ନିର୍ଭୟା ମାମଲାରେ ରାଜନୀତି ତେଜିଲା: କଂଗ୍ରେସ ଟିକଟରେ ନିର୍ଭୟାଙ୍କ ମା’ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗରେ ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ବିଜେପି ଆଜି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛି। ନିର୍ଭୟାଙ୍କ ମା’ ଆଶା ଦେବୀ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିରୋଧରେ ଆଶା ଦେବୀ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଆଶା ଦେବୀ ଏହାକୁ ଖଣ୍ଡନ କରିଛନ୍ତି। ଏହି ଖବର ମିଛ ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଆଶା ଦେବୀ କହିଛନ୍ତି। ନିର୍ଭୟାଙ୍କ ମା’ କହିଛନ୍ତି, ରାଜନୀତିରେ ପଶିବା ତାଙ୍କର ‌ଉଦ୍ଦେଶ୍ୟ ନାହିଁ । ତାଙ୍କୁ ଟିକଟ ମିଳିଲେ ମଧ୍ୟ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ ପୱନ
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ଦିଲ୍ଲୀ କୋର୍ଟ ନୂଆ ଡେଥ୍‌ ୱାରେଣ୍ଟ୍‌ ଜାରି କରିଛନ୍ତି। ଫେବ୍ରୁଆରି ୧ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ତେବେ ଇତି ମଧ୍ୟରେ ନିର୍ଭୟା ମାମଲାରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହୋଇଛି। ମୁକେଶ ସିଂହଙ୍କ ରାଜକ୍ଷମାକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିବା ପରେ ମାମଲାରେ ଅନ୍ୟ ଜଣେ ଦୋଷୀ ପୱନ ଗୁପ୍ତା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏବଂ ୨୦୧୨ରେ ନାବାଳକ ଥିଲା ବୋଲି ଦର୍ଶାଇଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଡିସେମ୍ବର ୧୯ ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଂଜ କରି ପୱନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଜଣେ ନାବାଳକ ଭାବେ ତା’ ବିରୋଧରେ ବିଚାର ହେଉ ବୋଲି ‌ସେ ଦିଲ୍ଲୀ ହ‌ାଇକୋର୍ଟରେ ଆବେଦନ କରିଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଗତ ୧୯ ତାରିଖରେ ଏହି ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ପୱନ ଗୁପ୍ତା ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପୂର୍ବରୁ ଟ୍ରାଏଲ୍‌ କୋର୍ଟ ମଧ୍ୟ ପୱନର ଏହି ଆବେଦନକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.