ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସକର୍ମୀ ଓ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପୋରେ ସହରରେ ଆତଙ୍କବାଦୀଙ୍କ ଆକ୍ରମଣ। ବୈଠକ ଚାଲୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୁଲିସ କର୍ମଚାରୀ ଏବଂ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ବୈଠକ ପାଇଁ କାଉନସିଲରମାନେ ଏକତ୍ରିତ ହେବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ସୋପୋରେ ମ୍ୟୁନିସିପାଲିଟି ପରିଷଦର କାଉନସିଲର ରେୟାଜ ଅହମ୍ମଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କାଉନସିଲର ଆହତ ହୋଇଛନ୍ତି। ଆକ୍ରମଣରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀ ଶଫକତ୍ ଅହମ୍ମଦଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆକ୍ରମଣ କରି ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ‌ସେନା ଯବାନମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣା ଘଟିଥିବା ସ୍ଥାନକୁ ସିଲ୍ କରିଛନ୍ତି।

ଗତ ପାଞ୍ଚ ଦିନ ମଧ୍ୟରେ କଶ୍ମୀରରେ ଏହା ହେଉଛି ଦ୍ୱିତୀୟ ବଡ଼ ଆକ୍ରମଣ। ଗୁରୁବାର ଦିନ ଶ୍ରୀନଗର ଉପକଣ୍ଠରେ ଥିବା ଲାୱେପୋରାରେ ଆତଙ୍କବାଦୀଙ୍କ ଆକ୍ରମଣ ପାଇଁ ଦୁଇଜଣ ସିଆରପିଏଫ ଯବାନଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର