ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁଲିସ ଗତସୋମବାର ଅଖନୁର ସେକ୍ଟରରେ ଥିବା ଚେନାବ ନଦୀ ଭିତରକୁ ପ୍ରବେଶ ସହିତ ଚାଲିଚାଲି ଅତିକ୍ରମ ନକରିବା ପାଇଁ ଲୋକଙ୍କୁ ସତର୍କ କରାଇଛି।
କାରଣ ନଦୀର ଜଳ ପ୍ରବାହ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଶହଶହ ଗ୍ରାମବାସୀ ନଦୀରେ ଏକାଠି ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ କିଛି ଲୋକ ପାଣି ଭିତରେ ସୁନା ଏବଂ ରୁପା ଅଳଙ୍କାର ଏବଂ ମୁଦ୍ରା ଖୋଜୁଥିବାର ଦେଖିବାକୁ ମିଳିଥିଲା।
ଏହି ଘଟଣାକୁ ନେଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ରାମବନ ଏବଂ ରିଆସି ଜିଲ୍ଲାର ବଗଲିହାର ଏବଂ ସଲାଲ ଡ୍ୟାମରୁ ନଦୀକୁ ପାଣି ପ୍ରବାହ ଉପରେ ପ୍ରତିବନ୍ଧକ ଯୋଗୁଁ ଜଳସ୍ତର ହ୍ରାସ ପାଇଛି। ପହଲଗାମ ଆକ୍ରମଣ ପରେ କେନ୍ଦ୍ର ସରକାର ଏପ୍ରିଲ ୨୨ରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଘୋଷଣା କରିଥିଲେ। ଏହି ଚୁକ୍ତି ୧୯୬୦ମସିହାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଓ ତାହାର ଶାଖା ନଦୀର ପାଣି ବ୍ୟବହାରକୁ ନିୟନ୍ତ୍ରଣ କରି ଆସୁଛି।
#WATCH | Jammu and Kashmir: The Chenab River witnessed a significant drop in water levels in Akhnoor after the closure of gates at the Baglihar and Salal Dams. pic.twitter.com/9J5v5XIVmU
— ANI (@ANI) May 5, 2025
ଗତ ସୋମବାର ପରିସ୍ଥିତି ଏପରି ଉପୁଜିଥିଲା ଯେ ଚେନାବ ନଦୀର ଜଳସ୍ତର ଯାହା ସାଧାରଣତଃ ଗ୍ରୀଷ୍ମ ଋତୁରେ ୩୫-୪୦ ଫୁଟ ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ବେଳେ ସେଠାରେ ଏବେ ଜଳ ଶୁଖି କାଦୁଅ ଦେଖାଯାଉଛି। ଏହି ଜଳସ୍ତର ହ୍ରାସ ପାଇବା ପରେ ଚେନାବ ନଦୀର ଭିଡିଓ ତିଆରି କରିବା ପାଇଁ ଶହ ଶହ ଲୋକ ନଦୀ କୂଳରେ ଭିଡ଼ ଜମାଇଥିଲେ।
କେବଳ ଏତିକି ନୁହେଁ ଏମାନଙ୍କ ମଧ୍ୟରୁ କିଛିଲୋକ ନଦୀର ଜଳସ୍ତର କମିଯିବା ପରେ ପାଣି ଭିତରେ ସୁନା ଏବଂ ରୂପା ଅଳଙ୍କାର ଏବଂ ମୁଦ୍ରା ଖୋଜିବା ଆରମ୍ଭ କରି ଦେଇଥିଲେ। ଅପରାହ୍ନରେ ଜଳସ୍ତର ପୁଣି ବଢ଼ିବା ଆରମ୍ଭ ହେବାରୁ ବିପଦକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଦଳ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ। ଲାଉଡସ୍ପିକର ମାଧ୍ୟମରେ ପୁଲିସ ଲୋକମାନଙ୍କୁ ଚାଲିଚାଲି ନଦୀ ପାର ନ ହେବାକୁ ଚେତାବନୀ ଦେଇଥିଲା।