କର୍ଣ୍ଣାଟକ ନାଟକର ଅନ୍ତ ଘଟିଲା : ଆସ୍ଥା ଭୋଟରେ କୁମାରସ୍ୱାମୀ ପରାଜିତ, ଭାଙ୍ଗିଲା ୧୪ ମାସର କଂଗ୍ରେସ-ଜେଡ଼ିଏସ୍‌ ମେଣ୍ଟ ସରକାର

ବେଙ୍ଗାଲୁରୁ: ଆଜି ସଂଧ୍ୟା ୬ଟା ସୁଦ୍ଧା କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ଲୋଡାଯିବ ବୋଲି ବାଚସ୍ପତି କେ.ଆର.ରମେଶ କୁମାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିବା ବେଳେ  ସଂଧ୍ୟା ୭.୩୦ରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ୭.୪୦ମିନିଟ ସମୟରେ ବାଚସ୍ପତି ଫଳାଫଳ ଘୋଷଣା କରିଥିଲେ। କଂଗ୍ରେସ-ଜେଡ଼ିଏସ୍‌ ସରକାର ସପକ୍ଷରେ ୯୯ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ ଭୋଟ ପଡ଼ିଥିଲା। ଆସ୍ଥା ଭୋଟରେ  ଏଚ.ଡି.କୁମାରସ୍ୱାମୀଙ୍କ ସରକାର ପରାଜିତ ହୋଇଥିବା ଘୋଷଣା କରିଥିଲେ ବାଚସ୍ପତି କେ.ଆର.ରମେଶ କୁମାର । ଏହା ଫଳରେ ଭାଙ୍ଗି ଯାଇଛି ୧୪ ମାସର କଂଗ୍ରେସ-ଜେଡ଼ିଏସ୍‌ ମେଣ୍ଟ ସରକାର।

ଅନ୍ୟପକ୍ଷରେ କର୍ଣ୍ଣାଟକ ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ବି.ଏସ୍. ୟେଦୁରପ୍ପା ସିଧା ରାଜ୍ୟପାଳଙ୍କ  ନିକଟକୁ  ସରକାର ଗଠନ ଲାଗି ଦାବି ଜଣାଇବାକୁ ଯାଇଥିବା ସୂଚନାମିଳିଛି। ତାଙ୍କ ସହ ଦଳର ୧୦୫ ବିଧାୟକ ରାଜଭବନକୁ ଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି।

ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ଚୂଡାନ୍ତ ଅଭିଭାଷଣ ରଖିଥିଲେ। ସେ ଆଲୋଚନା ପ୍ରସଙ୍ଗରେ କହିଥିଲେ କି ସରକାରକୁ ବଞ୍ଚାଇବାକୁ ମୁଁ ବହୁ ପ୍ରଚେଷ୍ଟା କରିଛି। ଗତ ୧୪ ମାସ ଧରି ମୁଁ ଏହି ସରକାରକୁ ଚଳାଇ ଆସଛି, ଯାହା ଯେକୌଣସି ମୂହର୍ତ୍ତରେ ଭାଙ୍ଗିଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା। ମୁଁ ଆସ୍ଥା ଭୋଟ ଲୋଡ଼ିବାକୁ ଚାହିଁ ନ ଥିଲି। କିନ୍ତୁ ପରିସ୍ଥିତି ସେଭଳି ହେଲା। ଖୁସିରେ ପଦ ଛାଡିବାକୁ ମୁଁ ରାଜି। ମୁଁ କର୍ଣ୍ଣାଟକର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହ ସରକାରଙ୍କୁ ସହଯୋଗ କରିଥିବା ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।

ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଧାନସଭାରେ କହିଥିଲେ କି, କ୍ଷମତା ସ୍ଥାୟୀ ନୁହେଁ।  ମୁଁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି।  ପରାଜୟକୁ ଭୟ କରି ପଳାଉ ନାହିଁ।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବିଧାନସଭାରେ ଆସି ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏହା ସୂଚିତ କରିଥିଲା  କି ଖୁବ୍‌ ଶୀଘ୍ର ବାଚସ୍ପତି ରମେଶ କୁମାର ହୁଏତ ଗୃହରେ ଭୋଟ ଗ୍ରହଣ ପ୍ରକ୍ରିୟା କରିବେ।  ଭୋଟ ଗ୍ରହଣ ପୂର୍ବରୁ ବିଧାନସୌଧର ସମସ୍ତ ପ୍ରବେଶପଥକୁ ବାଚସ୍ପତିଙ୍କ ନିର୍ଦେଶରେ ବନ୍ଦ କରି ଦିଆଯାଇଥିଲା। ଏହାପରେ ଉପସ୍ଥିତ ବିଧାୟକଙ୍କୁ ଭୋଟ ଦେବାକୁ କୁହାଯାଇଥିଲା।

ସରକାରର ପତନ ଘଟିବାକୁ ଆଖିରେ ରଖି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି ବେଙ୍ଗାଲୁରୁ ପୁଲିସ। ସହରରେ ସମସ୍ତ ପ୍ରକାର ପ୍ରତିବାଦ ସଭା ଓ ଧାରଣା ଉପରେ ନିଷେଧାଦେଶ ଜାରି କରିଛି ପୁଲିସ। ଏଥିସହ ଆସନ୍ତା ୪୮ ଘଣ୍ଟା ଲାଗି ବେଙ୍ଗାଲୁରୁରେ ୧୪୪ ଧାରା ଜାରି କରାଯାଇଛି। ମଦ ଦୋକାନୀକୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ କି, ଏଚ୍‌.ଡି.କୁମାରସ୍ୱାମୀ ବିଦେଶ ଗସ୍ତରେ ଯାଇଥିବା ସମୟରେ ତାଙ୍କ ସରକାରକୁ ସମର୍ଥନ ଜଣାଉଥିବା ୧୫ ଜଣ ବିଧାୟକ ଇସ୍ତଫା ଦେବା ଫଳରେ କଂଗ୍ରେସ-ଜେଡ଼ିଏସ୍‌ ସରକାର ସଂଖ୍ୟା ଲଘୁ ପାଲଟି ଯାଇଥିଲା।

ସମ୍ବନ୍ଧିତ ଖବର