ପିଏମ୍‌ଓର ସ୍ପଷ୍ଟୀକରଣ: ଅଯଥା ବିବାଦ ସୃଷ୍ଟି କରାଯାଉଛି

ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ତେଜିଲା

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମା ବିବାଦ ନେଇ ସର୍ବଦଳୀୟ ବୈଠକରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀକୁ ନେଇ ବିରୋଧୀ ଦଳ ନେତାମାନେ ଯେଉଁ ପ୍ରଶ୍ନ କରିଛନ୍ତି ସେନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଦେଇଥିବା ଟିପ୍ପଣୀର ଭୁଲ୍‌ ଅର୍ଥ ବାହାର କରାଯାଇଛି ଏବଂ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ‌ସୀମାକୁ ଚୀନ୍‌ ସୈନ୍ୟ ପଶି ନାହାନ୍ତି କି ଭାରତର କୌଣସି ଘାଟି ଦଖଲ କରିନାହାନ୍ତି। ତେବେ ଏହାକୁ ନେଇ ବିବାଦ ଉପୁଜିଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି। ଆଜି ପିଏମ୍‌ଓ ପକ୍ଷରୁ କୁହାଯାଇଛି- ‘ଏଲ୍‌ଏସି ଅତିକ୍ରମଣ ପ୍ରସଙ୍ଗରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏଲ୍‌ଏସି ନିକଟରେ ଚୀନ୍‌ ପକ୍ଷରୁ ନିର୍ମାଣ କାର୍ଯ୍ୟ କରିବାକୁ ଚେଷ୍ଟା କରାଯାଇଥିଲା ଏବଂ ଭାରତ ଏହାର ବିରୋଧ କରିଥିଲେ ମଧ୍ୟ ଚୀନ୍‌ ନିଜ କାର୍ଯ୍ୟରୁ ନିବୃତ୍ତ ହେବାକୁ ରାଜିନଥିଲା। ତେଣୁ ଜୁନ୍‌ ୧୫ ରାତିରେ ଗଲ୍‌ୱାନ୍‌ ଘାଟିରେ ସଂଘର୍ଷ ଉପୁଜିଲା।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି ଯେ, ଚୀନ୍‌ର ଅତିକ୍ରମଣ ଉଦ୍ୟମର ଭାରତ କଡ଼ା ଜବାବ ଦେଇଛି। ଅତୀତରେ ଏଭଳି ଚ୍ୟାଲେଂଜକୁ ଭଲଭାବେ ସାମ୍ନା କରାଯାଇନି। କିନ୍ତୁ ଏବେ ଭାରତୀୟ ସୈନ୍ୟବାହିନୀ ଏଲ୍‌ଏସି ନିକଟରେ ସବୁପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ଏଲ୍‌ଏସିରେ କୌଣସି ପ୍ରକାର ଉଲ୍ଲଂଘନ ହେଲେ ଏହାକୁ ଦୃଢ଼ଭାବେ ରୋକାଯିବ । ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଯେଉଁ ମନ୍ତବ୍ୟ ରଖିଥିଲେ ତାହାର ଅର୍ଥ ହେଉଛି ଭାରତର ବୀର ଯବାନମାନେ ଏଲ୍‌ଏସିରେ ପ୍ରାଣବଳି ଦେଇ ଏବଂ ନିଜର ସାହସିକତା ବଳରେ ଚୀନ୍‌ର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି ଏବଂ ଚୀନ୍‌ର ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ସର୍ବଦଳୀୟ ବୈଠକରେ ମୋଦୀଙ୍କର ବୟାନ ପାଇଁ କଂଗ୍ରେସଠାରୁ ଆରମ୍ଭ କରି ରଣନୀତିକ ବ୍ୟାପାର ବିଶେଷଜ୍ଞମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି , ଯଦି ଚିନ୍‌ ସେନା ସୀମା ଅତିକ୍ରମଣ କରିନି ତେବେ ଭାରତୀୟ ଯବାନ ସହିଦ ହେଲେ କେମିତି।

ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ
ଯବାନ କାହିଁକି ଓ କେମିତି ସହିଦ ହେଲେ?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଗତକାଲି ସର୍ବଦଳୀୟ ବୈଠକରେ ସମସ୍ତଙ୍କୁ ଚମକାଇ ଦେବାଭଳି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ। ଭାରତୀୟ ସୀମାରେ ଚୀନ୍‌ ସୈନ୍ୟ ପଶିନାହାନ୍ତି କି ସେମାନେ ଭାରତର କୌଣସି ଘାଟିକୁ ମଧ୍ୟ ଦଖଲ କରିନାହାନ୍ତି ବୋଲି ମୋଦୀ କହିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଟିପ୍ପଣୀକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଟିପ୍ପଣୀକୁ ଆଧାର କରି ସିଧାସଳଖ ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଏକ ଟ୍ବିଟ୍‌ ମାଧ୍ୟମରେ ଆଜି ସରକାରଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି, ଚୀନ୍‌ ଆକ୍ରୋଶରେ ପ୍ରଧାନମନ୍ତ୍ରୀ ଭାରତର ଅଞ୍ଚଳକୁ ଆତ୍ମସମର୍ପଣ କରିଦେଇଛନ୍ତି। ଏହି ଜମି କ’ଣ ଚୀନ୍‌ର। କାହିଁକି ଆମ ଯବାନମାନେ ସହିଦ ହେଲେ ଏବଂ କେମିତି ସହିଦ ହେଲେ ବୋଲି ରାହୁଲ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ‌

ରାହୁଲ ଶସ୍ତା ରାଜନୀତିରୁ ଊର୍ଦ୍ଧ୍ବକୁ ଉଠନ୍ତୁ
ନୂଆଦିଲ୍ଲୀ: ଲଦାଖ୍‌ରେ ସଂଘର୍ଷ ପରେ ଭାରତ-ଚୀନ୍‌ ସୀମାରେ ଯେଉଁ ସ୍ଥିତି ଲାଗି ରହିଛି ସେନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି। ରାହୁଲ ଶସ୍ତା ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିବା ଉଚିତ୍‌ ବୋଲି ଶାହ କହିଛନ୍ତି। ଲଦାଖ୍‌ ସଂଘର୍ଷରେ ଆହତ ହୋଇଥିବା ଜଣେ ଭାରତୀୟ ଯବାନଙ୍କ ପିତା ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ରାଜନୀତି ନ କରିବାପାଇଁ ଉପଦେଶ ଦେଇ ଏକ ଭିଡିଓ ବାର୍ତ୍ତା‌ ଜାରି କରିଥିବା ବେଳେ ଶାହ ଯବାନଙ୍କ ପିତାଙ୍କ ଏକ ଭିଡିଓ ଟ୍ବିଟ୍‌ କରିଛନ୍ତି। ଭିଡିଓଟିକୁ ଟ୍ବିଟ୍‌ କରି ଶାହ କହିଛନ୍ତି, ଜଣେ ସାହସୀ ସେନା ଯବାନଙ୍କ ବାପା ଏ ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଯେଉଁ ସମୟରେ ସମଗ୍ର ଦେଶ ଏକଜୁଟ୍‌ ହୋଇଛି । ଆଜି ଜଣେ ଯବାନଙ୍କ ବାପାଙ୍କ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଭିଡିଓଟିରେ ଯବାନଙ୍କ ବାପା କହିଛନ୍ତି, ଭାରତୀୟ ସେନା ହେଉଛି ସବୁଠୁ ଶକ୍ତିଶାଳୀ ଏବଂ ଏହା ଚୀନ୍‌କୁ ହରାଇପାରିବ। ରାହୁଲ ଏ ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର