କୃଷି ବିଲ୍ ସପକ୍ଷରେ ସମର୍ଥନ ପତ୍ର ଦେଇଛନ୍ତି କୃଷକ, ଚାଷୀନେତାଙ୍କ ସହ ଆଲୋଚନା କରିବେ ସରକାର : କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ନୂଆଦିଲ୍ଳୀ: ନୂଆ କୃଷି ଆଇନକୁ ନେଇ ୧୯ ଦିନ ଧରି ଆନ୍ଦୋଳନରେ ବସିଛନ୍ତି କୃଷକ। ଏହି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଲାଗାତର ଭାବେ ଦ୍ୱିତୀୟ ଦିନ ବିଜୟପୁର- ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ ରଖିଛନ୍ତି । ଆନ୍ଦୋଳନର ୧୯ ଦିନରେ ଆଜି କୃଷକମାନେ ଅନଶନ କରୁଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି କି ସରକାର କୃଷକ ନେତାମାନଙ୍କ ସହିତ ପୁଣି ବୈଠକ କରିବାକୁ ଚିନ୍ତା କରୁଛନ୍ତି । ଏ ନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ଏହା ସହ କୃଷିମନ୍ତ୍ରୀ କହିଛନ୍ତି କି ଅଖିଳ ଭାରତୀୟ କିଷାନ ସମନ୍ୱୟ ସମିତିର ସଦସ୍ୟମାନେ ତାମିଲନାଡୁ,ତେଲେଙ୍ଗାନା,ମହାରାଷ୍ଟ୍ର ଓ ବିହାରରୁ ଆସିଥିଲେ । ସେମାନେ କୃଷି ବିଲକୁ ସମର୍ଥନ କରି ମୋତେ ଏକ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି କି ମୋଦୀ ସରକାର କୃଷକମାନଙ୍କର କଲ୍ୟାଣ ପାଇଁ ଏଭଳି ବିଲ୍ ଆଣିଛନ୍ତି । ଏହାସହ ସେମାନେ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି। କେବଳ ସରକାର ତାରିଖ ଧାର୍ଯ୍ୟ କରି ସେମାନଙ୍କୁ ଜଣାଇବା କଥା ବାକି ରହିଛି ।

ଅନ୍ୟପଟେ ଚିଲ୍ଲା ସୀମାନ୍ତରେ ନିକଟରେ ଆନ୍ଦୋଳନ କରୁଥିବା କୃଷକ ନେତା ଭାନୁ ପ୍ରସାଦ କହିଛନ୍ତି କି ଭାରତର ସବୁ କୃଷକ ନେତାଙ୍କ ଯାଂଚ ସିବିଆଇ ଦ୍ୱାରା କରାଯିବା ଉଚିତ୍ । ସେ କୃଷକ ନେତା ପଞ୍ଜାବର ହୁଅନ୍ତୁ  କି ହରିଆଣାର । ଏହାସହ ସେ କହିଛନ୍ତି କି ସେ କୃଷକ ନେତା ରାକେଶ ଟିକାୟତ ହୁଅନ୍ତୁ ବା ସେମାନଙ୍କ ସଂଗଠନର ଅନ୍ୟ କେହି ନେତା ହୁଅନ୍ତୁ । ସେମାନଙ୍କୁ ସିବିଆଇ ଦ୍ୱାରା ଯାଂଚ କରାଯାଇ ସେମାନଙ୍କ ଅନୁଷ୍ଠାନରେ ତାଲା ପକାଯିବା ଦରକାର । ତେବେ ଯାଇ ସରକାର କୃଷକମାନଙ୍କ ଦାବି ପୂରଣ କରିବେ । ସେ କହିଛନ୍ତି କି ଯେଉଁ ଏମଏସପିକୁ ନେଇ କୃଷକମାନେ ଲଢେଇ କରୁଛନ୍ତି ତାହାକୁ ତ କିଷାନ ଆୟୋଗ ନିଶ୍ଚିତ କରିବ । ସରକାର ଯେଉଁ ଏମଏସପି ସ୍ଥିର କରୁଛନ୍ତି ତାହା ତ ସରକାର ୭୨ ବର୍ଷ ହେବ ଚଳାଇଛନ୍ତି । ଯାହାଦ୍ୱାରା ଦେଶର କୃଷକ ସର୍ବସ୍ବାନ୍ତ ହେବାକୁ ଲାଗିଲେଣି। ଏହି ଏମଏସପି ମାଧ୍ୟମରେ କୃଷକମାନଙ୍କୁ ନା ଲାଭାଂଶ ମିଳୁଛି ନା ଚାଷରେ ବିନିଯୋଗ କରିଥିବା ମୂଲ୍ୟ ।

ଅନ୍ୟପଟେ ଯେଉଁ ଛୋଟ ସମସ୍ୟାଟି ରହିଛି ତା’ ଉପରେ ସରକାର ନରମ ମନୋଭାବ ପୋଷଣ କରିସାରିଛନ୍ତି । ଅନ୍ୟପଟେ ହରିଆଣାର ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା କହିଛନ୍ତି କି ଏହି ବିଲରେ କିଛି ପରିବର୍ତ୍ତନ କରିବାକୁ ସରକାର ରାଜି ହୋଇଛନ୍ତି । ହେଲେ କୃଷକ ସଂଗଠନମାନେ ଏହି ସମୟରେ ତାଙ୍କ ଜିଦରୁ ଗୋଟଏ ପାଦ ପଛକୁ ହଟିଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ । ଏହା ସହ ସେ କହିଛନ୍ତି କି କୃଷିମନ୍ତ୍ରୀ ଓ ଗୃହମନ୍ତ୍ରୀ କୃଷକଙ୍କ ଦାବିକୁ ନେଇ ଲଗାତର ଭାବେ ଚର୍ଚ୍ଚା କରୁଛନ୍ତି । ସେପଟେ ପୁଣି କୃଷିମନ୍ତ୍ରୀ କହିଛନ୍ତି କି କୃଷକ ଆନ୍ଦୋଳନ ପଛରେ ରାଜନୀତି ରହିଛି । ମୋଦୀ ସରକାର ଯେତେବେଳେ କୌଣସି କ୍ଷେତ୍ରରେ ଲୋକଙ୍କ ବିରୋଧରେ କିଛି କରୁନାହାନ୍ତି ତେବେ ଦେଶର ଅନ୍ନଦାତାଙ୍କ ଅମଙ୍ଗଳ ସେ କାହିଁକି ଚିନ୍ତା କରିବେ।

ସମ୍ବନ୍ଧିତ ଖବର