ଭୁବନେଶ୍ବର : ସବୁ ପ୍ରକାର ସମସ୍ୟାର ମୂଳ କାରଣ କଂଗ୍ରେସ। ସେହି ବାହାନାକୁ ତେଲ ‌ଦରବୃଦ୍ଧି ବେଳେ ମଧ୍ୟ ଏନ୍‌ଡିଏ ସରକାର ବ୍ୟବହାର କରିଛନ୍ତି। ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଅମଳରେ ଜାରି କରାଯାଇଥିବା ୧.୪ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ୍‌କୁ ସରକାର ଏବେବି ଶୁଝିବାକୁ ବାଧ୍ୟ ହେଉଛନ୍ତି। ପୂର୍ବ ସରକାର ଯେଉଁ ଭୁଲ କରିଥିଲା ସେଥିପାଇଁ ଗ୍ରାହକଙ୍କୁ ତେଲ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।

Advertisment

୨୦୦୫-୨୦୧୦ ଭିତରେ ଉପା ସରକାର ତୈଳ ବଣ୍ଡ୍ ଜାରି କରିଥିଲେ। ତେଲ ଦାମ୍‌କୁ କମ୍ ରଖିବା ଲାଗି କଂପାନିଗୁଡ଼ିକୁ ପ୍ରତ୍ୟକ୍ଷ ରାଶି ହସ୍ତାନ୍ତର ନକରି ସେମାନଙ୍କ ପାଇଁ ତୈଳ ବଣ୍ଡ୍ ଜାରି କରିଥିଲେ। ଫଳରେ ସେହି ବ୍ୟୟକୁ ବଜେଟ୍‌ରେ ପ୍ରଦର୍ଶିତ କରିବାକୁ ପଡ଼ିନଥିଲା ଓ ସରକାରଙ୍କ ବିତ୍ତୀୟ ଗଣିତ ମଧ୍ୟ ପ୍ରଭାବିତ ହୋଇନଥିଲା। ୨୦୧୪ ଏପ୍ରିଲ୍‌ରୁ ୨୦୨୦ ଡିସେମ୍ବର ମଧ୍ୟରେ (୬ ବର୍ଷ ୯ ମାସ) ଏନ୍‌ଡିଏ ସରକାର ତୈଳ ବଣ୍ଡ୍‌ ପାଇଁ ମୂଳଧନ ଓ ସୁଧ ଆକାରରେ ୭୧,୧୯୮ କୋଟି ଟଙ୍କା ଦେଇଛନ୍ତି ଯାହା ପେଟ୍ରୋଲିୟମ୍ କ୍ଷେତ୍ରରେ ହୋଇଥିବା ବ୍ୟୟର ମାତ୍ର ୨.୮%। ଏହି ସମୟରେ କିନ୍ତୁ ଟିକସ ଲଗାଇ ଏନ୍‌ଡିଏ ସରକାର ୨୫ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି।

ପେଟ୍ରୋଲ୍ ଦରବୃଦ୍ଧି ସମ୍ପର୍କରେ ମତ ରଖି ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଏପଟେ କର୍ପୋରେଟ ଟିକସ ଛାଡ଼ କରାଯାଉଛି, ସେପଟେ ଗରିବଙ୍କୁ ଶୋଷଣ କରଯାଉଛି। ବିଜେପି ସରକାର ଆସିବା ବେଳକୁ ମୋଦୀ କହିଥିଲେ ତୈଳ ଦର ଯିଏ ବୃଦ୍ଧି କରୁଛି ସେ ଦେଶଦ୍ରୋହୀ। କିନ୍ତୁ ଏବେ କିଏ ଦେଶଦ୍ରୋହୀ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି, କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ଯେ ଆସନ୍ତା ସଂସଦୀୟ ଅଧିବେଶନରେ କଂଗ୍ରେସ ଏହାକୁ ପ୍ରମୁଖ ପ୍ରସଙ୍ଗ କରିବ। ତୈଳ ଦର ନକମିବା ପର୍ଯ୍ୟନ୍ତ ଆମେ ସଂସଦ ଚଳାଇ ଦେବୁନାହିଁ। ରାଜ୍ୟରେ ତୈଳ ଦର ନ କମିବା ମଧ୍ୟ ବିଜେଡି ଦାୟୀ କାରଣ ଉଭୟ ଭାଇ ଭାଇ। ବିଜେଡି ତୈଳ ଦର ବୃଦ୍ଧି ନେଇ କୌଣସି ସ୍ୱର ଉତ୍ତୋଳନ କରୁନାହିଁ ବୋଲି ସେ କହିଛନ୍ତି। ଏଆଇସିସିର ମୁଖପାତ୍ର ସୁସ୍ମିତ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି, ଲକ୍‌ଡାଉନ୍ ସବୁ ପାଇଁ କେନ୍ଦ୍ର ସରକାର ଦାୟୀ। ମୁଦ୍ରାସ୍ଫୀତିର ମୁକାବିଲା, ପେଟ୍ରୋଲ୍ ଡିଜେଲ୍ ଦରକୁ ନିୟନ୍ତ୍ରଣକୁ ଆଣିବା ଏବଂ ସେସ୍ ଛାଡ଼ କରିବା ଲାଗି ସେ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ପୂରଣ ନହେଲେ କଂଗ୍ରେସ ଆନ୍ଦୋନ କରିବ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ବିପେଜି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ପେଟ୍ରୋଲ ଡିଜେଲ୍‌ରେ ଯେତେବେଳେ ଭାଟ୍‌ ଲାଗୁ କଥା ଆସିଲା ସେତେବେଳେ କଂଗ୍ରେସ ଶାସିତ ରାଜ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଓଡିଶା ସରକାର ପାଖାପାଖି ଛତିଶ ଟଙ୍କା ଭାଟ୍‌ ଏବଂ କେନ୍ଦ୍ରୀୟ ଟିକସରୁ ପାଉଛନ୍ତି। ରାଜ୍ୟ ଭାଟ୍‌ କମାଇଥିଲେ ଲୋକମାନେ ଉପକୃତ ହୋଇଥାନ୍ତେ। କଂଗ୍ରେସ ଅଏଲ ବଣ୍ଡ ବାବଦରେ ଯେଉଁ ଋଣ କରିଥିଲା, ଏହି ବାବଦରେ ସେସ୍‌ ନିଆଯାଉଛି। ସେ ଯାହା ଋଣ କରି୍ଥିଲେ ଆମେ ତାକୁ ଶୁଝୁଛୁ। ଯେଉଁ ପଇସା ଭାରତ ସରକାର ନେଉଛନ୍ତି ତାକୁ ଗରିବ କଲ୍ୟାଣ ଯୋଜନାରେ ଲଗାଉଛନ୍ତି। ମାଗଣାରେ ଅନ୍ନ, ୮୦ କୋଟି ଲୋକଙ୍କୁ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତାର କାମ ଆଦି ଗରିବଙ୍କ କଲ୍ୟାଣ କାର୍ଯ୍ୟରେ ତାହାକୁ ବ୍ୟୟ କରାଯାଉଛି। କରାଯାଉଛି। କଂଗ୍ରେସ ଶାସନ ସମୟରେ ନେତାମାନେ ନିଜର ପକେଟ ଭର୍ତ୍ତିକରୁଥିଲେ, ଆଜି ବିଜେପି ସରକାର ଗରିବର ପକେଟ ଭର୍ତ୍ତି କରୁଛି ବୋଲି ସେ କହିଛନ୍ତି।