ଥଣ୍ଡା ରୁଟି ପାଇଁ ହୋଟେଲରେ କରିଥିଲେ ଭଙ୍ଗାରୁଜା, ପୁଲିସ ମଜାଇଲା ଅଇଁଠା ବାସନ

ଇନ୍ଦୋର: ସାମାନ୍ୟ କଥାକୁ ନେଇ ହୋଟେଲରେ ଭଙ୍ଗାରୁଜା କରିଥିବା କିଛି ଦୃବୁର୍ତ୍ତଙ୍କୁ ଅଭିନବ ଉପାୟରେ ପାନେ ଚଖାଇଛି ପୁଲିସ | ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ଇନ୍ଦୋରର ଖଜ୍ରାନା ପୁଲିସ ଷ୍ଟେସନ ଅଞ୍ଚଳରେ କିଛି ଦିନ ପୂର୍ବରୁ ରଫିକ୍ ପାର୍ଦେଶୀ ଓରଫ ପାଉଡର, ତାହାର ଦୁଇ ପୁଅ ଏବଂ ଭଣଜା ମିଶି ଏକ ହୋଟେଲରେ ଭଙ୍ଗାରୁଜା କରିଥିଲେ | ରୁଟି ସାମାନ୍ୟ ଥଣ୍ଡା ହୋଇଯାଇଥିବାରୁ ଏମାନେ ହୋଟେଲରେ ଭଙ୍ଗାରୁଜା କରିବା ସହ ଛୁରୀ ଦେଖାଇ ହୋଟେଲରେ ରଖାଯାଇଥିବା ଖାଦ୍ୟକୁ ମଧ୍ୟ ଫିଙ୍ଗିଦେଇଥିଲେ | ଏହି ଚାରିଜଣ ନିଶାସକ୍ତ ଅବସ୍ଥାରେ ଖାଦ୍ୟ ଖାଇବା ପାଇଁ ହୋଟେଲରେ ପହଞ୍ଚିଥିଲେ। ଦୃବୁର୍ତ୍ତମାନେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ହୋଟେଲ ଅପରେଟର ସେମାନଙ୍କୁ ଖାଇବାକୁ ଦେବାକୁ ମନା କରିଦେଇଥିଲେ।

ଏହାର ପ୍ରତିଶୋଧ ନେବାକୁ ଦୃବୁର୍ତ୍ତମାନେ ଛୁରୀ ଦେଖାଇ ହୋଟେଲ ଅପରେଟର ତଥା ହୋଟେଲରେ ବସିଥିବା ଲୋକଙ୍କୁ ଭୟଭୀତ କରି ସମସ୍ତ ଖାଦ୍ୟ ଫିଙ୍ଗି ଦେଇଥିଲେ। ଏହାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଥିଲା | ପୁଲିସ ରବିବାର ଦିନ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା |

ଏହା ପରେ ସୋମବାର ଦିନ ବିଳମ୍ବିତ ରାତିରେ ଖଜ୍ରାନା ପୁଲିସ ଅଭିଯୁକ୍ତମାନଙ୍କୁ ପ୍ରଥମେ ରାସ୍ତାରେ ବୁଲାଇଥିଲା | ଏହା ପରେ ଏହି ୪ ଜଣଙ୍କୁ ଭଙ୍ଗାରୁଜା କରିଥିବା ସେହି ହୋଟେଲକୁ ନିଆଯାଇଥିଲା | ଏହା ପରେ ଅଭିଯୁକ୍ତମାନେ ହୋଟେଲର ଟେବୁଲ ସଫା କରିବା ସହ ଅଇଁଠା ବାସନ ମାଜିଥିଲେ | ଏହାକୁ ନେଇ ସ୍ଥାନୀୟ ଲୋକ ଓ ହୋଟେଲ କର୍ତ୍ତୃପକ୍ଷ ପୁଲିସକୁ ଖୁବ ପ୍ରଶଂସା କରିଛନ୍ତି |

ସମ୍ବନ୍ଧିତ ଖବର