ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ଗିରଫ କରିବା ପାଇଁ ତାଙ୍କ ଲାହୋରସ୍ଥିତ ବାସଭବନରେ ପୁଲିସ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାହାର ବିରୋଧ କରିଛନ୍ତି । ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ପୁଲିସକୁ ଅଟକାଇବା ସହ ପୁଲିସକର୍ମୀଙ୍କ ସହ ହାତାହାତି ହୋଇଛନ୍ତି । ଏହା ସହିତ ସେମାନେ ପୁଲିସ ଉପରକୁ ପଥରମାଡ଼ ବି କରୁଛନ୍ତି । ଏହି ଘଟଣାରେ ପୁଲିସର ଡିଆଇଜି ( ଇସ୍ଲାମାବାଦ) ଆହତ ହୋଇଛନ୍ତି । ଅଧିକ ସଂଖ୍ୟକ ତେହରିକ-ଏ-ଇନସାଫ ସମର୍ଥକ ଯେପରି ଘଟଣାସ୍ଥଳରେ ନ ପହଞ୍ଚନ୍ତି, ସେଥିପାଇଁ ପୁଲିସ ଇମ୍ରାନଙ୍କ ଘରକୁ ଯାଉଥିବା ସମସ୍ତ ରାସ୍ତା ଅବରୋଧ କରିଛି । ଏହି ଘଟଣାକୁ ନେଇ ପାକିସ୍ତାନର ରାଜନୀତିର ଉଷ୍ମତା ହଠାତ ବଢିଯାଇଛି ।
ପିଟିଆଇର ବରିଷ୍ଠ ନେତା ଫାରୁକ୍ ହବିବ ଗଣମାଧ୍ୟମକୁ କହିଛନ୍ତି ଯେ ଯାହା ହେଉ ନା କାହିଁକି ଇମ୍ରାନ୍ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ ନାହିଁ। ଅନ୍ୟପକ୍ଷରେ ମହିଳା ବିଚାରପତିଙ୍କୁ ଧମକ ଦେବା ମାମଲାରେ ଗିରଫ ପରୱାନାକୁ ଆଜି ଇସଲାମାବାଦ ହାଇକୋର୍ଟ ସ୍ଥଗିତ ରଖିଛନ୍ତି ।
My message to the nation to stand resolute and fight for Haqeeqi Azadi & rule of law. pic.twitter.com/bgVuOjsmHG
— Imran Khan (@ImranKhanPTI) March 14, 2023
ଏହା ପୂର୍ବରୁ ପୁଲିସ ଇମ୍ରାନଙ୍କ ଘରେ ପହଞ୍ଚିବା ପରେ ଇମ୍ରାନ ଏକ ଭିଡିଓ ବାର୍ତ୍ତା ଜାରି କରି ସମର୍ଥକମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ଓ ଗିରଫଦାରିକୁ ବିରୋଧ କରିବାକୁ ଆହ୍ବାନ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ଏକ ରାଲିରେ ମନ୍ତବ୍ୟ ଦେଇଥିବାରୁ ଇମ୍ରାନ୍ ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଖାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଜେବା ଚୌଧୁରୀ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତାଙ୍କ ଦଳ ପ୍ରତି ପକ୍ଷପାତିତା ମନୋଭାବ ପାଇଁ ଭୟଙ୍କର ପରିଣାମ ଭୋଗିବାକୁ ଚେତାବନୀ ଦେଇଥିଲେ। ଏହି ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା ଉପରେ ପାକିସ୍ତାନର ଏକ ଅଦାଲତ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି ।