ଆପ୍‌-ଏଲ୍‌ ଜି ବିବାଦ: ବିକ୍ଷୋଭକାରୀଙ୍କୁ ଅଟକାଇଲା ପୁଲିସ୍‌

ସାମିଲ ହେଲେ ବାମଦଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ଅସହଯୋଗ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବିଗତ ୭ ଦିନ ହେବ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ବାସଭବନରେ ଧାରଣା ଦେଉଛନ୍ତି। ଆଜି ଆପ୍‌ ସମର୍ଥକମାନେ ଦିଲ୍ଲୀ ସହରରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ମଣ୍ଡି ହାଉସ୍‌ରୁ ଯାତ୍ରା ଆରମ୍ଭ କରିଥିଲେ। ଆପ୍‌ର ଏହି ରାଲିରେ ହଜାର ହଜାର କର୍ମୀ ଓ ଅନ୍ୟ ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି। ପାର୍ଲାମେଣ୍ଟ ରୋଡରେ ପୁଲିସ୍‌ ବିକ୍ଷୋଭକାରୀଙ୍କୁ ଅଟକାଇଛି। ପୁଲିସ୍‌ କର୍ମୀ ବାରିକେଡ ସହ ପାର୍ଲାମେଣ୍ଟ ରୋଡକୁ ଅବରୋଧ କରିଥିବା ବେଳେ ବିରୋଧ ପ୍ରଦର୍ଶନକାରୀଙ୍କୁ ଆଗକୁ ବଢ଼ିବାରୁ ରୋକିଛନ୍ତି। ବିରୋଧ ଶୋଭାଯାତ୍ରା ଯୋଗୁଁ ସହରର ୫ଟି ପ୍ରମୁଖ ମେଟ୍ରୋ ଷ୍ଟେସନ ଗେଟ୍‌ ବନ୍ଦ କରିଦିଆଯାଇଛି। ବିରୋଧ ପ୍ରଦର୍ଶନ ପାଇଁ ଆମ୍‌ ଆଦମୀ ପାର୍ଟି ପୁଲିସ୍‌ଠାରୁ ଅନୁମତି ନେଇନଥିବାରୁ ଏଭଳି ସ୍ଥିତିରେ ପିଏମ୍‌ଓ ଘେରାଉ କରିବା ବେଆଇନ ବୋଲି ଡିସିପି ମଧୁର ବର୍ମା କହିଛନ୍ତି। ଆପ୍‌ର ଏହି ବିକ୍ଷୋଭରେ ସିପିଏମ୍‌ ନେତା ସିତାରାମ ୟେଚୁରୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନିତି ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଯୋଗଦେଇନଥିଲେ।

ସମ୍ବନ୍ଧିତ ଖବର