ଜମ୍ମୁ: କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଲୋକେ ଏହାକୁ ପ୍ରଶଂସା କରୁଥିବା ବେଳେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହୋଇସାରିଛି। ତେବେ ଏହି ଫିଲ୍ମକୁ ନେଇ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ।

Advertisment

ଆଜାଦ କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରନ୍ତି ଏବଂ କଂଗ୍ରେସ ଦଳ ମଧ୍ୟ ଏଥିରେ ଜଡିତ ଅଛି। କଶ୍ମୀରୀ ପଣ୍ଡିତଙ୍କ କଶ୍ମୀର ଛାଡିବା ସହ ଜଡିତ ପ୍ରଶ୍ନ ପଚରାଯିବା ପରେ ଆଜାଦ କହିଥିଲେ ଯେ କଶ୍ମୀରରେ ଘଟିଥିବା ଘଟଣା ପାଇଁ ପାକିସ୍ତାନ ଏବଂ ଆତଙ୍କବାଦ ଦାୟୀ। ଏଥିପାଇଁ କୌଣସି ଧର୍ମ ଦାୟୀ ନୁହେଁ। ଧର୍ମ, ଜାତି ଏବଂ ଅନ୍ୟାନ୍ୟ ଜିନିଷ ଆଧାରରେ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ୨୪ଘଣ୍ଟା ରାଜନୈତିକ ଦଳ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ବି ଏଥିରେ ସାମିଲ ଅଛି। କିନ୍ତୁ ଭାରତର ନାଗରିକଙ୍କୁ ଏକଜୁଟ ରହିବା ଆବଶ୍ୟକ। ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ନ୍ୟାୟ ପାଇବା ଉଚିତ୍। କଶ୍ମୀରରେ ଘଟିଥିବା ଘଟଣା ସମଗ୍ର ଜମ୍ମୁ-କଶ୍ମୀରକୁ ପ୍ରଭାବିତ କରିଛି। ପାକିସ୍ତାନ ଓ ଆତଙ୍କବାଦ ପାଇଁ କଶ୍ମୀର ପଣ୍ଡିତଙ୍କ ସମେତ ହିନ୍ଦୁ, ମୁସଲମାନ, ଡୋଗ୍ରାସ୍ ସମସ୍ତେ ପ୍ରଭାବିତ ହୋଇଛନ୍ତି।

ଉଲ୍ଲେଖଯାଗ୍ୟ, ମାର୍ଚ୍ଚ ୧୧ରେ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ସାରା ଦେଶରେ ମୁକ୍ତିଲାଭ କରିଥିଲା। ଅନେକ ବିଜେପି ଶାସିତ ରାଜ୍ୟ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିଥିଲେ। ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପୁଲିସ ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ବିଶେଷ ଛୁଟି ଦିଆଯାଇଛି। କିଛି ଦିନ ପୂର୍ବରୁ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଚଳଚ୍ଚିତ୍ର ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସମସ୍ତଙ୍କୁ ଏହି ଫିଲ୍ମ ଦେଖିବା ଉଚିତ୍।