ବିହାରରେ ସୁଶାନ୍ତଙ୍କ ପୋଷ୍ଟର୍‌କୁ ନେଇ ରାଜନୀତି, ବିରୋଧୀ ଦଳଙ୍କ ବିରୋଧ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ବିହାରରେ ବିଜେପିର ନିର୍ବାଚନୀ ପ୍ରଚାର ଏଜେଣ୍ଡାରେ ମୃତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ସ୍ଥାନ ଦିଆଯାଇଛି। ବିଜେପି ପକ୍ଷରୁ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟର୍‌, ବ୍ୟାନର ,ଷ୍ଟିକର୍‌ ଏବଂ ମାସ୍କ ପ୍ରସ୍ତୁତ ଆରମ୍ଭ ହୋଇଛି। ବିଜେପିର ସାଂସ୍କୃତିକ ଶାଖା ‘କଳା ସଂସ୍କୃତି ମଞ୍ଚ’ ଦ୍ବାରା ସୁଶାନ୍ତଙ୍କ ମୁହଁ ଥିବା ଷ୍ଟିକର୍‌ ଏବଂ ମାସ୍କ ପ୍ରସ୍ତୁତ କରାଯାଉଛି। ଏଥିରେ ଏହା ବାର୍ତ୍ତା ଦିଆଯାଇଛି ଯେ, ଆମେ କାହାକୁ ଭୁଲିନୁ କି ଭୁଲିବୁନି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ନୀତୀଶଙ୍କ ନେତୃତ୍ବାଧୀନ ବିଜେପି ସରକାରର ଭୂମିକା ବିଷୟରେ ଜଣାଇବାପାଇଁ ଏହି ବାର୍ତ୍ତା‌ ଦିଆଯାଇଛି।

ବିଜେପି କଳା ସଂସ୍କୃତି ମଞ୍ଚର ରାଜ୍ୟ ସଂ‌ଯୋଜକ ବରୁଣ କୁମାର ସିଂହ କହିଛନ୍ତି, ଏଯାବତ୍‌ ୩୦ ହଜାର ଷ୍ଟିକର, ପୋଷ୍ଟର ଏବଂ ୩୦ ହଜାର ଫେସ୍‌ ମାସ୍କ ପ୍ରିଣ୍ଟ୍‌ ହୋଇଛି। ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସିଂହ କହିଛନ୍ତି। ବିରୋଧୀ ଆରଜେଡି ଏବଂ କଂଗ୍ରେସ ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିଜେପି ରାଜନୈତିକ ଫାଇଦା ପାଇଁ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବ୍ୟବହାର କରୁଛି। ନୀତୀଶ କୁମାର ଏବଂ ବିଜେପିର ରାଜ୍ୟରେ ବନ୍ୟା ପାଇଁ କୌଣସି ଉତ୍ତର ନାହିଁ। ସେମାନଙ୍କ ନିକଟରେ କେବଳ ସୁଶାନ୍ତ ଏବଂ ରିୟା ମାମଲା ରହିଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି।

ସମ୍ବନ୍ଧିତ ଖବର