ନୂଆଦିଲ୍ଲୀ: ଗୋଟିଏ ପଟେ ମଣିପୁର ହିଂସା ଥମି ନଥିବାବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ନାନା ଗୁଜବ ଓ ମିଥ୍ୟା ଭିଡ଼ିଓ ପ୍ରସାର ହେଉଥିବାରୁ ଏହାକୁ ନେଇ କୁକି ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ହିଂସା ବଢ଼ୁଛି। ଶତାଧିକ ମିଥ୍ୟା ଭିଡ଼ିଓ ଘୂରି ବୁଲୁଥିବାରୁ ଏହା ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ବଢ଼ାଉଛି ବୋଲି ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଆଜି ଇମ୍ଫାଲରେ ପହଞ୍ଚିଛନ୍ତି। ତାଙ୍କ ମଣିପୁର ଗସ୍ତକୁ ସ୍ଥଗିତ ରଖିବା ଏବଂ ଉତ୍ତେଜନା ବୃଦ୍ଧି କଲାଭଳି କାମରୁ ଦୂରେଇ ରହିବା ପାଇଁ ଏନ ବୀରେନ ସିଂହ ସରକାର କହିବାର ଦିନକ ପରେ ସେ ରାଜଧାନୀ ଇମ୍ଫାଲରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମାଲିୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି। ଏଥିସହିତ ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମଧ୍ୟ ଭେଟିବାକୁ ଚାହେ। ସେମାନେ ଆଇନଗତ ସହାୟତା, ପରାମର୍ଶ ଏବଂ କ୍ଷତିପୂରଣ ଆଦି ପାଇଛନ୍ତି କି ନାହିଁ ତାହା ପଚାରି ବୁଝିବି। ମୁଁ ମଣିପୁରର ଲୋକଙ୍କୁ ସାହାଯ୍ୟ କରିବାକୁ ଆସିଛି। ରାଜନୀତି କରିବାକୁ ଆସିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମହଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଣିପୁର ଗସ୍ତରେ ଆସନ୍ତୁ ବୋଲି ସେ କହିଛନ୍ତି।
ଗୁଜବ, ମିଥ୍ୟା ଭିଡ଼ିଓ ଯୋଗୁଁ ହିଂସା ବଢ଼ୁଛି
ଇମ୍ଫାଲରେ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା
କଂଗ୍ରେସ ସରକାରର ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀକଲେ ଆସାମ ମୁଖ୍ୟମନ୍ତ୍ରୀ
ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମଣିପୁରରେ ଆଜି ଯେଉଁ ହିଂସା ଉପୁଜିଛି ତାହାର ମୂଳ ପୂର୍ବର କଂଗ୍ରେସ ଶାସନ ଅମଳର ତ୍ରୁଟିପୂର୍ଣ୍ଣ ରାଜନୀତି। ମଣିପୁରରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଯେଉଁ ସଂଘର୍ଷ ଉପୁଜିଛି ତାହା ରାଜ୍ୟ ଗଠନ ବେଳର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ହୋଇଛି। ୭ ଦଶନ୍ଧିର ଖରାପ ଶାସନ ବେଳେ ହୋଇଥିବା ତ୍ରୁଟିକୁ ସଜାଡ଼ିବା ଲାଗି ସମୟ ଆବଶ୍ୟକ ବୋଲି ବିଶ୍ବ ଶର୍ମା ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ ମଣିପୁର ଏକ ବନ୍ଦ ରାଜଧାନୀରେ ପରିଣତ ହୋଇଥିଲା ବୋଲି ସେ ମତ ଦେଇଛନ୍ତି।
ସେହିଭଳି ବିଜେପିର ତାମିଲନାଡ଼ୁ ମୁଖ୍ୟ କେ ଆନ୍ନାମଲାଇ କହିଛନ୍ତି, ମଣିପୁର ଏକ ଜଟିଳ ରାଜ୍ୟ। ଆମେ ଯେଉଁ ଭିଡିଓ ଦେଖିଛୁ ତାହା ଅତ୍ୟନ୍ତ ଲଜ୍ଜାଜନକ। ଗଣତାନ୍ତ୍ରିକ ସମାଜରେ ତାହାର କୌଣସି ସ୍ଥାନ ନାହିଁ। ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୬ ଜଣ ଲୋକଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ସମାନ ଘଟଣା ଦେଖିବାକୁ ମିଳିଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ କାହିଁକି ସେ ପ୍ରସଙ୍ଗରେ ଆଲୋଚନା କରୁନାହାନ୍ତି ବୋଲି କହିଛନ୍ତି। ସେହିଭଳି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ମହିଳାଙ୍କ ବିରୋଧରେ ଆକ୍ରମଣ ନିଶ୍ଚିତଭାବେ ବେଦନାଦାୟକ। ଆଇନ ଶୃଙ୍ଖଳା ରାଜ୍ୟ ପ୍ରସଙ୍ଗ। ରାଜ୍ୟ ସରକାର ମହିଳାଙ୍କ ବିରୋଧରେ ଅପରାଧ ହ୍ରାସର ଦାୟିତ୍ବ ନେବା ଆବଶ୍ୟକ। ବିରୋଧୀମାନେ ସଂସଦରେ ଆଲୋଚନାରୁ ଦୂରେଇ ନରହିବାକୁ ସେ ନିବେଦନ କରିଛନ୍ତି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ରାଜନୀତି ନକରିବାକୁ ସେ କହିଛନ୍ତି।