ନୂଆଦିଲ୍ଲୀ: ପୁଲିସ ଆମ ଉପରେ ବଳ ପ୍ରୟୋଗ କରିବା ସହିତ ମହିଳାଙ୍କ ପ୍ରତି ଦୁର୍ବ୍ୟହାର କରିଛି ବୋଲି ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଜନ୍ତର ମନ୍ତରରେ ପୁଲିସ ଓ ପ୍ରତିବାଦକାରୀ ଧସ୍ତାଧସ୍ତି ଘଟଣା ପରେ କୁସ୍ତି ଖେଳାଳି ବଜରଙ୍ଗ ପୁନିଆ କହିଛନ୍ତି।

Advertisment

ସେ କହିଛନ୍ତି, ଆମେ ସମଗ୍ର ଦେଶର ସମର୍ଥନ ଲୋଡୁଛୁ, ସମସ୍ତେ ଦିଲ୍ଲୀ ଆସିବା ଉଚିତ। ପୁଲିସ ଆମ ଉପରେ ବଳ ପ୍ରୟୋଗ କରୁଛି, ମହିଳାମାନଙ୍କ ପ୍ରତି ଅସଦାଚରଣ କରୁଛି କିନ୍ତୁ, ବ୍ରଜଭୂଷଣଙ୍କ ବିରୋଧରେ କିଛି କରୁନାହିଁ।

ପୁଲିସ କର୍ମଚାରୀଙ୍କ ସହିତ ସଂଘର୍ଷ ପରେ ପରେ ସାମ୍ବାଦିକ ସମ୍ମିଳନୀ ଡକାଇ କୁସ୍ତି ଖେଳାଳି ବିନେଶ ଫୋଗାଟ୍‌ ଅଭିଯୋଗ କରିଛନ୍ତି ଯେ, ବିଳମ୍ବିତ ସନ୍ଧ୍ୟାରେ ଦଳେ ନିଶାସକ୍ତ ପୁଲିସ ସେମାନଙ୍କୁ ଟାର୍ଗେଟ୍‌ କରିଥିଲେ।

ପୁଲିସ ସହିତ ସଂଘର୍ଷ ଯୋଗୁଁ ତାଙ୍କର ଭଉଣୀ ଆହତ ହୋଇଛନ୍ତି ବୋଲି ଗୀତା ଫୋଗାଟ୍‌ ମଧ୍ୟ କହିଛନ୍ତି।

publive-image Image Courtesy of India Today

ଜାତୀୟ ରାଜଧାନୀରେ ଦିନ ସାରା ବର୍ଷା ହେବାରୁ ସୃଷ୍ଟି ହୋଇଥିବା ସମସ୍ୟା ପ୍ରସଙ୍ଗ ଦର୍ଶାଇ କୁସ୍ତି ଖେଳାଳିମାନେ କହିଲେ ଯେ, ଅନୁମୋଦିତ ପ୍ରତିବାଦସ୍ଥଳରେ ଶୋଇବା ଲାଗି ସେମାନେ ଗଦି ଓ ଖଟିଆ ପାଇଁ ଦାବି କରିଥିଲେ।

ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଜନ୍ତର ମନ୍ତରରେ ପ୍ରତିବାଦକାରୀ କୁସ୍ତି ଖେଳାଳି ଓ ଦିଲ୍ଲୀ ପୁଲିସ ମଧ୍ୟରେ ସଂଘର୍ଷ ଘଟିବା ବେଳେ ସେଠାରୁ ମାଲବୀୟ ନଗର ବିଧାୟକ ସୋମନାଥ ଭାରତୀଙ୍କୁ ପୁଲିସ ଅଟକ ରଖିଥିଲା। ଦିଲ୍ଲୀ ପୁଲିସ କହିଛି ଯେ, ବିନା ଅନୁମତିରେ ‘ଫୋଲ୍‌ଡିଙ୍ଗ୍‌ ବେଡ୍‌’ ଧରି ଭାରତୀ ସେଠାରେ ହାଜର ହୋଇଥିଲେ।

ଘଟଣା ସଂକ୍ରାନ୍ତରେ ଦିଲ୍ଲୀ ପୁଲିସ ଜାରି କରିଥିବା ବିବୃତିରେ କୁହାଯାଇଛି, ବାଧା ଦେବାରୁ ସମର୍ଥକମାନେ ଜବରଦସ୍ତି ଟ୍ରକ୍‌ରୁ ‘ବେଡ୍‌’ ଆଣିବାକୁ ଉଦ୍ୟମ କରିଥିଲେ। ଫଳରେ ସାମାନ୍ୟ ବଚସା ହୋଇଥିଲା ଏବଂ ସୋମନାଥ ଭାରତୀଙ୍କ ସହିତ ଅନ୍ୟ ୨ଜଣଙ୍କୁ ଅଟକ ରଖାଯାଇଥିଲା। ଖଟିଆ ପାଇଁ ପୁଲିସ ଓ ପ୍ରତିବାଦକାରୀମାନେ ଯୁକ୍ତିତର୍କ କରୁଥିବା କଥା ଭିଡିଓ କ୍ଲିପ୍‌ରେ ଦେଖାଯାଉଛି।

ପ୍ରତିବାଦସ୍ଥଳରୁ ବିନେଶ ଫୋଗାଟ୍‌ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀ ପୁଲିସ ସେମାନଙ୍କୁ ନିର୍ଯାତିତ କରିଛି। ତେଣୁ, ମୁଁ ଚାହେଁ ନାହିଁ କୌଣସି କ୍ରୀଡ଼ାବିତ୍‌ ଦେଶ ପାଇଁ ମେଡାଲ୍‌ ଜିଣନ୍ତୁ।