ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ମଦ ଦୁର୍ନୀତି ମାମଲାରେ ଜେଲ୍ ଯିବା ଓ ତାଙ୍କର ଜାମିନ ଆବେଦନ ବାରମ୍ବାର ଖାରଜ ହେବା ପରେ ବି ଇସ୍ତଫା ନ ଦେବାରୁ ପ୍ରାଶାସନିକ କାର୍ଯ୍ୟରେ ବିଭ୍ରାଟ ସହ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ଏଣୁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ୍) ସରକାରକୁ ବହିଷ୍କାର କରିବାକୁ ଦାବି କରି ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଏକ ସ୍ମାରକପତ୍ର ପଠାଇଥିଲେ। ରାଷ୍ଟ୍ରପତି ଏହାକୁ ସମୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟକୁ ପଠାଇବା ପରେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି। ବିଜେପି ପଛଦ୍ବାର ଦେଇ ଆପ୍ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ଆପ୍ ନେତାମାନେ ଅଭିଯୋଗ କରିଛନ୍ତି। 

Advertisment

କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ ଦାବି କରିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନିଶ୍ଚିତ ପରାଜୟକୁ ଏଡ଼ାଇବା ପାଇଁ ଏହା ବିଜେପିର ଏକ ଷଡ଼୍‌ଯନ୍ତ୍ର। ଆଗାମୀ ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପି ପରାଜୟ ସ୍ୱୀକାର କରିସାରିଛି। ବିଜେପିର ଏକମାତ୍ର କାମ ହେଉଛି ନିର୍ବାଚିତ ସରକାରକୁ ଭାଙ୍ଗିବା। ବିଜେପି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭୟ କରୁଛି ବୋଲି ଆତିଶୀ କହିଛନ୍ତି। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। 

ବିଜେପିର ସ୍ମାରକପତ୍ରକୁ ରାଷ୍ଟ୍ରପତି ଗୃହ ମନ୍ତ୍ରଣାଳୟକୁ ପଠାଇଲେ
ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ବିଜେପି ଷଡ଼୍‌ଯନ୍ତ୍ର କରୁଛି: ଆପ୍‌

ବିଜେପି ବିଧାୟକମାନେ ଦାଖଲ କରିଥିବା ସ୍ମାରକପତ୍ରରେ ଷଷ୍ଠ ଦିଲ୍ଲୀ ଅର୍ଥ ଆୟୋଗ ଗଠନରେ ଦିଲ୍ଲୀ ସରକାରଙ୍କ ବିଫଳତା ଏବଂ କମ୍ପଟ୍ରୋଲର ଓ ଅଡିଟର ଜେନେରାଲଙ୍କ ରିପୋର୍ଟ ଉପରେ ନିଷ୍କ୍ରିୟତା ଅଭିଯୋଗ ଅଣାଯାଇଛି। ଦିଲ୍ଲୀ ବିଜେପି ନେତା ବିଜେନ୍ଦର ଗୁପ୍ତା ଏକ ବିବୃତିରେ ଯୁକ୍ତି ବାଢ଼ିଛନ୍ତି ଯେ ଦୁର୍ନୀତି ଅଭିଯୋଗରେ ୪ ମାସରୁ ଅଧିକ ସମୟ ଜେଲରେ ରହିବା ପରେ କେଜ୍ରିୱାଲ ଇସ୍ତଫା ଦେବାକୁ ମନା କରିବା ଯୋଗୁ ପ୍ରଶାସନ ପଙ୍ଗୁ ହୋଇଛି। ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପିର ଚିନ୍ତାକୁ ସମୀକ୍ଷା ପାଇଁ ଗୃହ ସଚିବଙ୍କ ନିକଟକୁ ପଠାଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହେବା ପରେ କେଜ୍ରିୱାଲ ମାର୍ଚ୍ଚ ୨୧ରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଏବଂ ଏକାଧିକ ବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।