ଦୁଇ ପଡ଼ୋଶୀ ରାଜ୍ୟରେ କାଲି ମତଦାନ: ସୀମାରେ କଡ଼ା ସୁରକ୍ଷା

 

ଭୁବନେଶ୍ବର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୧୦୨ଟି ଆସନ ପାଇଁ ମତଦାନ ହେବ। ଏଥିରେ ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ।

ଓଡ଼ିଶାର ଦୁଇ ପଡୋଶୀ ରାଜ୍ୟ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ମତଦାନ ହେବ। ଏହି ଦୁଇ ରାଜ୍ୟର ସୀମା ଓଡ଼ିଶାକୁ ଲାଗିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ସୀମା ଉପ‌ରେ କଡ଼ା ନଜର ରଖାଯାଇଛି।
ନିର୍ବାଚନକୁ ଦୃଷ୍ଟିରେ ରଖି ବେଶ୍‌ ସକ୍ରିୟ ହୋଇଛି ନକ୍ସଲ ସଙ୍ଗଠନ। ଯାହାର ନେତୃତ୍ବ ନେଉଛନ୍ତି ସିପିଆଇ ନକ୍ସଲ ନେତା ମିଶ୍ରି ବେସ୍‌ରା ଓ ତା’ର ଘନିଷ୍ଠ ସହଯୋଗୀ ମୋଚ୍ଛୁ, ଚମନ, କାଣ୍ଡେ, ଅଜୟ ମହାତୋ। ସୀମାନ୍ତରେ ପୂର୍ବାପେକ୍ଷା ସଙ୍ଗଠନକୁ ମଜବୁତ କରିବାକୁ ସରଣ୍ଡା ଓ ଏହାର ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ମାଓ କ୍ୟାମ୍ପ କରୁଛନ୍ତି। ଯେଉଁଠି ପ୍ରସ୍ତୁତି ହେଉଛି ହିଂସା ଓ ପାଣ୍ଠି ଯୋଗାଡ଼ର ବ୍ଲୁ’ପ୍ରିଣ୍ଟ। ଏମାନଙ୍କ ଟାର୍ଗେଟରେ ରହିଛନ୍ତି ସ୍ଥାନୀୟ ଓଡ଼ିଶା ପୁଲିସ, ସିଆରପିଏଫ୍‌, ଡିଭିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପୁଲିସ୍। କେବଳ ପୁଲିସ ନୁହେଁ, ଯେଉଁମାନେ ପୁଲିସକୁ ସହାୟତା କରୁଛନ୍ତି, ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏମାନଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଓ ଗୁଳିରେ ସୀମାନ୍ତ ଗାଁର ନିରୀହ ଲୋକଙ୍କ ଜୀବନ ଯାଉଛି। ନିର୍ବାଚନ ଭଣ୍ଡୁର କରିବାକୁ ମିସିର ବେସ୍‌ରା ଓ ତା’ର ସହଯୋଗୀ ନିର୍ବାଚନ ଭଣ୍ଡୁର ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ବହୁ ବଡ଼ ନକ୍ସଲନେତା ଆତ୍ମଗୋପନ କରିଥିବା ମଧ୍ୟ ସ୍ଥାନୀୟ ପୁଲିସକୁ ସୂଚନା ରହିଛି। ଏହି ଆଧାରରେ ଉଭୟ ଝାଡ଼ଖଣ୍ଡ, ଓଡ଼ିଶା ପୁଲିସ ସିଆର୍‌ପିଏଫ୍‌ ଯବାନଙ୍କ ସହଯୋଗରେ ନକ୍ସଲ ଅପରେସନ୍‌କୁ ଜୋରଦାର କରିଛନ୍ତି। ସୀମାନ୍ତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରାସ୍ତାରେ କଡ଼ାକଡି ଗାଡ଼ି ଯାଞ୍ଚ ସହ ନକ୍ସଲ ବିରୋଧୀ ଅପରେସନ୍‌ ଜୋରଦାର କରାଯାଇଛି। ସୀମାନ୍ତ ଗାଁ ଗୁଡ଼ିକରେ ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ ମଧ୍ୟ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୨ଟି ଆସନ, ଆସାମର ୫ଟି ଆସନ, ବିହାରର ୪ଟି ଆସନ, ଛତିଶଗଡ଼ର ଗୋଟିଏ ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୫ଟି ଆସନ, ମଣିପୁରର ୨ଟି ଆସନ, ମେଘାଳୟର ୨ ଆସନ, ମିଜୋରାମ, ନାଗାଲ୍ୟାଣ୍ଡ୍‌, ପୁଡୁଚେରି, ସକ୍କିମ ଏବଂ ଲକ୍ଷଦ୍ବୀପର ଗୋଟିଏ ଲେଖାଏ ଆସନ, ରାଜସ୍ଥାନର ୧୨ଟି ଆସନ, ତାମିଲନାଡ଼ୁର ସମସ୍ତ ୩୯ଟି ଆସନରେ ମତଦାନ ହେବ। ସେହିଭଳି ଉତ୍ତର ପ୍ରଦେଶର ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଂଗର ୩ଟି ଆସନ, ଆଣ୍ଡାମାନ ଏବଂ ନିକୋବରର ଗୋଟିଏ ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ ଏବଂ ତ୍ରିପୁରାର ଗୋଟିଏ ଆସନ ‌ପାଇଁ ଭୋଟ୍‌ ଗ୍ରହଣ ହେବ।

ସମ୍ବନ୍ଧିତ ଖବର