ୱାଶିଂଟନ୍ : ଆମେରିକାର ଚିକାଗୋରେ ପୁଲିସ ବିନା ପୋଷାକରେ ଥିବା ଜଣେ କଳା ଯୁବତୀଙ୍କୁ ପଚରା ଉଚରା କରିବା ମହଙ୍ଗା ପଡ଼ିଛି। ଏଥିପାଇଁ କ୍ଷତିପୂରଣ ବାବଦରେ ଯୁବତୀଙ୍କୁ ୨୨ କୋଟି ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ ମସିହାରେ ପୁଲିସ ଜଣେ ଅପରାଧୀଙ୍କୁ ଖୋଜିବା ପାଇଁ ସାମାଜିକ କର୍ମୀ କୁହାଯାଉଥିବା ଜନୈକ ଯୁବତୀଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଯୁବତୀ ଜଣକ ପୋଷାକ ବଦଳାଉଥିଲେ। ପୁଲିସ ତାଙ୍କୁ କୌଣସି ସମୟ ନଦେଇ ତୁରନ୍ତ ହାତରେ ହ୍ୟାଣ୍ଡକପ୍ ପକାଇ ବିନା ପୋଷାକରେ ପ୍ରାୟ ଅଧଘଣ୍ଟା ପଚରା ଉଚରା କରିଥିଲା।
ପରେ ଜଣାପଡିଥିଲା, ପୁଲିସ ଖୋଜୁଥିବା ଅପରାଧୀ ଯୁବତୀଙ୍କ ପଡ଼ୋଶୀ ଘରେ ରହୁଥିଲା। ଏହି ଘଟଣାରେ ଯୁବତୀ ଜଣକ ଘୋର ଅପମାନିତ ଅନୁଭବ କରିଥିଲେ। ୨୦୨୧ ମସିହା ଫେବ୍ରୁଆରି ସେ ଏ ନେଇ ସେ ଏକ ମକଦ୍ଦମା ଦାଏର କରିଥିଲେ। ସେ ଅଭିଯୋଗ କରିଥିଲେ, ପୁଲିସ କର୍ମଚାରୀମାନେ ତାଙ୍କ ସହ ଅସଦାଚରଣ କରିଥିଲେ ଏବଂ ତାଙ୍କୁ ଅପମାନିତ କରିଥିଲେ। ସେ ଏହି ମାମଲାରେ ୧୨ ଜଣ ପୁଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ।
ଏହି ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି, ସୂଚନାଦାତାଙ୍କ ତଥ୍ୟ ଯାଞ୍ଚ କରିବାରେ ପୁଲିସ ବିଫଳ ହୋଇଛି ଏବଂ ଯୁବତୀଙ୍କୁ ଅନାବଶ୍ୟକ ଅପମାନ ଓ ନିର୍ଯାତନା ଦିଆଯାଇଛି। ପୁଲିସର ଅସଦାଚରଣ ପାଇଁ ଉକ୍ତ ଯୁବତୀଙ୍କୁ ୨.୯ ମିଲିୟନ ଡଲାର (୨୨ କୋଟି ଟଙ୍କା) କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।