ନୂଆଦିଲ୍ଲୀ: ‘ଦି ଟେଲିଗ୍ରାଫ’ ଏବଂ ‘ଏସିଆନ୍ ଏଜ୍’ର ପୂର୍ବ ସଂପାଦକ ତଥା ବର୍ତ୍ତମାନର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଏବେ ସରକାରଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। କଂଗ୍ରେସ ଆକବରଙ୍କ ଇସ୍ତଫା ଦାବି କରିଥିବା ବେଳେ ଏ ପର୍ଯ୍ୟନ୍ତ ଆକବର କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସଫେଇ ଦିଆଯାଇ ନାହିଁ। ଆଜି ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ମାମଲା ସଂପର୍କରେ ନିଜେ ଆକବର ବୟାନ ଦେବା ହିଁ ଯୁକ୍ତିସଂଗତ ହେବ। ସ୍ମୃତି କହିଛନ୍ତି, ଗଣମାଧ୍ୟମ ମହିଳା ସହକର୍ମୀଙ୍କ ସହିତ ଦୃଢ଼ ଭାବେ ରହିବା ଅତ୍ୟନ୍ତ ପ୍ରଶଂସନୀୟ । ଯେଉଁ ମହିଳାମାନେ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ଏବଂ ଏହା ସେମାନଙ୍କ ଅଧିକାର ବୋଲି ସ୍ମୃତି କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ମଧ୍ୟ ଆକବରଙ୍କ ମାମଲାରେ ତଦନ୍ତ ଜରୁରୀ ବୋଲି କହିଛନ୍ତି। ମି ଠୁ ଆନ୍ଦୋଳନକୁ ସମର୍ଥନ କରି ସେ କହିଛନ୍ତି ଯେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ଆକବର ତଦନ୍ତର ସମ୍ମୁଖୀନ ହେବା ଉଚିତ। ଆରଏସ୍ଏସ୍ ମଧ୍ୟ ଆଜି ‘ମି ଠୁ’ ଆନ୍ଦୋଳନକୁ ସମର୍ଥନ କରି କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନ ମାମଲାରେ ସେମାନଙ୍କୁ ନ୍ୟାୟ ପ୍ରଦାନ ଜରୁରୀ ବୋଲି କହିଛି। ଆରଏସ୍ଏସ୍ର ଯୁଗ୍ମ ସଂପାଦକ ଦତ୍ତାତ୍ରେୟ ହୋସାବଲେ କହିଛନ୍ତି ଯେ ଆମ ସମସ୍ତଙ୍କୁ ମିଠୁ ଅଭିଯାନକୁ ସମର୍ଥନ କରିବାକୁ ହେବ। ମହିଳା ସାମ୍ବାଦିକ ଯେଭଳି ଶୋଷଣର ଶିକାର ହୋଇଛନ୍ତି ତାହାର ଉପଯୁକ୍ତ ବିଚାର ଲୋଡ଼ା ବୋଲି ସେ କହିଛନ୍ତି। ଆକବର ବିଦେଶ ଗସ୍ତରୁ ଫେରିବା ମାତ୍ରେ ତାଙ୍କ ପକ୍ଷ ରଖିବା ସହ ଇସ୍ତଫା ମଧ୍ୟ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।
ବିଦେଶ ଗସ୍ତରୁ ଫେରିଲେ ପକ୍ଷ ରଖିବେ
ଏବେ ବିଦେଶ ଗସ୍ତରେ ଥିବା ଏମ୍୍ଜେ ଆକବର ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ନେଇ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ସେ ଭାରତ ଫେରିବା ପରେ ଏ ବାବଦରେ ନିଜ ପକ୍ଷ ରଖିବେ ବୋଲି ଜଣାପଡ଼ିଛି। ଆରଏସ୍ଏସ୍ ମି ଠୁ ଅଭିଯାନକୁ ସମର୍ଥନ କରି ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସେମାନଙ୍କ ଅଧିକାର ବୋଲି କହିବା ପରେ ସରକାରଙ୍କ ଉପରେ ଚାପ ବଢ଼ିଛି। ଆକବର ରବିବାର ଭାରତ ଫେରିବେ ଏବଂ ସୋମବାର ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ସୁଷମାଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍୍ଜେ ଆକବରଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କୌଣସି ବୟାନ ଦେବାକୁ ମନା କରିବାରୁ କଂଗ୍ରେସ ଏ ନେଇ ପ୍ରଶ୍ନ ଉଠାଇଛି। ନିଜ ମନ୍ତ୍ରୀଙ୍କୁ ନେଇ ସୁଷମାଙ୍କ ଏଭଳି ନିରବତା ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି।
୯ ମହିଳା ସାମ୍ବାଦିକ ଆଣିଥିଲେ ଅଭିଯୋଗ
ପ୍ରାୟ ୯ ଜଣ ମହିଳା ସାମ୍ବାଦିକ କେନ୍ଦ୍ରମନ୍ତ୍ରୀ ଏମ୍୍ଜେ ଆକବରଙ୍କ ବିରୋଧରେ ବିସ୍ତୃତ ଭାବେ ଅଭିଯୋଗ ଆଣିଛନ୍ତି। ଆକବର ତାଙ୍କ ପଦ ଓ କ୍ଷମତାର ବ୍ୟବହାର କରି ମହିଳା ସାମ୍ବାଦିକଙ୍କ ପ୍ରତି ଯୌନ ଦୁର୍ବ୍ୟବହାର କରିଥିଲେ ବୋଲି ସେମାନେ କହିଛନ୍ତି। ଆକବର ସେମାନଙ୍କୁ ନିଜ କ୍ୟାବିନ୍କୁ ଡକାଇ ଅସଦାଚରଣ କରୁଥିଲେ ବୋଲି ସେମାନେ କହିଛନ୍ତି। ସାକ୍ଷାତକାର ନେବା ସମୟରେ ମଧ୍ୟ ଆକବର ଅଶ୍ଳୀଳ କଥାବାର୍ତ୍ତା କରୁଥିଲେ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/mj-akbar.jpg)