ନୂଆଦିଲ୍ଲୀ: ପେଗାସସ୍ ୱାଏୱେର ଗୁଇନ୍ଦାଗିରି ପ୍ରସଙ୍ଗ ଏବେ ଭାରତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଆମେରିକାର ବହୁଚର୍ଚ୍ଚିତ ୱାଟରଗେଟ୍ ଦୁର୍ନୀତି ସହିତ ଏହାକୁ ଅନେକେ ତୁଳନା କରୁଥିବା ବେଳେ ଦିନକୁ ଦିନ ପେଗାସସକୁ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଭାରତର ଏକ ହଜାରରୁ ଅଧିକ ଫୋନ୍ ନମ୍ବର ଇସ୍ରାଏଲ୍ର ଗୁଇନ୍ଦା ସଫ୍ଟୱେର ପେଗାସସ୍ ଟାର୍ଗେଟ୍ରେ ରହିଥିଲା ବୋଲି ଜଣାପଡ଼ିଛି। ଏହି ପ୍ରକ୍ରିୟାରୁ ଶାସକ ଓ ବିରୋଧୀ ଦଳର ନେତା, ପୂର୍ବ କେନ୍ଦ୍ରମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ବିଚାରପତି, ବେସରକାରୀ ସଂଗଠନ କେହି ବି ବର୍ତ୍ତି ନାହାନ୍ତି । ଏହି ଗୁଇନ୍ଦାଗିରିର ବ୍ୟାପକତା କେତେ ବିଶାଳ ତାହା ଏଥିରୁ ପ୍ରମାଣିତ ହୋଇଛି । ଭାରତ ସମେତ ୪୫ଟି ରାଷ୍ଟ୍ରରେ ପେଗାସସ୍ ସ୍ପାଇଓ୍ୱେର ମାଧ୍ୟମରେ ଫୋନ୍ ହ୍ୟାକିଂ ହୋଇଛି ଏବଂ ଇସ୍ରାଏଲ୍ର ଏନ୍ଏସ୍ ଗ୍ରୁପ୍ ଏହି ସଫ୍ଟୱେର ତିଆରି କରିଛି। ତେବେ ଭାରତ ସରକାର ଏହି ଗୁଇନ୍ଦାଗିରି ମାମଲାରେ କୌଣସି ଭୂମିକାକୁ ଖଣ୍ଡନ କରିଛନ୍ତି | ପେଗାସସ୍ କାଣ୍ଡକୁ ନେଇ ଏବେ ସଂସଦର ମୌସୁମୀ ଅଧିବେଶନରେ ତମ୍ବି ତୁଫାନ ଚାଲିଥିବା ବେଳେ ଆଜି ଇସ୍ରାଏଲ୍ କର୍ତ୍ତୃପକ୍ଷ ପେଗାସସ୍ର ନିର୍ମାତା ଏନ୍ଏସ୍ଓ ଗ୍ରୁପ୍ କାର୍ଯ୍ୟାଳୟରେ ଯାଞ୍ଚ ଆରମ୍ଭ କରିଛନ୍ତି | ନ୍ୟୁଜ୍ ୱେବ୍ସାଇଟ୍ ଦ ୱାୟାର ସମେତ ୧୭ଟି ମିଡିଆ ସଂଗଠନର ଗ୍ଲୋବାଲ କନ୍ସୋର୍ଟିୟମ୍ ପେଗାସସ୍ ନେଇ ଖୋଳତାଡ଼ ଜାରି ରଖିଛନ୍ତି। ବିଶ୍ୱବ୍ୟାପୀ ପ୍ରାୟ ୫୦ ହଜାର ଲୋକଙ୍କୁ ଟାର୍ଗେଟ୍ କରି ଗୁଇନ୍ଦାଗିରି କରାଯାଇଥିବା କୁହାଯାଇଛି। ଏଥିରେ ୧୪ ଜଣ ରାଷ୍ଟ୍ରମୁଖ୍ୟ ମଧ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଅଛନ୍ତି।
ରିପୋର୍ଟ ମୁତାବକ ୨୦୧୮-୨୦୧୯ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଫୋନ୍କୁ ୨ ଥର ଟାର୍ଗେଟ୍ କରାଯାଇଥିଲା। ରାହୁଲ ଏବେ ଏହି ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ଏକଜୁଟ୍ କରି ମୋଦୀ ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ତେବେ ବର୍ତ୍ତମାନର ପେଗାସସ୍ ମାମଲାରେ ସରକାର ଗୁଇନ୍ଦାଗିରିରେ ସଂପୃକ୍ତ ଥିଲେ ବୋଲି ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ବିଶେଷଜ୍ଞମାନେ କହିଛନ୍ତି | ପେଗାସସ୍ ମାଲ୍ରର ଏଭଳି କ୍ଷମତା ରହିଛି ଯାହା ସମସ୍ତ ପ୍ରମାଣକୁ ନିଶ୍ଚିହ୍ନ କରିଦେଇଥାଏ। ତେବେ ଏଭଳି ଗୁଇନ୍ଦାଗିରି ଦ୍ଵାରା ଦେଶବାସୀଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲଂଘନ ହେଉଥିବା ଏବଂ ସରକାରୀ ତନ୍ତ୍ରର ଦୁରୂପଯୋଗ ହେଉଥିବାରୁ ବୁଦ୍ଧିଜୀବୀ ମହଲ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ତେବେ, ଭାରତରେ ରାଜନୈତିକ ଗୁଇନ୍ଦାଗିରି କିଛି ନୂଆ କଥା ନୁହେଁ….
୧୯୬୯ : ଇନ୍ଦିରା ଗାନ୍ଧି ବନାମ ସିଣ୍ଡିକେଟ୍
୧୯୬୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ କଂଗ୍ରେସ ଦଳ ବହିଷ୍କାର କରିଥିଲା। ଏହାପରେ ଇନ୍ଦିରା କଂଗ୍ରେସ (ଆର୍) ନାମକ ନୂତନ ଦଳ ଗଠନ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ସଂଗଠନ କେ. କାମରାଜଙ୍କ ନେତୃତ୍ବରେ ପରିଚାଳିତ ହେଉଥିଲା ଏବଂ ଏହା ସିଣ୍ଡିକେଟ୍ ନାମରେ ପରିଚିତ ଥିଲା। ଏହାର ନେତା କାମରାଜ, ମୋରାରଜୀ ଦେଶାଇ, ଏସ୍. ନିଜଲିଙ୍ଗାପ୍ପା ଏବଂ ହିତେନ୍ଦ୍ର ଦେଶାଇ ସେତେବେଳେ ବାରମ୍ବାର ଅଭିଯୋଗ କରୁଥିଲେ ଯେ ଇନ୍ଦିରା ସେମାନଙ୍କ ଫୋନ୍ ଟ୍ୟାପ୍ କରୁଛନ୍ତି। ଏହି ଫୋନ୍ ଟ୍ୟାପିଂ ଅଭିଯୋଗ ସେତେବେଳେ ଭାରତୀୟ ରାଜନୀତିକୁ ସରଗରମ କରି ରଖିଥିଲା।
୧୯୭୫-୧୯୭୭ : ଜରୁରୀ ପରିସ୍ଥିତି ସମୟ
ଦେଶରେ ଜରୁରୀ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧି ଫୋନ୍ ଟ୍ୟାପିଂ ସମେତ ବିଭିନ୍ନ ପ୍ରକାରର ଗୁଇନ୍ଦାଗିରି ଜାରି ରଖିଥିଲେ ବୋଲି ବହୁ ରାଜନେତା, ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ। ଇନ୍ଦିରାଙ୍କ ଗୁଇନ୍ଦାଗିରି ସେତେବେଳେ ଅତି ବ୍ୟାପକ ଥିବା କୁହାଯାଉଥିଲା। ଏଥିରେ ବିରୋଧୀ ଦଳ ନେତାଙ୍କ ସମେତ ନିଜ ଦଳର ନେତାଙ୍କୁ ବି ଇନ୍ଦିରା ଛାଡ଼ି ନଥିଲେ ବୋଲି ଅନେତ ମତ ରଖିଛନ୍ତି।
୧୯୮୮ : ରାମକୃଷ୍ଣ ହେଗଡ଼େ ଏବଂ ଗୁଣ୍ଡୁ ରାଓ
୧୯୮୮ରେ ତତ୍କାଳୀନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡ଼େ (ଜନତା ପାର୍ଟି) ଫୋନ୍ ଟ୍ୟାପିଂ ବିବାଦ କାରଣରୁ ଇସ୍ତଫା ଦେଇଥିଲେ। ପ୍ରାୟ ୫୦ ଜଣ ରାଜନେତାଙ୍କ ଫୋନ୍ ଟ୍ୟାପିଂ ପାଇଁ ହେଗଡ଼େ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା। ଫୋନ୍ ଟ୍ୟାପିଂ ହୋଇଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଏଚ୍ଡି ଦେବଗୌଡ଼ା, ଅଜିତ ସିଂହ ଏବଂ ବୀରାପ୍ପା ମୋଇଲି ମଧ୍ୟ ଥିଲେ। ହେଗଡ଼େଙ୍କ ପୂର୍ବରୁ ଆର୍. ଗୁଣ୍ଡୁରାଓଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ମଧ୍ୟ ଫୋନ୍ ଟ୍ୟାପିଂ କରୁଥିବା ଅଭିଯୋଗ ହୋଇଥିଲା। ବରିଷ୍ଠ ନେତା ଏସ. ବଙ୍ଗାରାପ୍ପା ଏବଂ ଦେବରାଜ ଉର୍ସଙ୍କ ଫୋନ୍ ଟ୍ୟାପିଂ ହେଉଥିବା ଅଭିଯୋଗ ଝଡ଼ ସୃଷ୍ଟି କରିଥିଲା।
୧୯୯୦-୯୧ : ଭି.ପି. ସିଂହ ବନାମ ଚନ୍ଦ୍ରଶେଖର
୧୯୯୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଅଭିଯୋଗ କରିଥିଲେ ଯେ ତାଙ୍କ ପୂର୍ବ ସରକାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି. ସିଂହଙ୍କ ନିର୍ଦ୍ଦେଶରେ ତାଙ୍କର ଫୋନ୍ ଟ୍ୟାପିଂ କରାଉଥିଲେ। ଚନ୍ଦ୍ରଶେଖରଙ୍କ ସମେତ ମୋଟ ୨୭ ଜଣ ନେତାଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ ହୋଇଥିଲା। ସେତେବେଳେ ଏକ ତଦନ୍ତ ରିପୋର୍ଟରେ କୁହାଯାଇଥିଲା ଯେ ରାଜୀବ ଗାନ୍ଧିଙ୍କ ସରକାର ଅମଳରେ ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ଫୋନ୍ ଟ୍ୟାପିଂ ହେଉଥିଲା। ଅନ୍ୟପକ୍ଷରେ ଚନ୍ଦ୍ରଶେଖର ମଧ୍ୟ ପ୍ରଧାନମନ୍ତ୍ରୀ ଥିବା ସମୟରେ ରାଜୀବ ଗାନ୍ଧିଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ରାଜୀବଙ୍କ ବାସଭବନ ନିକଟରୁ ହରିୟାଣାର ଦୁଇ ଜଣ ପୁଲିସ କର୍ମୀ ମଧ୍ୟ ଗିରଫ ହୋଇଥିଲେ।
୨୦୦୬ : ସୋନିଆ ଗାନ୍ଧି ବନାମ ଅମର ସିଂହ
ଜାନୁଆରି ୨୦୦୬ରେ ତତ୍କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସୋନିଆ ତତ୍କାଳୀନ ସମାଜବାଦୀ ପାର୍ଟି ନେତା ତଥା ତାଙ୍କର ଘନିଷ୍ଠ ସହଯୋଗୀ ଅମର ସିଂହଙ୍କ ଫୋନ୍ ଟ୍ୟାପିଂ କରାଉଥିବା ମୁଲାୟମ ଅଭିଯୋଗ କରିଥିଲେ। ତତ୍କାଳୀନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା ମଧ୍ୟ ମୁଲାୟମଙ୍କ ଦାବିକୁ ସମର୍ଥନ କରିବା ସହ ସୋନିଆଙ୍କୁ ଘେରିଥିଲେ ଏବଂ ସୋନିଆ ତାଙ୍କର ଫୋନ୍ ମଧ୍ୟ ଟ୍ୟାପିଂ କରୁଥିବା କହିଥିଲେ।
୨୦୧୦ : ଏନ୍ଟିଆର୍ଓ ଗୁଇନ୍ଦାଗିରି
ଜାତୀୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ (ଏନ୍ଟିଆର୍ଓ) ମାଧ୍ୟମରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଫୋନ୍ ଟ୍ୟାପିଂ କରୁଥିବା ଅଭିଯୋଗ ୨୦୧୦ରେ ବଡ଼ ବିବାଦ ସୃଷ୍ଟି କରିଥିଲା । ତତ୍କାଳୀନ କଂଗ୍ରେସ ସାଧାରଣ ସଂପାଦକ ଦିଗ୍ବିଜୟ ସିଂହ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସିପିଏମ୍ ନେତା ପ୍ରକାଶ କରାତ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାରଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ ହୋଇଥିଲା। କେତେକ ଗଣମାଧ୍ୟମରେ ଏ ବାବଦରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ୟୁପିଏ ସରକାରଙ୍କ ଅଡ଼ୁଆ ବଢ଼ିଥିଲା।
ପ୍ରଣବ-ଆଣ୍ଟୋନି-ଯଶୱନ୍ତ-ଜେଟ୍ଲି
କଂଗ୍ରେସ ନେତୃତ୍ବାଧୀନ ୟୁପିଏ-୨ ସରକାର ବେଆଇନ ଗୁଇନ୍ଦାଗିରି ମାମଲାରେ ଛନ୍ଦି ହୋଇପଡ଼ିଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ଅଫିସ୍ ପକ୍ଷରୁ ବଡ଼ ଧରଣର ଗୁଇନ୍ଦାଗିରି ଅଭିଯୋଗ ହୋଇଥିଲା ଏବଂ ଜୁନ୍ ୨୦୧୧ରେ ଏହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ସେତେବେଳେ ଗୃହମନ୍ତ୍ରୀ ଥିବା ପି. ଚିଦମ୍ବରମଙ୍କ ନିର୍ଦ୍ଦେଶରେ ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟାଳୟର ଫୋନ୍, କମ୍ପ୍ୟୁଟର ହ୍ୟାକ୍ କରି ଗୁଇନ୍ଦାଗିରି ଚାଲିଥିବା ବିଜେପି ଅଭିଯୋଗ କରିଥିଲା। ଏହାପରେ ଘରୋଇ ତଦନ୍ତକାରୀ ସଂସ୍ଥା ଦ୍ବାରା ଖୋଳତାଡ଼ ମଧ୍ୟ ହୋଇଥିଲା। ୨୦୧୨ରେ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ କାର୍ଯ୍ୟାଳୟରେ ମଧ୍ୟ ଗୁଇନ୍ଦାଗିରି ଚାଲିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକୁ ଆଇବି ତଦନ୍ତ ପରେ ଖଣ୍ଡନ କରାଯାଇଥିଲା। ଚିଦମ୍ବରମ ତତ୍କାଳୀନ ବିଜେପି ନେତା ଯଶବନ୍ତ ସିହ୍ନାଙ୍କ ଫୋନ୍ ଟ୍ୟାପିଂ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ବୋଲି ୨୦୧୨ରେ ଅଭିଯୋଗ ହୋଇଥିଲା। ୨୦୧୩ରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଅରୁଣ ଜେଟ୍ଲିଙ୍କ ଉପରେ ମଧ୍ୟ ଗୁଇନ୍ଦାଗିରି ଚାଲିଥିବା ଏବଂ ତାଙ୍କ ଫୋନ୍ ଟ୍ୟାପିଂ ହେଉଥିବା ଅଭିଯୋଗ ହୋଇଥିଲା।
ଏମ୍କେ ଧରଙ୍କ ପୁସ୍ତକରେ ତଥ୍ୟ ପ୍ରଘଟ
ଗୁଇନ୍ଦା ବ୍ୟୁରୋ (ଆଇବି)ର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ୨୦୦୫ରେ ଲେଖିଥିବା ପୁସ୍ତକ (ଓପନ୍ ସିକ୍ରେଟ୍ସ: ଇଣ୍ଡିଆସ୍ ଇଣ୍ଟେଲିଜେନ୍ସ ଅନ୍ଭେଇଲ୍ଡ)ରେ ଦର୍ଶାଇଥିଲେ ଯେ ଇନ୍ଦିରା ଗାନ୍ଧି ହେଉଛନ୍ତି ଦେଶର ପ୍ରଥମ ରାଜନେତା ଯିଏକି ବାରମ୍ବାର ଫୋନ୍ ଟ୍ୟାପିଂ ପାଇଁ ନିର୍ଦ୍ଦେଶ ଦେଉଥିଲେ। ସଂଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମେନକା ଗାନ୍ଧି ଘର ଛାଡ଼ି ଯିବା ପରେ ୧୯୮୨ରେ ଇନ୍ଦିରା ମେନାକାଙ୍କ ଫୋନ ଟ୍ୟାପ୍ କରାଉଥିଲେ ବୋଲି ଏହି ପୁସ୍ତକରେ କୁହାଯାଇଥିଲା। ଇନ୍ଦିରାଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଗୃହମନ୍ତ୍ରୀ ଜ୍ଞାନୀ ଜୈଲ ସିଂହଙ୍କ ଫୋନ୍ ମଧ୍ୟ ଟ୍ୟାପ୍ ହେଉଥିଲା ବୋଲି ମଧ୍ୟ ଏଥିରେ ଉଲ୍ଲେଖ ଅଛି। ରାଜୀବ ଗାନ୍ଧି ମଧ୍ୟ ପ୍ରଧାନମନ୍ତ୍ରୀ ଥିବା ବେଳେ ଫୋନ୍ ଟ୍ୟାପ୍ କରାଉଥିଲେ ଏବଂ ରାଷ୍ଟ୍ରପତି ଭବନ ବିଏଥିରୁ ବାଦ୍ ପଡ଼ିନଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ କେହି ଭେଟିବାକୁ ଆସିଲେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ସେମାନଙ୍କୁ ଲନ୍ରେ ଭେଟିବାକୁ ବାଧ୍ୟ ହେଉଥିଲେ।
ନିରା ରାଡିଆ ଟେପ୍
୨୦୧୦ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଏ.ରାଜା ଏବଂ ଅନ୍ୟ କେତେକ ରାଜନେତା ଓ ସାମ୍ବାଦିକଙ୍କ ସହ କର୍ପୋରେଟ୍ ଲବିଷ୍ଟ ନିରା ରାଡିଆଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପ ଲିକ୍ ହେବାପରେ ଏହାକୁ ନେଇ ବଡ଼ ଧରଣର ହଇଚଇ ସୃ୍ଷ୍ଟି ହୋଇଥିଲା। ଏହା ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଗୁଇନ୍ଦା କାଣ୍ଡ ବୋଲି କୁହାଯାଉଛି। ଏହି ଘଟଣା ୟୁପିଏ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ବେଳେ କ୍ୟାବିନେଟ୍ ମନ୍ତ୍ରୀ-ସାମ୍ବାଦିକ-କର୍ପୋରେଟ୍ ଲବିଷ୍ଟଙ୍କ ମଧ୍ୟରେ ରହିଥିବା ସଂପର୍କ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା।