ଜୟପୁର: ରାଜସ୍ଥାନରେ ଆଉ ଚାରିମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ‘ନାଲି ଡାଏରି’କୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଶାସକ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ଏହାକୁ ନେଇ କଥା କଟାକଟି ହେବା ସହ ’ନାଲି ଡାଏରି’ ଏକ ବିରାଟ ରାଜନୈତିକ ସସ୍‌ପେନ୍ସ ସୃଷ୍ଟି କରିଛି। ଉଦୟପୁରବାଟୀର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଧା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କରେ ତାଙ୍କ ପାଖରେ ବିସ୍ଫୋରକ ତଥ୍ୟ ରହିଛି। ଉକ୍ତ ଡାଏରିଟି ହେଉଛି ଧର୍ମେନ୍ଦ୍ର ରାଠୋଡ଼ଙ୍କର ଯିଏ କି ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସହଯୋଗୀ ତଥା ରାଜସ୍ଥାନ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ। ସେ ଗେହଲଟଙ୍କ ଶିବିରକୁ ତଥା ତାଙ୍କ ବିଧାୟକମାନଙ୍କୁ ଟଙ୍କା ଦେଇଥିବାର ଉକ୍ତ ଡାଏରିରେ ସେ ଉଲ୍ଲେଖ କରିଛନ୍ତି।

Advertisment

୨୦୨୦ରେ ସଚିନ ପାଇଲଟଙ୍କ ନେତୃତ୍ବାଧୀନ ବିଦ୍ରୋହ ପରେ ସରକାରକୁ ବଞ୍ଚାଇବା ପାଇଁ ଏହି ଟଙ୍କା କାରବାର ହୋଇଥିଲା। ଅନେକ କଂଗ୍ରେସ ବିଧାୟକ, ସ୍ବାଧୀନ ସଦସ୍ୟ ଓ ଅନ୍ୟମାନଙ୍କୁ ଟଙ୍କା ଦିଆଯାଇଥିବା ଉକ୍ତ ଡାଏରିରେ ଉଲ୍ଲେଖ ରହିଛି। ଗୁଧା କହିଛନ୍ତି ଡାଏରିଟି ରାଠୋଡ଼ଙ୍କ ଘରେ ଥିଲା। ତାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିବା ବେଳେ ଡାଏରିଟି ଆୟକର ବିଭାଗ ହାତରେ ପଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଅନୁରୋଧରେ ସେ ତାକୁ ତାଙ୍କ ଘରୁ ନେଇ ଆସିଥିଲେ। ଡାଏରିଟିକୁ ଜାଳିଦେବା ପାଇଁ ମୁଖ୍ୟମନ୍ତ୍ରୀ କୁଆଡ଼େ ତାଙ୍କୁ ଅନୁରୋଧ କରିଥିବା ଗୁଧା ଅଭିଯୋଗ କରିଛନ୍ତି। କଂଗ୍ରେସ ଗୁଧାଙ୍କ ଅଭିଯୋଗକୁ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କହିଛି। କଂଗ୍ରେସ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧଡ଼ିୱାଲ କହିଛନ୍ତି ଗୁଧା ଓ ବିଜେପି ମିଶି ଏପରି ଷଡ଼ଯନ୍ତ୍ର ରଚିଛନ୍ତି।