାର ମୃତ୍ୟୁକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ବୋଲି ଦାବି କରି ଅଯଥାରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିଷାକ୍ତ ପଦାର୍ଥର ପ୍ରଭାବରେ ନାବାଳିକାର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି ବୋଲି ରାଜ୍ୟ ପୁଲିସ କହିଛି।

ରିପୋର୍ଟରୁ ପ୍ରକାଶ, ଗତ ଏପ୍ରିଲ ୨୧ ତାରିଖରେ କାଳିଆଗଞ୍ଜର ଏକ କେନାଲରେ ଜନୈକା ୧୭ ବର୍ଷୀୟା ନାବାଳିକାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଅନେକ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଅଧୀକ୍ଷକ ମହମ୍ମଦ ସନା ଅଖତର କହିଛନ୍ତି, ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ତିନି ଜଣିଆ ମେଡିକାଲ ବୋର୍ଡ ଗଠନ କରିଥିଲୁ ଏବଂ ଏହା ପରେ ଶବ ବ୍ୟବଚ୍ଛେଦ କରା ଯାଇଥିଲା। ପୀଡ଼ିତାଙ୍କ ପରିବାର ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ପ୍ରାରମ୍ଭିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ମୃତ୍ୟୁର କାରଣ ’ବିଷାକ୍ତ ପଦାର୍ଥ ସେବନ ଯୋଗୁଁ ହୋଇଛି’ ବୋଲି ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି।