ନୂଆଦିଲ୍ଲୀ: ୧୯୮୨ ମସିହାରେ ରିଚାର୍ଡ ଆଟେନବରୋଙ୍କ ବ୍ରିଟିସ ବାୟୋପିକ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜାତିର ପିତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହେବା ପୂର୍ବରୁ ତାଙ୍କ ବିଷୟରେ ବିଶ୍ୱସ୍ତରରେ କେହି ଜାଣି ନ ଥିଲେ। ମଙ୍ଗଳବାର ପ୍ରସାରିତ ଏକ ଟେଲିଭିଜନ ସାକ୍ଷାତ୍କାରରେ ମୋଦୀ ଭାରତର ସାଂସ୍କୃତିକ ଐତିହ୍ୟକୁ ଅଣଦେଖା କରିବା ଏବଂ ଗାନ୍ଧୀଙ୍କ ପରମ୍ପରାକୁ ଆଗକୁ ନ ବଢ଼ାଇବା ପାଇଁ ତାଙ୍କ ପୂର୍ବସୂରିମାନଙ୍କୁ ଦାୟୀ କରିଛନ୍ତି। କିନ୍ତୁ ମୋଦୀଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ଏବଂ ପୁଲିସରେ ମଧ୍ୟ ଅଭିଯୋଗ ହୋଇଛି। ଜାତୀୟ ପୁରସ୍କାର ବିଜେତା ଫିଲ୍ମନିର୍ମାତା ଲୁଇତ କୁମାର ବର୍ମନ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବର୍ମନ କହିଛନ୍ତି, ମୋଦୀ ଜାତିର ଜନକଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଗୌହାଟୀର ହାତିଗାଓଁ ଆସନରେ ବୁଧବାର ରାତିରେ ମୋଦୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ତେବେ ପୁଲିସ ଅନୁଯାୟୀ ଏଯାବତ ଔପଚାରିକ ଭାବେ କୌଣସି ଏତଲା ରୁଜୁ ହୋଇନାହିଁ।
ମୋଦୀ କହିଥିଲେ, ମହାତ୍ମା ଗାନ୍ଧୀ ବିଶ୍ୱର ଜଣେ ମହାନ ଆତ୍ମା ଥିଲେ। ଏହି ୭୫ ବର୍ଷ ମଧ୍ୟରେ ବିଶ୍ୱବାସୀଙ୍କୁ ଗାନ୍ଧୀଙ୍କ ବିଷୟରେ ଜଣାଇବା ଆମର ଦାୟିତ୍ୱ ନ ଥିଲା କି? ଗାନ୍ଧିଜୀଙ୍କ ବିଷୟରେ କେହି ଜାଣି ନ ଥିଲେ। ‘ଗାନ୍ଧୀ’ ଚଳଚ୍ଚିତ୍ର ନିର୍ମାଣ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ନେଇ ସାରା ଦୁନିଆରେ ଉତ୍ସୁକତା ଦେଖାଦେଇଥିଲା ବୋଲି ମୋଦୀ କହିଛନ୍ତି। ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲା ଓ ମାର୍ଟିନ ଲୁଥର କିଙ୍ଗଙ୍କ ବିଷୟରେ ଯଦି ବିଶ୍ୱ ଜାଣିଥିଲା, ତେବେ ଗାନ୍ଧୀ ସେମାନଙ୍କଠାରୁ କୌଣସି ଦୃଷ୍ଟିରୁ କମ୍ ନ ଥିଲେ। ସାରା ବିଶ୍ୱ ଭ୍ରମଣ କରିବା ପରେ ମୁଁ ଏହା କହୁଛି ବୋଲି ସେ କହିଛନ୍ତି। ରିଚାର୍ଡ ଆଟେନବରୋଙ୍କ ଚଳଚ୍ଚିତ୍ର 'ଗାନ୍ଧୀ' ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା। ଏହା ୧୯୮୩ ମସିହାରେ ଆଠଟି ଏକାଡେମୀ ପୁରସ୍କାର ଜିତିଥିଲା। ତେବେ ମୋଦୀଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଯେଉଁମାନଙ୍କର ବିଶ୍ୱ ଦୃଷ୍ଟିକୋଣ ଆର୍ଏସ୍ଏସ୍ ଶାଖାରେ ଗଢ଼ି ଉଠିଛି, ସେମାନେ ଗାନ୍ଧିଜୀଙ୍କୁ ବୁଝିପାରିବେ ନାହିଁ। ସେମାନେ (ନାଥୁରାମ) ଗଡସେଙ୍କୁ ବୁଝିପାରିବେ। ଗାନ୍ଧିଜୀ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ଥିଲେ। ମାର୍ଟିନ ଲୁଥର କିଙ୍ଗ ଜୁନିୟର, ନେଲସନ ମଣ୍ଡେଲା, ଆଲବର୍ଟ ଆଇନଷ୍ଟାଇନଙ୍କ ଭଳି ବ୍ୟକ୍ତିତ୍ବ ଗାନ୍ଧୀଙ୍କଠାରୁ ପ୍ରେରଣା ପାଇଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।
ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ମୋଦୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ୧୯୮୨ରେ ‘ଗାନ୍ଧୀ’ ଫିଲ୍ମ ପରେ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବାକୁ ପାଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାବି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଗାନ୍ଧିଜୀଙ୍କ ନାତି ତୁଷାର ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ବାପୁ ଗୋଲ ଟେବୁଲ ବୈଠକ ପାଇଁ ଇଂଲଣ୍ଡ ଯାଇଥିଲେ, ଆମେରିକୀୟ ଅଭିନେତା ଚାର୍ଲି ଚାପ୍ଲିନ୍ ତାଙ୍କୁ ଭେଟିବା ପାଇଁ କିଙ୍ଗସ୍ଲେ ହଲ୍ ଯାଇଥିଲେ। ସାର୍ ରିଚାର୍ଡ ଆଟେନବରୋ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ ହେବାର ବହୁ ପୂର୍ବରୁ ଏହା ଘଟିଥିଲା ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍ ଆକାଉଣ୍ଟକୁ ଟ୍ୟାଗ୍ କରି ଏକ୍ସରେ କହିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ କହିଛନ୍ତି, ରିଚାର୍ଡ ଆଟେନବରୋ ଚଳଚ୍ଚିତ୍ର ନିର୍ମାଣ କରିବା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ବିଷୟରେ କେହି ଜାଣି ନ ଥିଲେ ବୋଲି ମୋଦୀ କହିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯେଉଁମାନେ ନାଥୁରାମ ଗଡସେଙ୍କ ପ୍ରତି ପାଗଳ, ସେମାନେ ଗାନ୍ଧୀଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ତେବେ ବିଜେପି ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।