କାନପୁର: କାନ୍ପୁର ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ୍ ତଥା କୁଖ୍ୟାତ ଅପରାଧୀ ବିକାଶ ଦୁବେର ଖେଳ ଗତକାଲି ଶେଷ ହେବା ସହ ତା'ର ରାଜନୈତିକ ପୃଷ୍ଠପୋଷକତା ଏବଂ ଉତ୍ତରପ୍ରଦେଶ ପୁଲିସ ସହ ତା'ର ଲିଙ୍କ୍ ଗୁପ୍ତ ହୋଇ ରହିଗଲା। ପ୍ରକୃତରେ ବିକାଶ ଦୁବେ କେଉଁଠାରୁ ଏତେ ସାମର୍ଥ୍ୟ ପାଇଥିଲା ଏବଂ କେଉଁ କ୍ଷମତା ବଳରେ ଉତ୍ତରପ୍ରଦେଶରେ ଅପରାଧ ପରେ ଅପରାଧ ଘଟାଇ ଚାଲିଥିଲା ତାର ପର୍ଦ୍ଦାଫାସ ହୋଇପାରିନି। ଦୁବେର ପୁଲିସ ଲିଙ୍କ୍ ପାଇଁ ବିରୋଧୀ ଦଳ ନେତାମାନେ ମଧ୍ୟ ସ୍ବର ଉତ୍ତୋଳନ କରିଛନ୍ତି। ପୁଲିସକୁ ଭୁଆଁ ବୁଲାଇଥିବା ଦୁବେ ଗୁରୁବାର ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ବର ମନ୍ଦିରରୁ ଗିରଫ ହୋଇଥିଲା। କିନ୍ତୁ ଏହାର ଠିକ୍ ପରଦିନ ସକାଳେ ତାକୁ କାନପୁର ଅଣାଯାଉଥିବା ବେଳେ ଦୁବେ ପୁଲିସ ଏନ୍କାଉଣ୍ଟରରେ ନିହତ ହୋଇଥିଲା।
ବିରୋଧୀ ଦଳ ନେତାମାନେ ଦୁବେର ଏନ୍କାଉଣ୍ଟରକୁ ନେଇ ସ୍ବର ଶାଣିତ କରିଛନ୍ତି। କେଉଁ ଭୟରେ ଦୁବେକୁ ଏନ୍କାଉଣ୍ଟର କରାଗଲା ସେନେଇ ପ୍ରଶ୍ନ ଉଠିଛି। ସତକୁ ସବୁଦିନ ପାଇଁ ଘୋଡ଼ାଇ ଦେବାକୁ ଏଭଳି କରାଯାଇଛି ବୋଲି ବିରୋଧୀଦଳ ନେତାମାନେ କହିଛନ୍ତି। ଦୁବେ ସହ ଯୋଗାଯୋଗ ରଖିଥିବା ନେଇ ୨ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି କିନ୍ତୁ ଏଯାବତ୍ କୌଣସି ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ ଏହି ମାମଲାରେ ଆସିନାହିଁ। ଖାଲି ଦୁବେ ନୁହେଁ ତା'ର ୫ ଜଣ ସହଯୋଗୀ ନିପାତ ହେବା ଏବଂ ଅନ୍ୟମାନଙ୍କୁ ଗିରଫ କରାଯିବାପରେ ତାକୁ ଏନ୍କାଉଣ୍ଟର କରାଯାଇଛି। ଦୁବେକୁ ମାରିବାଦ୍ବାରା ସବୁ ସତ ଲୁଚିଗଲା ବୋଲି କୁହାଯାଉଛି। ସପା ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଦୁବେର ଗତ ୫ ବର୍ଷର କଲ୍ ରେକର୍ଡ ସାର୍ବଜନୀନ କରାଯାଉ ଏବଂ ତାକୁ କେଉଁମାନେ ସମର୍ଥନ କରୁଥିଲେ ତାହା ଏଥିରୁ ଜଣାପଡ଼ିଯିବ। ସେହିପରି ବିଏସ୍ପି ମୁଖ୍ୟ ମାୟାବତୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉକ୍ତ ଘଟଣାରେ ସୁପ୍ରିମକୋର୍ଟ ତଦାରଖରେ ତଦନ୍ତ ପାଇଁ ଦାବି କରିଛନ୍ତି। ତେବେ ଦୁବେ ଅଖିଳେଶଙ୍କ ଶାସନ ସମୟରେ ହିଁ କାନପୁରରେ ତା’ର ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା ଏବଂ ଦୁବେ ସମାଜବାଦୀ ପାର୍ଟିର ସଦସ୍ୟ ଥିଲା ବୋଲି ବିଜେପି କହିଛି।
ଦୁବେ ବିରୋଧରେ ୮ ହତ୍ୟା ମାମଲା ଥିଲା
କାନପୁର: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ବିରୋଧରେ ମୋଟ୍ ୬୧ଟି ଅପରାଧିକ ମାମଲା ଥିଲା। ଏଥି ମଧ୍ୟରୁ ୮ ଟି ହତ୍ୟା ମାମଲା ରହିଛି। ୧୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତା' ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। କାନପୁରରେ ପୁଲିସ ଟିମ୍ ଉପରକୁ ଗୁଳି ବର୍ଷା କରି ଅତି ନିର୍ମମ ଭାବେ ୮ ଜଣ ପୁଲିସଙ୍କୁ ହତ୍ୟା କରିବା ଘଟଣାରେ ଦୁବେ ବିରୋଧରେ ଶେଷ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହାବାଦ୍ ଦୁବେ ବିରୋଧରେ ୧୯୯୨ରୁ ୨୦୧୭ ମଧ୍ୟରେ ୭ଟି ହତ୍ୟା ମାମଲା ରୁଜୁ ହୋଇଥିଲା। ୧୯୯୦ରେ ଦୁବେ ଅପରାଧୀ ପାଲଟିଥିଲା। ବିକାଶ ଦୁବେର ୩ ଦଶନ୍ଧିର ଅପରାଧିକ ଜୀବନ ମଧ୍ୟରେ ତା' ବିରୋଧରେ ୯ଟି ହତ୍ୟା ଉଦ୍ୟମ ମାମଲା ରହିଥିଲା। ଏଡିପିଏସ୍ ଆଇନ ଅଧୀନରେ ୨ଟି, ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ୭ଟି ମାମଲା, ଗୁଣ୍ଡା ଆଇନ ଅଧୀନରେ ୬ଟି, ଏବଂ ଆର୍ମ୍ସ ଆକ୍ଟ ଅଧୀନରେ ୩ଟି ମାମଲା ରହିଛି। ୧୯୯୦ରେ ଦୁବେ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ଦୁବେକୁ ୩୦ ବର୍ଷ ହୋଇଥିବା ବେଳେ ତା' ବିରୋଧରେ ୨୦୦୧ରେ ଏନ୍ଏସଏ ଅଧୀନରେ ମାମଲା ରୁଜୁ ହୋଇଥିଲା।୨ ସହଯୋଗୀ ଥାନେରୁ ଗିରଫ
ମୁମ୍ବାଇ : ମହାରାଷ୍ଟ୍ର ଏଟିଏସ୍ ଆଜି ମହାରାଷ୍ଟ୍ରର ଥାନେରୁ କୁଖ୍ୟାତ ଅପରାଧୀ ବିକାଶ ଦୁବେର ୨ ସହଯୋଗୀଙ୍କୁ ଗିରଫ କରିଛି। ଉକ୍ତ ୨ ଅଭିଯୁକ୍ତ ଗତ ଜୁଲାଇ ୨-୩ ତାରିଖ ରାତିରେ ହୋଇଥିବା କାନପୁର ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲେ। ଥାନେରୁ ଗିରଫ ହୋଇଥିବା ଏହି ୨ ଅଭିଯୁକ୍ତଙ୍କ ନାମ ହେଉଛି ଅରବିନ୍ଦ ଓରଫ୍ ଗୁଦ୍ଦାନ୍ ରାମବିଳାସ ତ୍ରିବେଦୀ (୪୬) ଏବଂ ତା' ଡ୍ରାଇଭର ସୁଶିଲ କୁମାର ଓରଫ୍ ସୋନୁ ସୁରେଶ ତିୱାରୀ (୩୦)। ଗୁଦ୍ଦାନ୍ ଥାନେରେ ଲୁଚିଥିବା ଖବର ପାଇ ଜୁହୁ ଏଟିଏସ୍ ପକ୍ଷରୁ ଜୋରଦାର ସର୍ଚ୍ଚ୍ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ଜୁହୁ ଏଟିଏସ୍ ହାତରେ ସେ ଧରା ପଡ଼ିଲା। ପ୍ରାରମ୍ଭିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଗୁଦ୍ଦାନ୍ ମଧ୍ୟ ବିକାଶ ଦୁବେ ସହ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତି ଥିଲା। ୨୦୦୧ ମସିହାର ୟୁପି ମନ୍ତ୍ରୀ ସନ୍ତୋଷ ଶୁଳ୍କା ହତ୍ୟା ମାମଲାରେ ବି ତା'ର ସମ୍ପୃକ୍ତି ଥିଲା। ଗୁଦ୍ଦାନ୍ର ଗିରଫ ପାଇଁ ପୁଲିସ ମଧ୍ୟ ପୁରସ୍କାର ରାଶି ଘୋଷଣା କରିଥିଲା। ତେଣୁ ଗୁଦ୍ଦାନ୍ର ଗିରଫକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ବିକାଶ ଦୁବେର ଆହୁରି ଅନେକ ସହଯୋଗୀ ମଧ୍ୟ ଏବେ ଫେରାର୍ ଅଛନ୍ତି।