କୃଷି ଆଇନ ପ୍ରତ୍ୟାହାର ନେଇ ରାଜନେତାଙ୍କ ପ୍ରତିକ୍ରିୟା

କଂଗ୍ରେସ
କୃଷକଙ୍କ ପାଇଁ ଏହା ଏକ ଐତିହାସିକ ବିଜୟ। ଅହଙ୍କାର ହାରିଛି। ଦେଶର କୃଷକମାନେ ଜିତିଛନ୍ତି। କଂଗ୍ରେସ କୃଷକମାନଙ୍କ ସହ ସବୁବେଳେ ରହିବ। ଅନ୍ନଦାତାଙ୍କ ସାହସ ଏବଂ ଦୃଢପ୍ରତିବଦ୍ଧତାକୁ ସାଲ୍ୟୁଟ୍‌।

ଅମିତ ଶାହ, କେନ୍ଦ୍ର ଗୃହ ମନ୍ତ୍ରୀ
କୃଷି ଆଇନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଘୋଷଣାକୁ ସ୍ବାଗତ କରୁଛି। ମୋଦୀ ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଲଗାତାର ଭାବେ କୃଷକଙ୍କ ସେବାରେ ନି‌‌ୟୋଜିତ ହେବେ ଏବଂ ସେମାନଙ୍କ ପ୍ରୟାସକୁ ସବୁ ପ୍ରକାର ସମର୍ଥନ କରିବେ। ଗୁରୁ ପର୍ବ ଭଳି ଗୁରୁତ୍ବପୂର୍ଣ୍ଣ ଦିନରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ପ୍ରତି ଭାରତୀୟଙ୍କ ମଙ୍ଗଳ ବ୍ୟତୀତ ଏଥିରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ।

ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷି ମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛି। କିନ୍ତୁ କୃଷକମାନଙ୍କୁ ବୁଝାଇବାରେ ସରକାର ବିଫଳ ହୋଇଥିବାରୁ ଏହା ଖୁବ୍‌ ଦୁଃଖ ଦେଇଛି। କୃଷକମାନଙ୍କ ସଂଘର୍ଷ ଦୂର କରିବାପାଇଁ ସରକାର ଏହି ଆଇନ ଆଣିଥିଲେ। ଏହା କୃଷକଙ୍କର ଉନ୍ନତି ସାଧନ କରିଥାନ୍ତା। କୃଷକଙ୍କ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ହିଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା।

ସୋନିଆ ଗାନ୍ଧି, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା
ନ୍ୟାୟ ପାଇଁ ସଂଘର୍ଷ କରି ପ୍ରାଣ ହରାଇଥିବା ୭୦୦ କୃଷକଙ୍କ ତ୍ୟାଗର ମୂଲ୍ୟ ଆଜି ମିଳିଛି। ଆଜି ସତ୍ୟ, ନ୍ୟାୟ ଏବଂ ଅହିଂସାର ବିଜୟ ହୋଇଛି। କ୍ଷମତାରେ ଥିବା ଲୋକମାନେ କୃଷକ ଏବଂ ଶ୍ରମିକଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର କରିଥି‌ଲେ ଆଜି ସେମାନେ ହାରି ଯାଇଛନ୍ତି। ଏଥିସହ ଏକଛତ୍ରବାଦ ଶାସକଙ୍କ ଅହଙ୍କାର ବି ଭାଙ୍ଗିଛି। ଅନ୍ନଦାତା ଜିତିଛନ୍ତି। ଜୀବିକା ଏବଂ କୃଷିକୁ ଆକ୍ରମଣ ପାଇଁ ହୋଇଥିବା ଷଡ଼ଯନ୍ତ୍ର ବିଫଳ ହୋଇଛି। ଗଣତନ୍ତ୍ରରେ ଯେକୌଣସି ନିଷ୍ପତ୍ତି ପ୍ରତିଟି ପକ୍ଷ ଏବଂ ବିରୋଧୀଙ୍କ ସହ ଆଲୋଚନା ପରେ ହୋଇଥାଏ। ମୁଁ ଆଶା କରୁଛି ଯେ, ମୋଦୀ ସରକାର ଭବିଷ୍ୟତ ପାଇଁ କିଛି ଶିକ୍ଷା ଗ୍ରହଣ କରିଥିବେ।

ଯୋଗୀ ଆଦିତ୍ୟନାଥ, ୟୁପି ମୁଖ୍ୟମନ୍ତ୍ରୀ
କୃଷି ଆଇନ ପ୍ରତ୍ୟାହାରକୁ ସ୍ବାଗତ କରୁଛି। ସରକାରଙ୍କ ବଳିଷ୍ଠ ଉଦ୍ୟମ ସତ୍ତ୍ବେ କୃଷକଙ୍କୁ ବୁଝାଇବାରେ ବିଫଳ ହେବା ଖୁବ୍‌ ଦୁଃଖଦାୟକ। ପ୍ରତି ସ୍ତରରେ ସରକାର କୃଷକଙ୍କ ସହ କଥାବାର୍ତ୍ତା ପାଇଁ ଚେଷ୍ଟା କରିଛନ୍ତି। ଗୋଟିଏ ଗୋଷ୍ଠୀଙ୍କୁ ବୁଝାଇବାରେ ଆମେ ସମର୍ଥ ହେଲୁନାହିଁ। ନୂଆ କୃଷି ଆଇନ ଦେଶର କୃଷି କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତା ସେହି କଥା ସେମାନଙ୍କୁ ବୁଝାଇବାରେ ଆମେ ବିଫଳ ହୋଇଛୁ। ଅନେକ ସଂଖ୍ୟାରେ କୃଷକ ଏହି ଆଇନକୁ ସମର୍ଥନ କରୁଥିଲେ। କିନ୍ତୁ ମାତ୍ର ଅଳ୍ପ କିଛି କୃଷକଙ୍କ ପାଇଁ ଏହି ଆଇନ ପ୍ରତ୍ୟାହାର ହେଲା।

ଅମରିନ୍ଦର ସିଂହ, ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ
କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ କୃତଜ୍ଞ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗିଲେ। କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ। ଏହା ପରେ ବି କୃଷକମାନେ ଆନ୍ଦୋଳନ ଜାରି ରଖିବାର ଅର୍ଥ କ’ଣ। ଆଉ ମାତ୍ର ୧୦ ଦିନ ପରେ ସଂସଦରେ ବିଲ୍‌ ଆସିବ ଏବଂ କୃଷି ଆଇନ ଉଚ୍ଛେଦ ହେବ। ଏହାପରେ ସମସ୍ୟାର ଅନ୍ତ ଘଟିବ। ତେଣୁ ଏବେ ଆନ୍ଦୋଳନରେ ଜାରି ରଖିଥିବା ନିରର୍ଥକ।

ରାହୁଲ ଗାନ୍ଧି, କ‌ଂଗ୍ରେସ ନେତା
ଅନ୍ୟାୟ ବିରୋଧରେ ବିଜୟ ପାଇଁ କୃଷକଙ୍କୁ ଶୁଭେଚ୍ଛା‌ ଜଣାଉଛି। ଦେଶର ଅନ୍ନଦାତାମାନେ ସେମାନଙ୍କ ସତ୍ୟାଗ୍ରହ ଦ୍ବାରା ଅହଙ୍କାରର ମୁଣ୍ଡ ନୁଆଁଇ ଦେଇଛନ୍ତି।

ଅରବିନ୍ଦ କେଜ୍ରିୱାଲ୍‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ
କୃଷି ଆଇନ ପ୍ରତ୍ୟାହାର କେବଳ କୃଷକମାନଙ୍କର ବିଜୟ ନୁହେଁ, ଏହା ଗଣତନ୍ତ୍ରର ବିଜୟ। ଦେଶରେ ଚାଷକୁ ବଞ୍ଚାଇ ରଖିବାପାଇଁ କୃଷକମାନେ ଯେଉଁ ସଂଘର୍ଷ କରିଛନ୍ତି ତାକୁ ପିଢ଼ି ପିଢ଼ି ଧରି ଲୋକ ମନେ ରଖିବେ। କୃଷକଙ୍କ ନିକଟରେ ମୁଁ ମୁଣ୍ଡ ନୁଆଁଉଛି। ଏହି ବିଜୟରୁ ଜଣାପଡ଼ୁଛି ଯେ, ଯେକୌଣସି ଦଳ ହୁଅନ୍ତୁ କିମ୍ବା ନେତା, ‌ଲୋକମାନଙ୍କ ପାଖରେ ଅହଙ୍କାର କେବେ ତିଷ୍ଠି ରହିବନି । ଯଦି କୃଷି ଆଇନ ଆଗରୁ ଉଚ୍ଛେଦ ହୋଇଥାନ୍ତା ତେବେ ୭୦୦ରୁ ଅଧିକ କୃଷକଙ୍କ ଜୀବନ ବଞ୍ଚି ଯାଇଥାନ୍ତା।

ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦିକା
ଆଗାମୀ ନିର୍ବାଚନରେ ପରାଜୟ ସଂକ୍ରାନ୍ତରେ ଜାଣିପାରି ମୋଦୀ ହଠାତ୍‌ ହୃଦ୍‌ବୋଧ କଲେ ଯେ, ଦେଶ କୃଷକଙ୍କ ଦ୍ବାରା ନିର୍ମାଣ ହୋଇଛି। ୬୦୦ କୃଷକ ପ୍ରାଣ ହରାଇଲେଣି ଏବଂ ୩୫୦ ଦିନରୁ ଊର୍ଦ୍ଧ୍ବ ସମୟ ଧରି ସଂଘର୍ଷ ହୋଇଛି। ମୋଦୀଙ୍କ ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗାଡ଼ି ମଡ଼ାଇ ମାରିଦେଲେ। କିନ୍ତୁ ଏଥିପ୍ରତି କାହାରି ଖାତିର ନଥିଲା।

ପି ଚିଦମ୍ବରମ, ବରିଷ୍ଠ କଂଗ୍ରେସ ନେତା
ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ବାରା ଯାହା ହାସଲ ହୋଇପାରିଲାନି, ତାହା ଆଗାମୀ ନିର୍ବାଚନ ଭୟରେ ହୋଇପାରିଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଘୋଷଣା, ନୀତିରେ ପରିବର୍ତ୍ତନ ପାଇଁ ହୋଇନାହିଁ ଏହା କେବଳ ଆଗାମୀ ନିର୍ବାଚନ ଭୟରେ ହିଁ ହୋଇଛି।

ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ପ୍ରତି କୃଷକଙ୍କୁ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି। ଲଗାତାର ଭାବେ କୃଷକମାନେ ଲଢ଼େଇ ଜାରି ରଖିଛନ୍ତି। ଏହା କୃଷକଙ୍କ ବିଜୟ। ଏହି ଲଢ଼େଇରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ସମ୍ପର୍କୀୟଙ୍କୁ ମୋର ଗଭୀର ସମବେଦନା।

ଅଖିଳେଶ ଯାଦବ, ସପା ସୁପ୍ରିମୋ
କୃଷକଙ୍କ ଉଦ୍ୟମର ମୂଲ୍ୟ ମିଳିଛି। ଏହା ଅହଙ୍କାରର ପରାଜୟ ଏବଂ କୃଷକମାନଙ୍କର ବିଜୟ। ଆଗାମୀ ନିର୍ବାଚନରେ ଲୋକ ସେମାନଙ୍କୁ (ବିଜେପି)କୁ କ୍ଷମା କରିବେନି। ଏହି ମିଥ୍ୟା କ୍ଷମା କିଛି କାମ ଦେବନି। ଯିଏ କ୍ଷମା ମାଗୁଛି ସିଏ ରାଜନୀତିରୁ ସମ୍ପୂର୍ଣ୍ଣ ଅବସର ନେଇଯିବା ଉଚିତ ବୋଲି ଅଖିଳେଶ କହିଛନ୍ତି।

ଶରଦ ପାୱାର, ଏନ୍‌ସିପି ସୁପ୍ରିମୋ
କୃଷକଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ମୋଦୀଙ୍କ ପଦକ୍ଷେପକୁ ସ୍ବାଗତ କରୁଛି। ଉତ୍ତରପ୍ରଦେଶ ଏବଂ ପଂଜାବରେ ଆଗକୁ ନିର୍ବାଚନ ଥିବାବେଳେ ଏଥିପାଇଁ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି।

ଓମାର ଅବଦୁଲ୍ଲା
ଉପନିର୍ବାଚନରେ ଯେଉଁ ଝଟ୍‌କା ମିଳିଛି ଏହାର ଫଳ ସ୍ବରୁପ ସରକାରଙ୍କର ଏହି ନିଷ୍ପତ୍ତି ଆସିଛି।

ଗୁଲାମ ନବୀ ଆଜାଦ, ପୂର୍ବ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ
ପ୍ରବଳ ବିରୋଧ ସତ୍ତ୍ବେ ସଂସଦରେ ଏହି ବିଲ୍‌ ଗୃହୀତ ନ ହୋଇଥିଲେ ଭଲ ହୋଇଥାନ୍ତା। ଏହାଦ୍ବାରା ଆନ୍ଦୋଳନ ହୋଇନଥାନ୍ତା ଏବଂ ଅନେକ ଜୀବନ ବି ବଞ୍ଚିଯାଇଥାନ୍ତା। କୃଷକଙ୍କର ଅନେକ ଦାବି ଅଛି। ସରକାର ସେମାନଙ୍କ ସହ କଥା ହେବା ଉଚିତ ନଚେତ ଆଗକୁ ଆହୁରି ବିବାଦ ହେବ।

ସମ୍ବନ୍ଧିତ ଖବର