ନୂଆଦିଲ୍ଲୀ : ୨୦୧୯ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ରାହୁଲଙ୍କ ପୂର୍ବରୁ ମଧ୍ୟ ଅନେକ ବରିଷ୍ଠ ନେତା ଉଭୟ ଲୋକସଭା ଓ ବିଧାନସଭାରୁ ସେମାନଙ୍କ ସଦସ୍ୟତା ହରାଇଛନ୍ତି। ଉକ୍ତ ନେତାମାନେ ହେଉଛନ୍ତି:
ଲାଲୁ ପ୍ରସାଦ ଯାଦବ: ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସଭାପତି ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୨୦୧୩ ମସିହାରେ ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଲାଲୁ ମୋଟ୍ ୧୧ ବର୍ଷ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ୨୦୧୩ରେ ସୁପ୍ରିମକୋର୍ଟ ସଦସ୍ୟତା ରଦ୍ଦ ସଂକ୍ରାନ୍ତରେ ଦେଇଥିବା ରାୟ ପରେ ପ୍ରଥମ ଥର ପାଇଁ ଲାଲୁଙ୍କ ସଦସ୍ୟତା ରଦ୍ଦ ହୋଇଥିଲା।
ଜେ ଜୟଲଳିତା: ୨୦୧୪ରେ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା କ୍ଷମତାରେ ଥିବା ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟଲଳିତା ଦୋଷୀସାବ୍ୟସ୍ତ ହେବାପରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା।
ରସିଦ ମସୁଦ : ୨୦୧୩ରେ କଂଗ୍ରେସର ରାଜ୍ୟସଭା ସଦସ୍ୟ ରସିଦ ମସୁଦ ସଂସଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଏବଂ ମେଡିକାଲ କଲେଜରେ ସିଟ୍ ଆବଣ୍ଟନରେ ଜାଲିଆତି ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବାପରେ ମସୁଦ ରାଜ୍ୟସଭା ସଦସ୍ୟତା ହରାଇଥିଲେ। ରାଜ୍ୟସଭାରୁ ଅଯୋଗ୍ୟ ଘୋଷିତ ହେବାରେ ସେ ପ୍ରଥମ।
ଆଜମ ଖାନ୍ : ୨୦୧୯ ମସିହାର ଏକ ଘୃଣା ଭାଷଣ ମାମଲାରେ ଉତ୍ତରପ୍ରଦେଶ କୋର୍ଟ ୨୦୨୨ ଅକ୍ଟୋବରରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ରାମପୁର ବିଧାୟକ ଆଜମ ଖାନ୍ଙ୍କୁ ୩ ବର୍ଷ କାରାଦଣ୍ଡ ଦେଇଥିଲେ। ଏହାପରେ ସେ ରାଜ୍ୟ ବିଧାନସଭାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଏବଂ ନିର୍ବାଚନ କମିସନ୍ ରାମପୁର ଆସନରେ ଉପନିର୍ବାଚନ ପାଇଁ ଘୋଷଣା କରିଥିଲେ।
ଅବଦୁଲ୍ଲା ଆଜମ ଖାନ୍: ୨୦୨୩ ଫେବ୍ରୁଆରିରେ ଆଜମ ଖାନ୍ଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମ ଖାନ୍ ଉତ୍ତରପ୍ରଦେଶ ବିଧାନସଭାରୁ ଦ୍ବିତୀୟ ଥର ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ। ମୋରାଦାବାଦରେ ଏକ ରାସ୍ତା ବନ୍ଦ କରିଥିବା ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ହେବାପରେ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହା ପୂର୍ବରୁ ୨୦୨୦ରେ ମଧ୍ୟ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ।