ନୂଆଦିଲ୍ଲୀ: କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଦୀର୍ଘ ୩୨ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସହିତ ସରକାରଙ୍କର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତା ମଙ୍ଗଳବାର (୨୯ ତାରିଖ) ହେବ। ଚାଷୀ ସଂଗଠନଗୁଡ଼ିକ ଆଲୋଚନା ପାଇଁ ୪ଟି କଠୋର ସର୍ତ୍ତ ରଖିଥିବା ଜଣାଯାଇଛି। ଆନ୍ଦୋଳନରେ ବସିଥିବା ୪୦ଟି ଚାଷୀ ସଂଗଠନ ୪ଟି ସର୍ତ୍ତ ସହିତ ଆଲୋଚନା ପାଇଁ ରାଜି ଥିବା ବିଷୟ ସରକାରଙ୍କୁ ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ୩୨ଟି ଚାଷୀ ସଂଗଠନ ପଞ୍ଜାବର ରହିଛନ୍ତି।
ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟ ସବୁ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ରାଜି ଅଛନ୍ତି ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ ନିକଟରେ ଚାଷୀ ସଂଗଠନଗୁଡ଼ିକୁ ଏକ ସଂଶୋଧିତ ପ୍ରସ୍ତାବ ପଠାଯାଇଥିଲା। ଏହି ସଂଶୋଧିତ ପ୍ରସ୍ତାବ ପାଇବାର ଦୁଇ ଦିନ ପରେ ଚାଷୀ ସଂଗଠନମାନେ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ୪ଟି ସର୍ତ୍ତ ରଖିଛନ୍ତି। ସେହି ସର୍ତ୍ତ ମଧ୍ୟରୁ ପ୍ରଥମ ସର୍ତ୍ତଟି ହେଲା ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରିବାର ପଦ୍ଧତି କ’ଣ ରହିବ? ଦ୍ବିତୀୟ ସର୍ତ୍ତଟି ହେଲା ସବୁ ଚାଷୀ ଏବଂ ସମସ୍ତ କୃଷିଜାତ ଉତ୍ପାଦରେ ଲାଭଜନକ ହେବା ଭଳି ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ନିମନ୍ତେ ଆଇନଗତ ଗ୍ୟାରେଣ୍ଟି ବ୍ୟବସ୍ଥା କ’ଣ ରହିବ? ତୃତୀୟ ସର୍ତ୍ତଟି ହେଲା ଜାତୀୟ ରାଜଧାନୀ ଦିଲ୍ଲୀ (ଏନସିଆର) ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ମାନ ପରିଚାଳନା ପାଇଁ ପ୍ରସ୍ତୁତ ନୂଆ ଅଧ୍ୟାଦେଶରେ କୃଷକମାନଙ୍କୁ ଦଣ୍ଡ ବ୍ୟବସ୍ଥା ବାହାରେ ରଖିବା ଲାଗି ସଂଶୋଧନ। ନଡ଼ାକୁଟା ଜାଳିଲେ କୃଷକମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ଏକ ଅଧ୍ୟାଦେଶ ମାଧ୍ୟମରେ କରାଯାଇଛି। ସେହିଭଳି ଚତୁର୍ଥ ସର୍ତ୍ତଟି ହେଲା କୃଷକଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ଚିଠା ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ରେ ପରିବର୍ତ୍ତନ। ଯଦିଓ କୃଷି ମନ୍ତ୍ରାଳୟ ଚାଷୀମାନଙ୍କ ସହିତ ଆଲୋଚନାକୁ ବ୍ୟାପକ କରିବା ପାଇଁ ରାଜି ହୋଇଛି ତଥାପି ୩ ନୂଆ ଆଇନକୁ ଉଚ୍ଛେଦ କରିବା ପାଇଁ ଚାଷୀମାନଙ୍କର ଦାବିକୁ ମାନିବା ସରକାରଙ୍କ ପକ୍ଷରେ ସହଜ ହେବ ନାହିଁ ବୋଲି କୁହାଯାଉଛି।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଗତ ଏକ ମାସରୁ ଅଧିକ ହେବ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଏକ ପୁରୁଣା ଭିଡିଓ ଟ୍ବିଟ୍ କରି କହିଛନ୍ତି, ରାହୁଲଙ୍କୁ କୃଷକମାନଙ୍କ ଚିନ୍ତା ଅପେକ୍ଷା ନିଜ ରାଜନୈତିକ କ୍ୟାରିୟର ଚିନ୍ତା ଅଧିକ। ଏହା ପୂର୍ବରୁ ନଡ୍ଡା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଭିଡିଓ ଟ୍ବିଟ୍ କରି ଅଭିଯୋଗ କରିଥିଲେ ଯେ ସୋନିଆ କୃଷକମାନଙ୍କୁ ଭ୍ରମିତ କରୁଛନ୍ତି। ନଡ୍ଡା ଟ୍ବିଟରରେ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ରାହୁଳ ଗାନ୍ଧି ଲୋକସଭାରେ କୃଷି ସଂସ୍କାର ସପକ୍ଷରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସେତେବେଳେ ସୁମିତ୍ରା ମହାଜନ ଲୋକସଭା ବାଚସ୍ପତି ଥିଲେ। ଭିଡିଓରେ ସେ ନିଜ ଲୋକସଭା କ୍ଷେତ୍ରରେ ଜଣେ କୃଷକଙ୍କ ସହ ଆଲୋଚନା କରୁଥିବାର ଉଦାହରଣ ପେଶ୍ କରୁଥିଲେ।