ଇଭିଏମ୍ ହ୍ୟାକିଂ: ରାଜନୀତି ଜୋର୍ ଧରିଲା

କଂଗ୍ରେସ ପ୍ରାୟୋଜିତ ଇଭିଏମ୍ ହ୍ୟାକାଥନ: ବିଜେପି

ନୂଆଦିଲ୍ଲୀ: ଇଭିଏମ ହ୍ୟାକିଂ ନେଇ ଗତକାଲି ସୟେଦ ସୁଜା ନାମକ ଜଣେ ଆତ୍ମଘୋଷିତ ସାଇବର ବିଶେଷଜ୍ଞ ଦାବି କରିବା ପରେ ଆଜି ଏହାକୁ ନେଇ ଭାରତରେ ରାଜନୀତି ଜୋର ଧରିଛି। ସୟେଦ ସୁଜାଙ୍କ ସାମ୍ବାଦିକ ସମ୍ମିଳନୀକୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଇଭିଏମ ହ୍ୟାକିଂ ନେଇ ଯେଉଁ ତଥ୍ୟ ରଖାଯାଇଛି ତାହାକୁ ଭିତ୍ତିହୀନ ବୋଲି ସେ ଦର୍ଶାଇଛନ୍ତି। ଏପରିକି ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ସିବଲଙ୍କ ଉପସ୍ଥିତି ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ସିବଲ୍ କାହିଁକି ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ? ୨୦୧୪ର ଲୋକପ୍ରିୟ ଜନାଦେଶକୁ ଲଜ୍ଜିତ କରିବା ଲାଗି ଏହା କ’ଣ କଂଗ୍ରେସ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ ଏହା କହିଛନ୍ତି। ଏହି ଘଟଣାର ରହସ୍ୟକୁ ଆମେ ପଦାକୁ ଆଣିବୁ ବୋଲି ସେ କହିଛନ୍ତି। ସେହିଭଳି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ ଏହି ଘଟଣା ଉପରେ ନିଜର ପ୍ରତ୍ରିକିୟା ରଖି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ଗୁଡ଼ିକ ଆସନ୍ତା ଲୋକସଭା ନିର୍ବାଚନରେ ହାରିବାକୁ ଯାଉଛନ୍ତି। ତେଣୁ ସେମାନେ ବିଭିନ୍ନ ବାହାନା କରିବା ଆରମ୍ଭ କରିଦେଇଛନ୍ତି ବୋଲି ଶ୍ରୀ ଜାଭେଦକର କହିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି କହିଛନ୍ତି, ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ କଂଗ୍ରେସ ଯେକୌଣସି ସ୍ତରକୁ ଖସିଯାଇପାରେ। ବିଏସପି ମୁଖ୍ୟ ମା‌ୟାବତୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଗଣତନ୍ତ୍ରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଇଭିଏମ ପ୍ରସଙ୍ଗର ସମାଧାନ ହେବା ଉଚିତ। ୨୦୧୯ ସାଧାରଣ ନିର୍ବାଚନକୁ ବାଲଟ୍‌ ପେପରରେ କରିବା ଲାଗି ସେ ଦାବି କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ମଧ୍ୟ କହିଛନ୍ତି ଜଣେ ‌ଯେତେବେଳେ ଏହି ପ୍ରଶ୍ନ ଉଠାଇଛନ୍ତି ସେତେବେଳେ ଚିନ୍ତା କରିବା ଉଚିତ ଜାପାନ ଭଳି ବିକଶିତ ଦେଶରେ କାହିଁକି ଇଭିଏମ୍‌ ବ୍ୟବହାର କରାଯାଉନାହିଁ। କୌଣସି ଗୋଟିଏ ରାଜନୈତିକ ଦଳ ପାଇଁ ଏହା ପ୍ରଶ୍ନ ନୁହେଁ ବରଂ ଏହା ଗଣତନ୍ତ୍ରର ଆସ୍ଥା ଉପରେ ପ୍ରଶ୍ନ ଉଠିଛି। ନିର୍ବାଚନ କମିସନ ଓ ସରକାର ଏ ନେଇ ନିଷ୍ପତ୍ତି ନେବା ଉଚିତ ବୋଲି ଅଖିଳେଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍‌ (ଇଲେକଟ୍ରୋନିକ ଭୋଟିଂ ମେସିନ) ପ୍ରସଙ୍ଗରେ ଆମେରିକାର ରାଜାନୈତିକ ଶରଣରେ ଥିବା ଏବଂ ନିଜକୁ ଜଣେ ସାଇବର ବିଶେଷଜ୍ଞ ବୋଲି ଦାବି କରୁଥିବା ଏହି ଭାରତୀୟ ସୋମବାର ଗୁରୁତର ଅଭିଯୋଗ ଆଣିଥିଲେ। ସ୍କାଇପ୍ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖା ପିନ୍ଧିଥିବା ସୟେଦ ୨୦୧୪ ସାଧାରଣ ନିର୍ବାଚନରେ ୨୦୦ ନିର୍ବାଚନମଣ୍ଡଳୀରେ ଇଭିଏମ୍‌କୁ ହ୍ୟାକ୍ କରାଯାଇଥିବା ନେଇ ଦାବି କରିଥିଲେ। ହାଇଦ୍ରାବାଦର ମୂଳ ବାସିନ୍ଦା ସୟେଦଙ୍କ ଏହି ସାମ୍ବାଦିକ ସମ୍ମିଳନୀକୁ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ଓ ଫରେନ୍ ପ୍ରେସ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଠାରେ କଂଗ୍ରେସ ନେତା କପିଲ ସିବଲ ଉପସ୍ଥିତ ଥିଲେ। ସୟେଦ ନିଜକୁ ଇଲେକଟ୍ରୋନିକ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ବୋଲି ମଧ୍ୟ ଦାବି କରିଛନ୍ତି। ୨୦୧୪ ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେବାରୁ ସେ ଭାରତ ଛାଡ଼ି ଆମେରିକା ପଳାଇ ସେଠାରେ ରାଜନୈତିକ ଶରଣ ନେଇଛନ୍ତି ବୋଲି କହିଛନ୍ତି। ଗତ ସାଧାରଣ ନିର୍ବାଚନରେ ୨୦୦ଟି ଆସନରେ ଯେଉଁଠି କଂଗ୍ରେସ ନିର୍ବାଚନ ଜିତିଥାନ୍ତା ସେଠାରେ ବିଜେପି ସପକ୍ଷରେ ଇଭିଏମ ରିଗିଂ କରାଯାଇଛି। ଦେଶର ବିଭିନ୍ନ ଭାଗରେ ‘ମିଲିଟାରି ଗ୍ରେଡ ମଡ୍ୟୁଲେଟର’ ଲଗାଯାଇ ଡାଟା ଟ୍ରାନ୍ସମିସନରେ ହେରଫେର କରାଯାଇଥିବା ନେଇ ସେ ଦାବି କରିଛନ୍ତି। ଏପରିକି ସେ କହିଛନ୍ତି, ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କୁ ମନ୍ତ୍ରୀମଣ୍ଡଳରେ ତାଙ୍କ ମନ ପସନ୍ଦ ବିଭାଗ ନମିଳିବାରୁ ସେ ଏହି ଘଟଣାକୁ ପ୍ରଘଟ କରି ଦେଇଥାନ୍ତେ। ଏହି ଭୟରେ ଶ୍ରୀ ମୁଣ୍ଡେଙ୍କୁ ହତ୍ୟା କରାଯାଇଛି। ସେହିଭଳି ସାମ୍ବାଦିକ ଗୌରୀ ଲଙ୍କେଶ ଇଭିଏମ ହ୍ୟାକିଂ ସମ୍ବାଦ ପ୍ରକାଶ କରିବା ସମ୍ଭାବନା ଥିବାରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ଅଭିଯୋଗ ଯଦିଓ ବିଜେପି ବିରୋଧରେ ଥିଲା ତଥାପି ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ, ଆପ୍, ସମାଜବାଦୀ ପାର୍ଟି ଓ ଅନ୍ୟ ଆଂଚଳିକ ଦଳଗୁଡ଼ିକ ନିର୍ବାଚନ ବେଳେ ଇଭିଏମ ହ୍ୟାକରେ ସହାୟତା କରିବା ପାଇଁ କହିଥିଲେ। ଏପରିକି ଭାରତରେ ଇଭିଏମ ହ୍ୟାକିଂ କାର୍ଯ୍ୟରେ ନିର୍ବାଚନ କମିସନ ଦୀର୍ଘବର୍ଷ ହେଲା ୧୦୦ ପ୍ରତିଶତ ସାମିଲ ରହିଛି। ଇଭିଏମ ହ୍ୟାକିଂ ହେବାର ସମ୍ଭାବନା ସମ୍ପର୍କରେ ଯେତେବେଳେ ପ୍ରଶ୍ନ ଉଠିଲା ସେତେବେଳେ କମିସନ ତାଙ୍କ ଟିମ୍ ଦ୍ବାରା ଇସିଆଇଏଲରେ ପ୍ରସ୍ତୁତ ହୋଇଥିବା ୧୪ଟି ପ୍ରୋଟୋଟାଇପ‌୍ ପ୍ରଦର୍ଶନ କରାଇଥିଲେ। ତେବେ ସେହି ନିର୍ଦ୍ଦିଷ୍ଟ ଇଭିଏମ ଗୁଡ଼ିକ ବ୍ଲୁଟୁଥ୍ କିମ୍ବା ୱାଇ-ଫାଇ ଦ୍ବାରା ହ୍ୟାକ୍ କରାଯାଇ ପାରିବ ନାହିଁ ବୋଲି ‌ସେ କହିଛନ୍ତି।

ସୁଜା ଇସିଆଇଏଲର କର୍ମଚାରୀ ନଥିଲେ: ଇସିଆଇଏଲ୍
ହାଇଦ୍ରାବାଦ: ନିଜକୁ ସାଇବର ବିଶେଷଜ୍ଞ ଭାବେ ଦାବି କରି ଗତକାଲି ଲଣ୍ଡନରେ ସାମ୍ବାଦିକ ସମ୍ମିଳନୀ କରିଥିବା ସୟେଦ ସୁଜା ଇଲେକଟ୍ରୋନିକ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ (ଇସିଆଇଏଲ)ର କର୍ମଚାରୀ ନଥିଲେ ବୋଲି ନିଗମ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ନିଗମ ପକ୍ଷରୁ ଭାରତୀୟ ନିର୍ବାଚନ କମିସନଙ୍କ ନିକଟକୁ ଏନେଇ ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି, ନିଗମର ରେକର୍ଡ ଯାଞ୍ଚ କରାଯାଇଛି। ସୁଜା ନିଗମର ନିୟମିତ କର୍ମଚାରୀ ନଥିଲେ କିମ୍ବା ୨୦୦୯ରୁ ୨୦୧୪ ମଧ୍ୟରେ ଇସିଆଇଏଲ ପକ୍ଷରୁ ଡିଜାଇନ ଓ ବିକାଶ ହୋଇଥିବା ଇଭିଏମ କାର୍ଯ୍ୟରେ ସେ ସାମିଲ ନଥିଲେ।

ଏତଲା ପାଇଁ ଦିଲ୍ଲୀ ପୁଲିସକୁ କହିଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ: ଆତ୍ମ ଘୋଷିତ ସାଇବର ବିଶେଷଜ୍ଞ ସୟେଦ ସୁଜାଙ୍କ ବିରୋଧରେ ଏତଲା ଦେବାକୁ ଭାରତର ନିର୍ବାଚନ କମିସନ ଆଜି ଦିଲ୍ଲୀ ପୁଲିସକୁ କହିଛନ୍ତି। ଗୁଜବ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ଓ ଅନ୍ୟାନ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ଦେବାକୁ ଆୟୋଗ ପୁଲିସ କହିଛନ୍ତି। ଏଥିସହିତ ମାମଲାର ତୁରନ୍ତ ତଦନ୍ତ ପାଇଁ ମଧ୍ୟ ପୁଲିସକୁ କମିସନ କହିଛନ୍ତି। ୨୦୧୪ ନିର୍ବାଚନରେ ୨୦୦ ଆସନରେ ଇଭିଏମ ରିଗିଂ ହୋଇଥିଲା ବୋଲି ଗତକାଲି ସ୍କାଇପ୍ ମାଧ୍ୟମରେ ଲଣ୍ଡନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୟେଦ ଦାବି କରିଥିଲେ।

‘ର’ ତଦନ୍ତ ଦାବିକଲେ ମୁଣ୍ଡେଙ୍କ ପୁତୁରା
ଇଭିଏମ ହ୍ୟାକିଂ ଘଟଣା ଜାଣିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କୁ ହତ୍ୟା କରାଯାଇଛି ବୋଲି ଗତକାଲି ଆମେରିକାରେ ବାସ କରୁଥିବା ଭାରତର ଆତ୍ମଘୋଷିତ ସାଇବର ସୟେଦ ସୁଜା ମନ୍ତବ୍ୟ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବର୍ଗତ ମୁଣ୍ଡେଙ୍କ ପୁତୁରା ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେ। ସେ ଗୋପୀନାଥ ମୁଣ୍ଡେଙ୍କ ମୃତ୍ୟୁର ତଦନ୍ତ ଗୁଇନ୍ଦା ସଂସ୍ଥା ‘ର’ କିମ୍ବା ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ବାରା କରାଯିବା ଲାଗି ମତ ଦେଇଛନ୍ତି। ଗୋପୀନାଥ ମୁଣ୍ଡେଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ କିମ୍ବା ଷଡ଼୍‌ଯନ୍ତ୍ର ଥିଲା ତାହା ଜାଣିବାକୁ ତାଙ୍କ ପ୍ରଶଂସକ ମାନେ ଚାହୁଛନ୍ତି ବୋଲି ସେ ମତ ଦେଇଛନ୍ତି।

ସିବଲଙ୍କଠାରୁ ନିଜକୁ ଦୂରେଇ ନେଲା କଂଗ୍ରେସ
ଗତକାଲି କଂଗ୍ରେସ ନେତା କପିଲ ସିବଲ ଲଣ୍ଡନରେ ଇଭିଏମ ହ୍ୟାକିଂ ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ଘଟଣା ଜଣା ପଡ଼ିବା ପରେ ସରକାରୀ ଦଳ କଂଗ୍ରେସକୁ ‌ଘେରିବା ଆରମ୍ଭ କରିଦେଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ନେଇ ପ୍ରଶ୍ନ ଉଠାଇ ସାରିଲେଣି। ତେବେ ଏହି ଘଟଣା ପରେ କଂଗ୍ରେସ ଦଳ ନିଜକୁ କପିଲ ସିବଲଙ୍କଠାରୁ ଦୂରେଇ ନେଇଛି। କଂଗ୍ରେସ ପ୍ରବକ୍ତା ଅଭିଶେକ ସିଂଘଭି କହିଛନ୍ତି, ସିବଲଙ୍କୁ ଜଣେ ସାମ୍ବାଦିକ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ ଏବଂ ସେ ଏଥିପାଇଁ ଦଳର ପ୍ରତିନିଧିତ୍ବ କରି ନଥିଲେ।

ସମ୍ବନ୍ଧିତ ଖବର