ମୁମ୍ବାଇ: ଆସନ୍ତା ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ପୁଣି ଥରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନିର୍ବାଚନ ଲଢିବା ନେଇ ଆଲୋଚନା ତୀବ୍ର ହୋଇଛି। ନିର୍ବାଚନ ଆୟୋଗରେ ପଞ୍ଜୀକୃତ ହୋଇଥିବା ରାଜନୈତିକ ଦଳ 'ଉତ୍ତର ଭାରତୀୟ ବିକାଶ ସେନା' ଲରେନ୍ସ ବିଷ୍ଣୋଇକୁ ଟିକେଟ ଦେବାକୁ ଇଚ୍ଛା ପ୍ରକାଶ କରିଛି | ଏମିତିକି ନାମାଙ୍କନ ଦାଖଲ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଲରେନ୍ସଙ୍କ ପାଇଁ 'ଏବି ଫର୍ମ' ମାଗିଛି ଉତ୍ତର ଭାରତୀୟ ବିକାଶ ସେନା |

Advertisment

ନାମାଙ୍କନପତ୍ର ଦାଖଲ ପାଇଁ 'ଏବି ଫର୍ମ' ଅତ୍ୟନ୍ତ ଜରୁରୀ ହୋଇଥାଏ | ଉତ୍ତର ଭାରତୀୟ ବିକାଶ ସେନାର ନେତା ସୁନୀଲ ଶୁକ୍ଲା ପଶ୍ଚିମ ବାନ୍ଦ୍ରା  ନିର୍ବାଚନମଣ୍ଡଳୀରୁ ଲରେନ୍ସଙ୍କ ନାମରେ ନାମାଙ୍କନ ଦାଖଲ କରିବାକୁ ଚାହୁଁଛନ୍ତି। ଏହି ନିର୍ବାଚନମଣ୍ଡଳୀ ସ୍ବର୍ଗତଃ ଏନସିପି ନେତା ବାବା ସିଦ୍ଦିକିଙ୍କର ଥିଲା।

ରିଟର୍ଣ୍ଣିଂ ଅଫିସରଙ୍କୁ ଲେଖିଥିବା ଚିଠିରେ ସୁନୀଲ ଶୁକ୍ଲା ଦାବି କରିଛନ୍ତି ଯେ, ସେ ଫର୍ମରେ ଲରେନ୍ସଙ୍କ ଦସ୍ତଖତ ନେବେ। ଲରେନ୍ସଙ୍କ ପ୍ରାର୍ଥୀତ୍ୱକୁ ବୈଧ କରିବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ | ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଲରେନ୍ସଙ୍କୁ ଦଳ ଟିକେଟ୍ ଦେବ ବୋଲି ଘୋଷଣା କରାଯିବାର କିଛି ଦିନ ପରେ ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖିଛନ୍ତି ସୁନୀଲ । ଚିଠିରେ ସେ ଏହା ମଧ୍ୟ ଦାବି କରିଛି ଯେ ଯଦି ଲରେନ୍ସ ଅନୁମତି ଦିଅନ୍ତି, ତେବେ ସେ ଶୀଘ୍ର ୫୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବେ।

ଲରେନ୍ସ ବର୍ତ୍ତମାନ ଗୁଜୁରାଟର ସାବରମତି ଜେଲରେ ଅଛି । ନିକଟରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେବା ମାମଲାରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା |