ସୁପ୍ରିମକୋର୍ଟରେ ନିର୍ବାଚନ ମାମଲା : ଆୟ ଉତ୍ସ ଦର୍ଶାଇବାକୁ ପ୍ରାର୍ଥୀ ବାଧ୍ୟ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ଆଜି ପ୍ରାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ସମୟରେ କେବଳ ସେମାନଙ୍କ ସମସ୍ତ ସମ୍ପତ୍ତିର ବିବରଣୀ ଦେଉଥବା ବେଳେ ଏଣିକି ନିଜ ଆୟର ଉତ୍ସ ମଧ୍ୟ ଘୋଷଣା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଲୋକ ପ୍ରହରୀ’ ଦ୍ୱାରା ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ ଜେ ଚେଲମେଶ୍ୱରଙ୍କ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି। ପଦବିରେ ଥିବା ସମୟରେ ବିଧାୟକ ଏବଂ ସାଂସଦମାନଙ୍କ ସମ୍ପତ୍ତି ଆଶାତୀତ ଭାବେ ବଢ଼ୁଥିବାର ଅନେକ ନଜିର ରହିଥିବା ବେଳେ ସୁପ୍ରିମ କୋର୍ଟଙ୍କ ଏହି ରାୟ ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବ ବୋଲି ଆଶା କରାଯାଉଛି।
ଆବେଦନକାରୀ ‘ଲୋକ ପ୍ରହରୀ’ର ସାଧାରଣ ସମ୍ପାଦକ ଏସ୍‌ଏନ୍‌ ଶୁକ୍ଳା ଦାଏର କରିଥିବା ମାମଲାର ବିବରଣୀ ଅନୁଯାୟୀ, ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ଦାଖଲ ସମୟରେ କେବଳ ସେମାନଙ୍କ ନିଜ ସମ୍ପତ୍ତି ସମେତ ସ୍ୱାମୀ କିମ୍ବା ସ୍ତ୍ରୀ ଏବଂ ସନ୍ତାନ ସନ୍ତତିଙ୍କ ନାମରେ ଥିବା ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖୁଛନ୍ତି। ମାତ୍ର ସେମାନେ ନିଜ ଆୟର ଉତ୍ସ ଆଦୌ ପ୍ରକାଶ କରୁନାହାନ୍ତି। ତେଣୁ ଏ ବିଷୟରେ ବିସ୍ତତ ତଥ୍ୟ ରଖିବା ନିମିତ୍ତ ନାମାଙ୍କନପତ୍ରରେ ଏକ ସ୍ତମ୍ଭ ଯୋଡ଼ିବା ପାଇଁ ଆବେଦନକାରୀ ନିବେଦନ କରିଥିଲେ।

ସେହିପରି ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ(ସିବିଡିଟି) ମଧ୍ୟ ଅଦାଲତଙ୍କୁ ଅବଗତ କରାଇଥିଲେ ଯେ ୭ ଜଣ ଲୋକସଭା ସାଂସଦ ଏବଂ ୭୮ ଜଣ ବିଧାୟକଙ୍କ ସମ୍ପତ୍ତି ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ତାହାର ତଦନ୍ତ ଚାଲୁ ରହିଛି। ଏପରିକି ଆୟକର ବିଭାଗର ପ୍ରାଥମିକ ତଦନ୍ତରୁ ସାଂସଦମାନଙ୍କ ସମ୍ପତ୍ତିର ବିପୁଳ ବୃଦ୍ଧି ହୋଇଥିବା ବେଳେ ବିଧାୟକମାନଙ୍କ ସମ୍ପତ୍ତି ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ିଛି। ଅପରପକ୍ଷେ, ଅନୁରୂପ ଅଭିଯୋଗ କ୍ରମେ ଅନ୍ୟ ୧୧ ଜଣ ରାଜ୍ୟସଭା ସାଂସଦ, ୯ ଜଣ ଲୋକସଭା ସାଂସଦ ଏବଂ ୪୨ ଜଣ ବିଧାୟକଙ୍କ ସମ୍ପତ୍ତିର ମଧ୍ୟ ଯାଞ୍ଚ ଚାଲିଥିବା ସିବିଡିଟି ପକ୍ଷରୁ କୁହାଯାଇଛି।

ତେବେ ‘ଲୋକ ପ୍ରହରୀ’ ମାମଲାର ଶୁଣାଣି କରି ମାନ୍ୟବର ଖଣ୍ଡପୀଠ ନିର୍ବାଚନରେ ପ୍ରତିଯୋଗିତା କରୁଥିବା ଆଶାୟୀ ପ୍ରାର୍ଥୀମାନେ ନିଜର ଏବଂ ପତି/ପତ୍ନୀ ସମେତ ସନ୍ତାନବର୍ଗଙ୍କ ସମ୍ପତ୍ତିର ତାଲିକା ଦେବା ସହ ଆୟର ସୂତ୍ର ମଧ୍ୟ ଦର୍ଶାଇବାକୁ ବାଧ୍ୟ ବୋଲି ଆଜି କହିଛନ୍ତି। ଏହାଦ୍ୱାରା ନିର୍ବାଚନ ଜିତିବା ପରେ ସେମାନଙ୍କ ସମ୍ପତ୍ତି ବୃଦ୍ଧିର କାରଣ ଜାଣିହେବ ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଥିଲେ ଅଯୋଗ୍ୟ ଘୋଷଣା କରାଯାଉ

ନୂଆଦିଲ୍ଲୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଏକ ଦଣ୍ଡନୀୟ ଅପରାଧ। ଏପରି ସମ୍ପତ୍ତି ହାସଲ କରିଥିବା ସାଂସଦ ଓ ବିଧାୟକମାନେ ନିଜ ପଦବିରେ ରହିବା ପାଇଁ ଅଯୋଗ୍ୟ। ନିର୍ବାଚିତ ଜନପ୍ରତିନିଧିମାନେ ଏପରି ବେଆଇନ ସମ୍ପତ୍ତିର ମାଲିକ ହେବା ଅର୍ଥ ଆଇନ କାନୁନର ଶାସନ ବଦଳରେ ଗୁଣ୍ଡାରାଜ୍‌ର ପ୍ରାଦୁର୍ଭାବ ବଢ଼ିବା। ତେଣୁ ଏଭଳି ରାଜନେତାଙ୍କୁ ଅଯୋଗ୍ୟ ଘୋଷଣା କରିବା

ପାଇଁ ସରକାର ଆବଶ୍ୟକ ଆଇନ ପ୍ରଣୟନ କରିବାକୁ ଆଜି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ଅହେତୁକ ସମ୍ପତ୍ତି ବୃଦ୍ଧି ହୋଇଥିବା ଅଭିଯୋଗ ଆଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଲୋକ ପ୍ରହରୀ’ ଦ୍ୱାରା ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ୍‌ ଜେ ଚେଲାମେଶ୍ୱର ଏବଂ ଜଷ୍ଟିସ୍‌ ଏସ୍‌ ଅବଦୁଲ୍‌ ନାଜିରଙ୍କ ଖଣ୍ଡପୀଠ ଏପରି ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, ସଂପୃକ୍ତ ରାଜନେତାଙ୍କ ବିରୋଧରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ କରିବା ଲାଗି ଖଣ୍ଡପୀଠ ମନା କରିଦେଇଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଏହା ରାଜନୈତିକ ଡାଆଣୀ ଶିକାର ପରି ଅପ୍ରୀତିକର ପରିସ୍ଥିତି ଆଣିବ ବୋଲି ଅଦାଲତ କହିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୬ ଜଣ ଲୋକସଭା ସାଂସଦ, ୧୧ ଜଣ ରାଜ୍ୟସଭା ସାଂସଦ ଏବଂ ୨୫୭ ଜଣ ବିଧାୟକଙ୍କର ସମ୍ପତ୍ତି ସେମାନେ ନିର୍ବାଚିତ ହେବା ପରେ କଳ୍ପନାତୀତ ଭାବେ ବଢ଼ିଥିବା ଅଭିଯୋଗ କରି ‘ଲୋକ ପ୍ରହରୀ’ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ଏହାର ଶୁଣାଣି କରି ଆଜି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି ଯେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ଆୟବହିର୍ଭୂତ ସମ୍ପତ୍ତି ବଢ଼ିବାର ମାନେ ହେଲା ସେମାନେ ନିଜ ପଦବିର ଅପବ୍ୟବହାର କରି ସେସବୁ ହାସଲ କରିଛନ୍ତି। ଏହା ମୌଳିକତଃ କୌଣସି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ ଏବଂ କୌଣସି ସାମ୍ବିଧାନିକ ସରକାର ପାଇଁ ବିରୋଧାତ୍ମକ ମଧ୍ୟ। ତେଣୁ ଏଭଳି ଦୁର୍ନୀତିକୁ ହଟାଇବା ପାଇଁ ସରକାର ରାଜନେତାଙ୍କ ସମ୍ପତ୍ତି ବୃଦ୍ଧି ଉପରେ କଡ଼ା ନଜର ରଖିବା ଉଦ୍ଦେଶ୍ୟରେ ଆବଶ୍ୟକ ପ୍ରକ୍ରିୟା ପ୍ରଣୟନ କରିବା ଜରୁରୀ। ଏଥି ସହିତ ଏଭଳି ବେଆଇନ ସମ୍ପତ୍ତି ଠୁଳ କରିଥିବା ରାଜନେତାଙ୍କୁ ମଧ୍ୟ ତାଙ୍କ ନିର୍ବାଚିତ ପଦବିରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସରକାର ଆବଶ୍ୟକ ଆଇନରେ ସଂଶୋଧନ ଆଣିବା ପାଇଁ ମଧ୍ୟ ଖଣ୍ଡପୀଠ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର