ବେଙ୍ଗାଲୁରୁ: ରାଜନୈତିକ ହଟଚମଟ ନେଇ ସବୁବେଳେ ଆଗରେ ଥାଏ କର୍ଣ୍ଣାଟକ । ଆଉ ଏବେ ବି କଂଗ୍ରେସରେ କିଛି ଠିକ୍ ନଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । କର୍ଣ୍ଣାଟକ କଂଗ୍ରେସରେ ଦେଖା ଦେଇଛି ସଙ୍କଟ । ପିସିସି ସଭାପତି ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଞ୍ଝା ଚାଲିଥିବା ବେଳେ କୁହାଯାଉଛି ଭିତିରିଆ ଖେଳ କରିଦେଇଛନ୍ତି ଶିବକୁମାର ।
ଗତ କିଛି ମାସ ଧରି ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଚାଲିଥିବା ଦେଖିବାକୁ ମିଳିଥିବା ବେଳେ ଶିବକୁମାରଙ୍କ ସମର୍ଥକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦାବି କରିଥିଲେ । ତାକୁ ନେଇ ଦୁଇ ଶୀର୍ଷ ନେତାଙ୍କ ଭିତରେ ସବୁକିଛି ଠିକ୍ ନଥିବା କୁହାଯାଉଥିବା ବେଳେ ଏବେ ଯେତେବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ରାଜନୈତିକ ପରାମର୍ଶଦାତା ହଠାତ୍ ନିଜ ପଦରୁ ଇସ୍ତଫା ଦେଉଛନ୍ତି ସେତେବେଳେ କର୍ଣ୍ଣାଟକ କଂଗ୍ରେସରେ କିଛି ଠିକ୍ ନଥିବା ଜଳଜଳ ହୋଇ ଜଣା ପଡିଛି ।
ତେବେ ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସର ସ୍ଥିତି ଭଲନାହିଁ । ତେଲେଙ୍ଗାନା, ହିମାଚଳପ୍ରଦେଶକୁ ଛାଡିଦେଲେ ବାକି କର୍ଣ୍ଣାଟକରେ ହିଁ କଂଗ୍ରେସର ସରକାର ଅଛି । ଆଉ ୨୦୨୩ରେ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲା ସେତେବେଳଠୁ ହିଁ ସିଦ୍ଦରମେୟା ଏବଂ ଶିବକୁମାରଙ୍କ ଭିତରେ ମୁଖ୍ୟମନ୍ତ୍ରୀ ହେବା ନେଇ ଛକାପଞ୍ଝା ଚାଲିଥିଲା ମାତ୍ର ଦିଲ୍ଲୀ ନେତୃତ୍ବ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ଅଢେଇ ବର୍ଷରେ ଥରେ ଚୌକି ପରିବର୍ତ୍ତନ ହେବାର ଫର୍ମୁଲା କରିଥିଲେ ବୋଲି ସମର୍ଥକ କହୁଥିବା ବେଳେ ମାତ୍ର ଏହା କାହିଁକି ଏଯାଏଁ ହେଉନି କହି ଦାବି କରି ଆସୁଛନ୍ତି ଶିବକୁମାରଙ୍କ ସମର୍ଥକ ।
ସେପଟେ କାଲାବୁର୍ଗିର ଟାଣୁଆ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ବି.ଆର ପାଟିଲଙ୍କୁ ଦଳରେ କୌଣସି ଗୁରୁତ୍ବ ନମିଳିବା ଏବଂ ମନ୍ତ୍ରୀ ପଦଠୁ ଦୂରେଇ ରଖିବା କାରଣରୁ ସେ ବି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)