ଗୁରୁତର ସ୍ତରକୁ ଖସିଲା ଦିଲ୍ଲୀର ପ୍ରଦୂଷଣ ସ୍ତର, ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ସାମୟିକ ରୋକ୍

ନୂଆଦିଲ୍ଲୀ : ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି ହେବା ସତ୍ତ୍ବେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ସ୍ତରରେ ପହଞ୍ଚିଯାଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ସିଭିୟର ବା ଗୁରୁତର ସ୍ତରକୁ ଚାଲିଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପ୍ରଶାସନ ପକ୍ଷରୁ ଆଉ କେତେକ କଟକଣା ଲଗାଯାଇଛି । ସରକାରୀ ନିର୍ଦ୍ଦେଶ ଅନୁସାରେ ଅତ୍ୟାବଶ୍ୟକ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ଭାଙ୍ଗିବା କାର୍ଯ୍ୟ ଉପରେ ରୋକ ଲଗାଯାଇଛି ।

ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ) ଅନୁଯାୟୀ, ପବନର ବେଗ ମନ୍ଥର ହେବା ଏବଂ କୃଷକମାନଙ୍କ ଦ୍ବାରା ନଡ଼ା ଜାଳିବା ଘଟଣାରେ ହଠାତ୍ ବୃଦ୍ଧି ସହିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ଜିଆରଏପିର ପର୍ଯ୍ୟାୟ-୩ କାର୍ଯ୍ୟକାରୀ କରାଯାଉଛି ।

ସିଏକ୍ୟୁଏମ୍ କହିଛି, “ମନ୍ଥର ପବନର ବେଗ ଏବଂ ନାଡ଼ା ଜାଳିବା ଘଟଣାରେ ହଠାତ୍ ବୃଦ୍ଧି ସହିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ, ସମଗ୍ର ଏନସିଆରରେ ତୁରନ୍ତ ପ୍ରଭାବ ସହିତ ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଆବଶ୍ୟକ ହୋଇପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସିଭିୟର ସ୍ତରକୁ ଗଲେ ଜିଆରଏପି ସବ-କମିଟି ପକ୍ଷରୁ ୩ୟ ପର୍ଯ୍ୟାୟ ଜିଆରଏପି ଲାଗୁ ହୋଇଥାଏ ।

ପଞ୍ଜାବରେ ଫସଲ ଅମଳ ହୋଇଯାଇଥିବାରୁ କୃଷକମାନେ ଏବେ ପ୍ରବଳ ମାତ୍ରାରେ ନଡ଼ା ଜାଳୁଛନ୍ତି । ଏହାର ଧୂଆଁ ଦିଲ୍ଲୀ-ଏନସିଆରରେ ପ୍ରବେଶ କରି ପ୍ରଦୂଷଣ କରାଉଛି ।

 

 

ସମ୍ବନ୍ଧିତ ଖବର