ଭିଡ଼ ଆକ୍ରମଣ କଲେ ପୁଲିସ ବଞ୍ଚାଇବାକୁ ଆସିବନି, ଘରେ କାଚ ବୋତଲ ଓ ତୀର ମହଜୁଦ୍ ରଖ: ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଏବେ ଚର୍ଚ୍ଚାରେ ରହିଛି। ଏନେଇ ୨୫ରୁ ଉର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଉତ୍ତରପ୍ରଦେଶର ଉନ୍ନାଓରୁ ବିଜେପିର ସାଂସଦ ଥିବା ସାକ୍ଷୀ ମହାରାଜ ଏହି ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଭିଡ଼ ଆକ୍ରମଣ କଲେ ପୁଲିସ ବଞ୍ଚାଇବାକୁ ଆସିବନି, ଘରେ କାଚ ବୋତଲ ଓ ତୀର ମହଜୁଦ୍ ରଖ ବୋଲି ଲେଖି ଫେସବୁକରେ ପୋଷ୍ଟ କରିଛନ୍ତି ସାକ୍ଷୀ ମହାରାଜା।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ଯଦି ହଠାତ ଭିଡ଼ ଆପଣଙ୍କ ଗଳି, ପଡ଼ୋଶୀ କିମ୍ବା ଘର ଉପରେ ଆକ୍ରମଣ କରନ୍ତି, ତେବେ ବଞ୍ଚିବା ପାଇଁ ଆପଣଙ୍କ ପାଖରେ କିଛି ଉପାୟ ଅଛି କି? ଯଦି ନାହିଁ, ତେବେ ଉପାୟ ବାହାର କରନ୍ତୁ। ପୁଲିସ ଆପଣଙ୍କୁ ବଞ୍ଚାଇବାକୁ ଆସିବ ନାହିଁ। ବରଂ ନିଜକୁ ବଞ୍ଚାଇବା ପାଇଁ କେଉଁ କୋଣରେ ଯାଇ ଲୁଚିବ। ଭିଡ଼ ଆକ୍ରମଣ କରିସାରିବା ପରେ ପୁଲିସ ଲାଠି ଧରି ଆସିବ ଏବଂ କିଛି ଦିନ ପରେ ଏହି ଘଟଣା ଅନୁସନ୍ଧାନ କମିଟି ପାଖକୁ ଯାଇ ସେଠାରେ ସମାପ୍ତ ହେବ। ଏହିପରି ଅତିଥିମାନଙ୍କ ପାଇଁ ପ୍ରତ୍ୟେକ ଘରେ କାଚ ବୋତଲ ଓ ତୀର ମହଜୁଦ୍ ରହିବା ଜରୁରୀ। ଜୟ ଶ୍ରୀ ରାମ। ଏହି ଲେଖା ସହ ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ହଜାର ହଜାର ଲୋକ ଲାଠି ଏବଂ ଧାରୁଆ ଅସ୍ତ୍ର ଧରିଛନ୍ତି।

ସମ୍ବନ୍ଧିତ ଖବର