ଆତଙ୍କବାଦ ଭିତ୍ତିଭୂମିକୁ ସମୂଳ ନଷ୍ଟ କର : ପାକିସ୍ତାନକୁ ଭାରତ-ଆମେରିକାର ମିଳିତ ଆହ୍ବାନ

ନୂଆଦିଲ୍ଲୀ : ବିଦେଶ ସଚିବ ବିଜୟ ଗୋଖଲେ ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତ‌ରେ ଯାଇଛନ୍ତି। ଗସ୍ତ ଅବସରରେ ସେ ଟ୍ରମ୍ପ୍‌ ପ୍ରଶାସନର ପରରାଷ୍ଟ୍ର ସଚିବ ମାଇକେଲ ଆର୍ ପମ୍ପେଓଙ୍କ ସହ ସାକ୍ଷାତ କରି ଆତଙ୍କବାଦ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି। ଗତ ଫେବ୍ରୁଆରି ୧୪ ପୁଲୱାମା ଆକ୍ରମଣ ପରେ ଭାରତର ବାଲାକୋଟ ବିମାନ ଆକ୍ରମଣକୁ ପମ୍ପେଓ ଆତଙ୍କବାଦ ନିରୋଧ କାର୍ଯ୍ୟାନୁଷ୍ଠାନ ଭାବେ ଅଭିହିତ କରିଛନ୍ତି। ତେବେ ଏ ପ୍ରସଙ୍ଗରେ ଦୁଇ ଦେଶ ମିଳିତ ଭାବେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପାକିସ୍ତାନରେ କାୟା ବିସ୍ତାର କରି ଚାଲିଥିବା ଆତଙ୍କବାଦୀ ‌ଗୋଷ୍ଠୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନିଜର ଭାବମୂର୍ତ୍ତି ରକ୍ଷା ଲାଗି ଆତଙ୍କବାଦ ଭିତ୍ତିଭୂମିକୁ ମୂଳପୋଛ କରିବା ଲାଗି ଉଭୟ ପମ୍ପେଓ ଏବଂ ଗୋଖଲେ ଆହ୍ବାନ କରିଛନ୍ତି। ଭାରତ ପାଇଁ ଚିନ୍ତାର କାରଣ ସାଜିଥିବା ପାକିସ୍ତାନର ସୀମାପାର ଆତଙ୍କବାଦକୁ ପମ୍ପେଓ ହୃଦୟଙ୍ଗମ କରିବା ସହ ମସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନା ଥାଉ କି, ଜାତିସଂଘ ପକ୍ଷରୁ ମସୁଦକୁ ବିଶ୍ବ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ନିକଟରେ ଫ୍ରାନ୍ସ ଓ ବ୍ରିଟେନ୍ ସହ ଆମେରିକା ମଧ୍ୟ ମିଳିତ ଭାବେ ପ୍ରସ୍ତାବ ଆଣିଛନ୍ତି। ପୂର୍ବରୁ ଏଭଳି ପ୍ରସ୍ତାବ କାର୍ଯ୍ୟକାରୀ ହେବାରେ ଅନ୍ୟତମ ଭିଟୋ ପ୍ରଯୋଗକାରୀ ଚୀନ୍ ତିନି ତିନି ଥର ପ୍ରତିବନ୍ଧକ ସାଜିଥିବା ବେଳେ ଆସନ୍ତା୧୩ ତାରିଖ ସୁରକ୍ଷା ପରିଷଦ ବୈଠକରେ ସବୁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର