ଚୀନ ଋଣ ପାଇଁ ପାକିସ୍ତାନ, ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା

ନୂଆଦିଲ୍ଲୀ: ପାକିସ୍ତାନ ଓ ଶ୍ରୀଲଙ୍କାରେ ଯେଭଳି ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ଚାଲିଛି ତା’ର ମୂଳରେ ଅଛି ଚୀନ୍ ଋଣ। ଏହାକୁ ଦେଖି ମାଳଦ୍ବୀପ, ନେପାଳ ଓ ବାଂଲାଦେଶ ପରି ଦେଶ ଚୀନ୍‌ଠାରୁ ଭିତ୍ତିଭୂମି ଋଣ ନେବା ଓ ବିଆର୍‌ଆଇ (ବେଲ୍‌ଟ ରୋଡ୍ ଇନସିଏଟିଭ୍)ର ଅଂଶ ହେବା ବିଷୟରେ ପୁଣିଥରେ ଚିନ୍ତା କରିବେ।
ଗତ ସପ୍ତାହରେ ଭାରତ ଗସ୍ତ ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ମାର୍ଚ୍ଚ ମାସରେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ତାଙ୍କର କାଠମାଣ୍ଡୁ ଗସ୍ତ ସମୟର କଥୋପକଥନ ବିଷୟରେ ସୂଚନା ଦେଇଥିଲେ। ନେପାଳ ପ୍ରଧାନମନ୍ତ୍ରୀ ସେତେବେଳେ ୱାଙ୍ଗଙ୍କୁ କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ତାଙ୍କ ଦେଶ ବେଜିଂଠାରୁ କେବଳ ଅନୁଦାନ ଗ୍ରହଣ କରିପାରିବ, କୌଣସି ଋଣ ନୁହେଁ। ସତ କଥା ହେଲା ସେତେବେଳେ ୱାଙ୍ଗଙ୍କ ଗସ୍ତ ସମୟରେ ବେଜିଂର ତଥାକଥିତ ବେଲ୍‌ଟ୍ ରୋଡ୍ ଇନିସିଏଟିଭ୍ (ବିଆର୍‌ଆଇ) ଉପରେ ‌କାଠମାଣ୍ଡୁ ସହ କୌଣସି ଗୋଟିଏ ବି ଚୁକ୍ତି ସ୍ବାକ୍ଷରିତ ହୋଇ ନ ଥିଲା।

ଦକ୍ଷିଣ ଏସିଆରେ ଚୀନ୍‌ର ଋଣ ୪.୭ ବିଲିୟନରୁ ୪୦ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଦେଉବାଙ୍କ ଅଧୀନରେ ନେପାଳ ପାକିସ୍ତାନ ଓ ଶ୍ରୀଲଙ୍କା ସଂକଟ ଦେଖି ଦୂରଦୃଷ୍ଟି ଖଟାଇ ବେଜିଂର ଋଣଜାଲରୁ ଖସିଯାଇ ପାରିଥିଲା। ପାକିସ୍ତାନ ମୋଟ ବିଦେଶୀ ଋଣର ୧୦ ପ୍ରତିଶତରୁ ଅଧିକ ଚୀନ୍‌ରୁ ଆଣିବା ପରେ ଚୀନ୍ ସହ ଆଉ ସେ କ୍ଷୀର-ମହୁ ସମ୍ପର୍କରେ ମିଠା ନାହିଁ। ଇମ୍ରାନ ସରକାରରେ ଅସ୍ଥିରତା ଦେଖା ଦେଇ ସରକାରକୁ ଭାଙ୍ଗିବାକୁ ପଡ଼ିଛି। ଏବେ କାମଚଳା ସରକାରର ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ନିର୍ବାଚନକୁ ଅପେକ୍ଷା କରିଛନ୍ତି।

ଶ୍ରୀଲଙ୍କା ପରିସ୍ଥିତି ବି ଆହୁରି ଖରାପ। ଏଥର ଆଉ ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜର ସମସ୍ୟା ପାଇଁ ଭାରତକୁ ଦୋଷ ଦେବାର ଅବକାଶ ନାହିଁ। ଭିତ୍ତିଭୂମି ଉନ୍ନୟନ ନାଁରେ ଚୀନ୍‌ରୁ ଉଚ୍ଚ ସୁଧହାରରେ ଋଣ ଆଣିବା ଯୋଗୁ ଶ୍ରୀଲଙ୍କାର ଆଜି ଏ ଦେବାଳିଆ ଅବସ୍ଥା। ରାଜପକ୍ଷ ପରିବାରର ଶାସନ ବିରୋଧରେ କେବଳ ବିକ୍ଷୋଭ ପ୍ରଦର୍ଶନ କରିବା ଛଡ଼ା ଜନସାଧାରଣଙ୍କ ପାଖରେ ବି ଆଉ କିଛି ବିକଳ୍ପ ନାହିଁ। ପାକିସ୍ତାନ ଓ ଶ୍ରୀଲଙ୍କାର ଏ ଅବସ୍ଥା ମାଳଦ୍ବୀପ, ନେପାଳ ଓ ବାଂଲାଦେଶକୁ ଚୀନ୍‌ଠାରୁ ବିଆର୍‌ଆଇର ଅଂଶ ସ୍ବରୂପ ଭିତ୍ତିଭୂମି ଋଣ ଆଣିବା ନେଇ ପୁନର୍ବାର ଚିନ୍ତା କରିବାକୁ ବାଧ୍ୟ କରିବ। ବର୍ତ୍ତମାନ ଇମ୍ରାନ୍ ଖାନ୍‌ଙ୍କ ସରକାର ବୁଡ଼ିବାକୁ ବସିଥିବା ବେଳେ ଚୀନ୍ ଇସଲାମାବାଦକୁ ଦେଇଥିବା ଶହଶହ କୋଟି ଡଲାରର ଋଣ ଆଦାୟ କରିବା ଓ ପାକିସ୍ତାନରେ ବିଆର୍‌ଆଇର ଭବିଷ୍ୟତ ନେଇ ସନ୍ଦେହ ଦେଖାଦେଇଛି। ଦଶନ୍ଧି ହେଲା ବେଜିଂର ଅନୁଗତ ସାଜିଥିବା ପାକିସ୍ତାନ ଓ ଶ୍ରୀଲଙ୍କା ଏ ଆର୍ଥିକ ସଂକଟରୁ ମୁକୁଳିବା ଦୁରୁହ ମନେହେଉଛି।

ସମ୍ବନ୍ଧିତ ଖବର