ଆସ୍ଥା ଭୋଟ୍‌ ପ୍ରସ୍ତାବ ଦେଲେ କୁମାରସ୍ବାମୀ

ସୋମବାର ନିଷ୍ପତ୍ତି ନିଆଯିବ: ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରାଜନୈତିକ ସଙ୍କଟ ଆହୁରି କିଛି ଦିନ ଚାଲିବ ବୋଲି ସ୍ପଷ୍ଟ ହୋଇଯାଇଛି। ଆଜି ସୁପ୍ରିମ୍‌ କୋର୍ଟ ଏକ ଆଦେଶ ଜାରି କରି ବାଚସ୍ପତି ଆଗାମୀ ମଂଗଳବାର ପର୍ଯ୍ୟନ୍ତ ବିଧାୟକଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିବା ପରେ ବିଧାନସଭାରେ ଛକାପଂଝା ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଆଜି ବିଧାନସଭାରେ ଆସ୍ଥା ଭୋଟ୍‌ ଲୋଡ଼ିବାକୁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଆସ୍ଥା ଭୋଟ୍‌ରେ ସେ ସରକାରଙ୍କ ସପକ୍ଷରେ ସଂଖ୍ୟାଗରିଷ୍ଠତା ଥିବା ପ୍ରମାଣ ଦେବେ ବୋଲି କହିଛନ୍ତି। ବାଚସ୍ପତି ରମେଶ କୁମାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ସଂପର୍କରେ ସେ ବିଚାର କରୁଛନ୍ତି ଏବଂ ସୋମବାର ଦିନ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ। ତେବେ ବିଜେପି ବିଧାୟକମାନେ କୁମାରସ୍ବାମୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିବା ସହ ଏହି ସଂଖ୍ୟାଲଘୁ ସରକାରକୁ ଚାଲିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। କର୍ଣ୍ଣାଟକ ବିଧାନସଭା ସୋମବାର ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର