ଝାଡ଼ଖଣ୍ଡରେ ରାଜନୈତକ ଅନିଶ୍ଚିତତା ଜାରି: ବାବୁଲାଲ ମାରାଣ୍ଡିଙ୍କ ବିଧାୟକ ପଦ ଯାଇପାରେ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତି ରବୀନ୍ଦ୍ରନାଥ ମାହତୋ ଭାରତୀୟ ଜନତା ଦଳ (ବିଜେପି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ବିରୋଧରେ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଚାର ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଘଟଣା ବିଷୟରେ ଜାଣିଥିବା ଲୋକଙ୍କ କହିବା ଅନୁସାରେ ମାରାଣ୍ଡି ତାଙ୍କ ବିଧାୟକ ପଦ ହରାଇପାରନ୍ତି ଏବଂ ଦିନେ ବା ଦୁଇଦିନ ଭିତରେ ଏହା ଉପରେ ରାୟ ଆସିପାରେ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ନିର୍ବାଚନ କମିସନଙ୍କ ସମ୍ଭାବ୍ୟ ସୁପାରିସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମାରାଣ୍ଡିଙ୍କ ପ୍ରସଙ୍ଗରେ ଏଭଳି ଏକ ଖବର ମିଳିଛି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ବାଧୀନ ମେଣ୍ଟ ସରକାର ଅଭିଯୋଗ କରୁଛି ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ସୋରେନଙ୍କ ବିଧାୟକତ୍ବ ଗଲେ ମୁଖ୍ୟମନ୍ତ୍ରୀ ପଦ ବି ଯିବ ଏବଂ ତା’ପରେ ଏହି ପଦ ପାଇଁ ଦୌଡ଼ରେ ଆଗରେ ଅଛନ୍ତି ମାରାଣ୍ଡି।
ଶାସକ ମେଣ୍ଟରେ ଜେଏମ୍‌ଏମ୍‌ର ୩୦ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୧୮ ଏବଂ ଆର୍‌ଜେଡିର ଜଣେ ସଦସ୍ୟ ଅଛନ୍ତି। ବିଜେପିର ବିଧାୟକ ସଂଖ୍ୟା ୨୬। ରାଜନୈତିକ ଅନିଶ୍ଚିତତା ଭିତରେ ଶାସକ ମେଣ୍ଟର ବିଧାୟକମାନେ ମଙ୍ଗଳବାର କଂଗ୍ରେସ ଶାସିତ ଛତିଶଗଡ଼ର ରାୟପୁରରେ ଯାଇ ଅଛନ୍ତି। କାରଣ ସେମାନଙ୍କର ଡର ବିଜେପି ଘୋଡ଼ାବେପାର କରି ତାଙ୍କ ବିଧାୟକଙ୍କୁ ନିଜ ଆଡ଼କୁ ଟାଣିନେଇ ପାରେ। ମାହତୋଙ୍କ କହିବା ଅନୁସାରେ ମାରାଣ୍ଡିଙ୍କ ବିରୋଧରେ ଶୁଣାଣି ଶେଷ ହୋଇଛି ଏବଂ ଅନ୍ୟମାନଙ୍କ ବିରୋଧରେ ରହିଥିବା ଅଭିଯୋଗ ଉପରେ ଗୁରୁବାର ଶୁଣାଣି ହେବ। ମାରାଣ୍ଡିଙ୍କ ଓକିଲ ଆର୍‌ଏନ୍ ସହାୟ କହିଛନ୍ତି, ସାକ୍ଷୀମାନଙ୍କ ସାକ୍ଷ୍ୟର ସତ୍ୟତା ପରୀକ୍ଷା ପାଇଁ ସେମାନଙ୍କ ଆବେଦନକୁ ମାହତୋ ଅଗ୍ରାହ୍ୟ କରିଦେଇଛନ୍ତି। ମାରାଣ୍ଡିଙ୍କ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତାନ୍ତ୍ରିକ) ଆଇନ ଅନୁଯାୟୀ ବିଜେପିରେ ଲୀନ ହୋଇଛି ଏବଂ ‌ଏହା ସେ ପ୍ରମାଣ କରିପାରିବେ ବୋଲି କହିଛନ୍ତି । କିନ୍ତୁ ବାଚସ୍ପତି ମାହତୋ ତାଙ୍କର କୌଣସି ଯୁକ୍ତି ଶୁଣିବା ପାଇଁ ପ୍ରସ୍ତୁତ ନଥିବାରୁ ଏହାକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଛି।

ସମ୍ବନ୍ଧିତ ଖବର