କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ରାଜନୈତିକ ହତ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟିଏମ୍ସି ନେତା ଦୁଲାଲ୍ଙ୍କୁ ଆଜି ଦୁର୍ବୃତ୍ତମାନେ ଅତି ନିକଟରୁ ଗୁଳିକରି ହତ୍ୟା କରିଛନ୍ତି। ବାବ୍ଲା ସରକାର ଭାବେ ଜଣାଶୁଣା ଦୁଲାଲ୍ ଇଂଲିସବଜାର ପୌରପାଳିକାର ୱାର୍ଡ ୨୨ର ଜଣେ କାଉନସିଲର। ମିଳିଥିବା ସୂଚନାନୁଯାୟୀ, ଦୁଲାଲ୍ ଆଜି ସ୍ଥାନୀୟ ଟିଏମ୍ସି ଅଫିସରୁ ତାଙ୍କର ଏକ ଫ୍ୟାକ୍ଟ୍ରିକୁ ଯାଉଥିବାବେଳେ ରାସ୍ତାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ୨ଟି ମୋଟର ସାଇକେଲ୍ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ପଛରୁ ୪ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଦୁଲାଲ୍ଙ୍କ ଦେହରେ ୩ଟି ଗୁଳି ବାଜିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଲାଲ୍ଙ୍କ ମୃତ୍ୟୁରେ ପ୍ରତିକ୍ରିୟା ରଖି ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ମୋର ଜଣେ ଘନିଷ୍ଠ ସହଯୋଗୀ ଏବଂ ଲୋକପ୍ରିୟ ନେତା ବାବ୍ଲା ସରକାରଙ୍କୁ ଆଜି ହତ୍ୟା କରାଯାଇଛି। ଦଳ ପ୍ରତିଷ୍ଠା ହେବାଠାରୁ ସେ ଦଳ ପାଇଁ ଅତି କଠିନ ପରିଶ୍ରମ କରି ଆସିଛନ୍ତି ବୋଲି ମମତା କହିବା ସହ ପୀଡ଼ିତ ପରିବାରକୁ ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ପୁଲିସ ହତ୍ୟାକାରୀମାନଙ୍କୁ ଠାବ କରିବା ପାଇଁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ତଲାସୀ ଚଳାଇଛି। ଏହି ହତ୍ୟାକାଣ୍ଡକୁ ନେଇ ଇଂଲିସ ବଜାର ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଗୁଳିମାଡ଼ରୁ ବର୍ତ୍ତିଲେ ବିଜେପି ବିଧାୟକ
ଲକ୍ଷ୍ମୀପୁରଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାର କାସ୍ତା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସୌରଭ ସିଂହ ଆତତାୟୀଙ୍କ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତରାତିରେ ଦୁଇ ଜଣ ଦୁର୍ବୃତ୍ତ ବିଧାୟକଙ୍କ ଘର ନିକଟରେ ହିଁ ତାଙ୍କ ଉପରକୁ ଦୁଇ ରାଉଣ୍ଡ୍ ଗୁଳି ଚଳାଇଥିଲେ। ତେବେ ଏହି ଗୁଳି ବିଧାୟକଙ୍କୁ ବାଜି ନଥିବାରୁ ତାଙ୍କ ଜୀବନ ରକ୍ଷା ହୋଇଛି। ଲକ୍ଷ୍ମୀପୁରଖେରୀ ଅନ୍ତର୍ଗତ ଶିବକଲୋନୀସ୍ଥିତ ବିଧାୟକ ବାସଭବନ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ବିଧାୟକଙ୍କ କହିବାନୁସାରେ, ସେ ରାତ୍ରିଭୋଜନ ପରେ ବାହାରକୁ ବୁଲିବାକୁ ଯାଇଥିଲେ। ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ କେତେକ ବ୍ୟକ୍ତି ରାସ୍ତା ଉପରେ ଠିଆ ହୋଇ ମଦ ପିଉଥିଲେ। ରାସ୍ତା ଉପରେ ମଦ ପିଇବା ଘଟଣାରେ ବିଧାୟକ ସେମାନଙ୍କୁ ତାଗିଦ୍ କରିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ହଠାତ୍ ପିସ୍ତଲ ବାହାର କରି ଦୁଇ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଏକ ମୋଟରସାଇକଲରେ ଫେରାର ହୋଇଯାଇଥିଲେ। ବିଧାୟକ କହିଛନ୍ତି, ତାଙ୍କୁ ହତ୍ୟା କରିବାକୁ ଯୋଜନା କରି ଦୁର୍ବୃତ୍ତମାନେ ତାଙ୍କ ଘର ପାଖରେ ଠୁଳ ହୋଇଥିଲେ। ପୁଲିସ ଆଖପାଖର ସିସିଟିଭି ଫୁଟେଜ୍ ହାସଲ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/03/GVnCPPTxSv0mD3Yt49md.jpg)