ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ଆତ୍ମହତ୍ୟାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ଏପରିକି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଖୋଜିବା ପାଇଁ ପୂରା ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠୁଛି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ ଆତ୍ମହତ୍ୟା ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁକରି ମୁମ୍ବାଇ ପୁଲିସ୍‌ ତଦନ୍ତ ଚଳାଇଛି।

Advertisment

ତେବେ, ତଦନ୍ତ କାଳରେ ପୁଲିସ୍‌ର ସନ୍ଦେହ ଘେରକୁ ଏବେ ଆସି ଯାଇଛନ୍ତି ଅଭିନେତା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ପ୍ରେମିକା ରେହା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ରେହା ତାଙ୍କ ନିଜ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ମୁମ୍ବାଇ ପୁଲିସ୍‌ ତଦନ୍ତ କାଳରେ ଜାଣିବାକୁ ପାଇଛି। ମାତ୍ର ୧୧ ମାସ ମଧ୍ୟରେ ରେହା ସୁଶାନ୍ତଙ୍କ ଆକାଉଣ୍ଟରୁ ଲକ୍ଷାଧିକ ପରିମାଣର ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିବା ପରେ ଏବେ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌ର ଲେନ୍ସ ମଧ୍ୟକୁ ଆସି ଯାଇଛନ୍ତି ରେହା। ମୁମ୍ବାଇ ପୁଲିସ ବର୍ତ୍ତମାନ ଏହି ସମୟ ମଧ୍ୟରେ ରିୟାଙ୍କ ଦ୍ୱାରା ସୁଶାନ୍ତଙ୍କ ଆକାଉଣ୍ଟରୁ କରାଯାଇଥିବା ଖର୍ଚ୍ଚର ପ୍ରକୃତ ପରିମାଣ ଯାଞ୍ଚ କରିବା ଆରମ୍ଭ କରିଛି।

publive-image Times of India

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଗର୍ଲଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀ ଏଘଟଣା ସଂପର୍କରେ ଅଭୂତପୂର୍ବ ନିରବତା ଅବଲମ୍ବନ କରିଥିଲେ। ଶେଷରେ ଗତ ଦୁଇଦିନ ତଳେ ସେ ତାଙ୍କର ନିରବତା ଭାଙ୍ଗି ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରି ଥିଲେ। କିନ୍ତୁ, ଏବେ ଏହି ଘଟଣାରେ ଖୋଦ୍‌ ରେହା ନିଜେ ପୁଲିସ୍‌ର ସନ୍ଦେହ ଘରକୁ ଚାଲି ଆସିଥିବା ଘଟଣାକୁ କେନ୍ଦ୍ର କରି ହଇଚଇ ସୃଷ୍ଟି ହୋଇଛି।

publive-image IndiaTv

ଅନ୍ୟପକ୍ଷରେ ବଲିଉଡ୍‌ରେ ଚାଲିଥିବା ସ୍ୱଜନ ତୋଷଣର ଶିକାର ହୋଇ ମାନସିକ ଅବସାଦରେ ଦୀର୍ଘକାଳ ରହିବା ପରେ ଶେଷରେ ସୁଶାନ୍ତ ଆତ୍ମହତ୍ୟା କଲେ ବୋଲି ମଧ୍ୟ ଯେଉଁ ଅଭିଯୋଗ ଉଠିଥିଲା ସେ ସଂପର୍କରେ ମଧ୍ୟ ମୁମ୍ବାଇ ପୁଲିସ୍‌ ନିଜର ତଦନ୍ତ ଅବ୍ୟାହତ ରଖିଛି। ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୁଲିସ୍‌ ଆଜି ୟଶ ରାଜ ଫିଲ୍ମସ୍‌ର ମୁଖ୍ୟ ତଥା ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଛି। ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପାନି’କୁ ନେଇ ପୁଲିସ୍‌ ପ୍ରଶ୍ନ ପଚାରିଥିବା ଜାଣିବାକୁ ମିଳିଛି।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ପୁଲିସ ୩୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସାରିଲାଣି। ତେବେ, ଶେଖର ସୁମନ, କଙ୍ଗନା ରାନାଓ୍ଵତ ଏବଂ ରୂପା ଗାଙ୍ଗୁଲିଙ୍କ ପରି ବଲିଉଡର କିଛି ସେଲିବ୍ରିଟି ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ଯାଞ୍ଚ ପାଇଁ ଦାବି କରୁଛନ୍ତି।