ଜନମତ ସର୍ଭେ: ୟୁପିରେ ବିଜେପିର ସହଜ ବିଜୟ ହେବ, ୨୩୦-୨୪୯ ଆସନ ମିଳିପାରେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ସହଜ ବିଜୟ ହେବ ଏବଂ ୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୨୩୦ରୁ ୨୪୯ ଭିତରେ ଆସନ ମିଳିବ ବୋଲି ନିକଟରେ କରାଯାଇଥିବା ଏକ ଜନମତ ସର୍ଭେରୁ ଜଣାପଡ଼ିଛି। ତାହା ଯଦି ହୁଏ, ତେବେ ୧୯୮୫ ପରେ କ୍ରମାଗତ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାରେ ଯୋଗୀ ଆଦିତ୍ୟନାଥ ହେବେ ପ୍ରଥମ ବ୍ୟକ୍ତି। ଟାଇମ୍ସ ନାଓ-ନବଭାରତ ଟାଇମ୍ସ ସର୍ଭେ ଅନୁସାରେ ପୂର୍ବ ନିର୍ବାଚନରେ ବିଜେପି ମେଣ୍ଟ ୩୨୫ଟି ଆସନ ପାଇଥିଲା ବେଳେ ଏଥର ୨୩୦-୨୪୯ ଆସନ ପାଇବ। ବିଜେପି ତଳକୁ ଦ୍ବିତୀୟ ସ୍ଥାନରେ ରହିବ ସାମାଜବାଦୀ ପାର୍ଟି (ଏସ୍‌ପି) ଯାହାକି ୧୩୭ରୁ ୧୫୨ ଭିତରେ ଆସନ ପାଇପାରେ। ବିଏସ୍‌ପି ୯ରୁ ୧୪ ଓ କଂଗ୍ରେସ ୪ରୁ ୭ ଆସନ ପାଇ ଏକ ଅଙ୍କରେ ରହିବାର ସମ୍ଭାବନା ଅଛି ବୋଲି ଜନମତ ସର୍ଭେରୁ ଜଣାପଡ଼ିଛି।

ବିଜେପି ମେଣ୍ଟ ୩୮.୪ ପ୍ରତିଶତ ଭୋଟ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି ଯାହା ୨୦୧୭ ତୁଳନାରେ ପ୍ରାୟ ୩ ପ୍ରତିଶତ କମ୍। ସେହିପରି ସମାଜବାଦୀ ପାର୍ଟି ୩୪.୪ ପ୍ରତିଶତ ଭୋଟ ପାଇପାରେ, ଯାହା ପୂର୍ବ ନିର୍ବାଚନ ତୁଳନାରେ ଢେର ଅଧିକ। ବିଏସ୍‌ପିର ପାରମ୍ପରିକ ଭୋଟ ଉଭୟ ପ୍ରମୁଖ ଦଳକୁ ଯିବା ସମ୍ଭାବନା ଅଛି। ବିଏସ୍‌ପିର ଭୋଟ ସେୟାର ୨୦୧୭ରେ ୨୨.୨ ପ୍ରତିଶତ ଥିବାବେଳେ ତାହା ୧୪.୧ ପ୍ରତିଶତକୁ ଖସିଯିବ ବୋଲି ସର୍ଭେରୁ ଜଣାପଡ଼ିଛି। ଯୋଗୀ ସରକାର ଆଇନଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି ଆଣିଥିବାରୁ ତାକୁ ବହୁ ଲୋକ ପସନ୍ଦ କରିଛନ୍ତି। ସେହିପରି କାଶୀ ଓ ମଥୁରା ପ୍ରସଙ୍ଗ ମଧ୍ୟ ବିଜେପି ସରକାର ସପକ୍ଷରେ ଯାଉଛି। ଅପରପକ୍ଷେ ଲଖିମପୁର ଖେରୀ ଘଟଣା ଏବଂ କୋଭିଡ୍-୧୯ର ଦ୍ବିତୀୟ ଲହର ବିଜେପି ସରକାରର ଭାବମୂର୍ତ୍ତିରେ କ୍ଷତି ପହଞ୍ଚାଇଛି। ଡିସେମ୍ବର ୧୬ରୁ ୩୦ ଭିତରେ ଏହି ଜନମତ ନିଆଯାଇଥିଲା ଏବଂ ଏଥିରେ ୨୧,୪୮୦ ଜଣ ଲୋକ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର