ସିଏଏକୁ ନେଇ ରାଜନୀତି ତେଜିଲା, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ଯେତେ ବିରୋଧ ହେଲେ ବି ଆଇନ କାର୍ଯ୍ୟକାରୀ ହେବ: ଅମିତ ଶାହ

ନୂଆଦିଲ୍ଲୀ: ନାଗରିକ ସଂ‌େଶାଧନ ବିଲ ପ୍ରତିବାଦରେ ରାଜଧାନୀ ଦିଲ୍ଲୀ ଆଜି ମଧ୍ୟ ଅଶାନ୍ତ ରହିଛି। ରାଜଧାନୀର ସୀଲାମପୁର ଅଞ୍ଚଳରେ ଆଜି ପୁଲିସ ଓ ବିକ୍ଷେ‌ାଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ‌ ୨୧ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ରାଜଧାନୀରେ ଶାନ୍ତି ସୁନିଶ୍ଚିତ କରିବା ଲାଗି ଦିଲ୍ଲୀ ପୁଲିସକୁ ନିର୍ଦେଶ ଦିଆଯାଇଛି। ସେ କହିଛନ୍ତି ଯେ କୌଣସି ଛାତ୍ରଙ୍କୁ ଗିରଫ କରାଯାଇ ନାହିଁ।

ଅନ୍ୟପକ୍ଷ‌େର ରବିବାର ରାତିରେ ଜାମିଆ ମିଲିଆ ଏବଂ ଆଲିଗଡ଼ ବିଶ୍ବବିଦ୍ୟାଳୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଦନ୍ତ ଲାଗି ହାଇକୋର୍ଟ ଯିବା ଲାଗି ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ଦେଶର ଅନ୍ୟ ବିଶ୍ବ ବିଦ୍ୟାଳୟରେ ମଧ୍ୟ ଆଜି ଆନ୍ଦୋଳନ ହୋଇଛି। ଗତ ଦୁଇଦିନ ଧରି ମାଡ୍ରାସ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବା ବେଳେ ଆଜି ସନ୍ଧ୍ୟାରେ ପୁଲିସ ମାଡ୍ରାସ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟ ସଂକ୍ରାନ୍ତରେ ନିଷ୍ପତ୍ତି ନେଉଥିବା ବେଳେ ପୁଲିସ ବିଶ୍ବବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଇତିମଧ୍ୟରେ ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ରାଜନୀତି ଜୋର ଧରିଛି। ଆଇନକୁ ଅସମ୍ବିଧାନିକ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଆଜି ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ଜାମିଆ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିିତ ଶାହ କହିଛନ୍ତି ଯେ ଯେତେ ଆନ୍ଦୋଳନ ହେଲେ ମଧ୍ୟ ସରକାର ନୂଆ ଆଇନ କାର୍ଯ୍ୟକାରୀ କରିବେ ଏବଂ ଏଥିରୁ ଓହରିବାର ପ୍ରଶ୍ନ ଉଠୁନାହିଁ। ତେଣେ ନୂଆ ଆଇନକୁ ନେଇ ହେଉଥିବା ହିଂସାକାଣ୍ଡ ପାଇଁ କଂଗ୍ରେସକୁ ଦାୟୀ କରିଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦୀ ଆଜି କହିଛନ୍ତି ଯେ ହିଂସା ପଛରେ କଂଗ୍ରେସ ଏବଂ ସହରାଞ୍ଚଳ ନକ୍ସଲଙ୍କର ହାତ ରହିଛି।

ସମ୍ବନ୍ଧିତ ଖବର