ବିବିସି ସିରିଜ୍‌ ନେଇ ରାଜନୀତି ସରଗରମ୍‌: ବିଜେପି କହିଲା ‘ରାଜଦ୍ରୋହ’

କେରଳରେ ସିପିଏମ୍‌, କଂଗ୍ରେସ ବିବିସି ସିରିଜ୍ ପ୍ରଦର୍ଶନ କରୁଛନ୍ତି

ତିରୁଅନନ୍ତପୁରମ୍: କେରଳର ସପିଏମ୍‌ ଏବଂ କଂଗ୍ରେସର କେତେକ ଗୋ‌ଷ୍ଠୀ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବିସି ଦ୍ବାରା ପ୍ରସ୍ତୁତ ଡକୁମେଣ୍ଟାରି ‘ଇଣ୍ଡିଆ: ଦ ମୋଦୀ କୋଶ୍ଚିନ୍’କୁ ପ୍ରଦର୍ଶନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏହାପରେ ବିଜେପି ଏହାକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ହସ୍ତକ୍ଷେପ ଦାବି କରିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ସିପିଆଇଏମ୍‌ର ଯୁବଶାଖା ଡିୱାଇଏଫ୍‌ଆଇ ଏହାର ଫେସ୍‌ବୁକ୍ ପେଜ୍‌ରେ ଡକୁମେଣ୍ଟାରି ପ୍ରଦର୍ଶନ କରିବ ବୋଲି ଘୋଷଣା କରି ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଏହାପରେ ସିପିଆଇଏମ୍‌ ସହ ସମ୍ପୃକ୍ତ ଆଉ ଏକ ଛାତ୍ରସଂଘ ଏସ୍‌ଏଫ୍‌ଆଇ ମଧ୍ୟ ଅନୁରୂପ ଘୋଷଣା କରିଛି। ଯୁବ କଂଗ୍ରେସ ସମେତ କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି)ର ବିଭିନ୍ନ ଶାଖା ମଧ୍ୟ ସମାନ ଘୋଷଣା କରିଛନ୍ତି। କେପିସିସିର ସଂଖ୍ୟାଲଘୁ ସେଲ୍ କହିଛି ଯେ ସେମାନେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ମୋଦୀ-ବିରୋଧୀ ଡକୁମେଣ୍ଟାରି ପ୍ରଦର୍ଶନ କରିବେ। ଏର୍ଣ୍ଣାକୁଲମରେ କଂ‌ଗ୍ରେସ ପକ୍ଷରୁ ଏହି ସିରିଜ ପ୍ରଦର୍ଶନ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ଅଣ-ବିଜେପି ରାଜନୈତିକ ଗୋଷ୍ଠୀଗୁଡ଼ିକର ଏ ପ୍ରକାର ନିଷ୍ପତ୍ତିକୁ ବିଜେପି ରାଜଦ୍ରୋହ ବୋଲି ଅଭିହିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି।

ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରନ୍ କହିଛନ୍ତି, ଭାରତରେ ସାମ୍ପ୍ରଦାୟିକ ସଦ୍‌ଭାବ ଓ ଅଖଣ୍ଡତା ନଷ୍ଟ କରିବା ପାଇଁ ଏହି ଡକୁମେଣ୍ଟାରି ହେଉଛି ବିଦେଶୀ ଷଡ଼୍‌ଯନ୍ତ୍ର। ସେଥିପାଇଁ ଏହାକୁ ଭାରତରେ ନିଷିଦ୍ଧ କରାଯାଇଛି, ‌ତା’ ସତ୍ତ୍ବେ ଯେଉଁମାନେ ଏହାକୁ ଭାରତରେ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି, ସେମାନଙ୍କର ଏହି କାର୍ଯ୍ୟ ଦେଶଦ୍ରୋହ ଓ ରାଜଦ୍ରୋହଠାରୁ କମ୍ ନୁହେଁ। ଦୁଇ ଦଶନ୍ଧି ତଳର ଘଟଣାକୁ ନେଇ ଦେଶରେ ଧାର୍ମିକ ଉତ୍ତେଜନା ବୃଦ୍ଧି କରିବାର ଚେଷ୍ଟାକୁ ସେ ନିନ୍ଦା କରିଛନ୍ତି। ରାଜନୈତିକ ସ୍ବାର୍ଥ ପାଇଁ ସିପିଏମ୍‌ ଓ କଂଗ୍ରେସ ଦେଶବିରୋଧୀ କାର୍ଯ୍ୟ କରୁଥିବା ବିଜେପି କହିଛି।

ସମ୍ବନ୍ଧିତ ଖବର