କେରଳରେ ଶୁଖିଲାଣି କୂଅ, ପୋଖରୀ

ପ୍ରଚଣ୍ଡ ଖରା, ନଦୀ ବି ଶୁଖୁଛି, ଭୂତଳ ଜଳ ସ୍ତର ଅସ୍ୱାଭାବିକ ଖସିଲା, ବନ୍ୟା ପରେ ପାଣି ପାଇଁ ହାହାକାର

ଥିରୁଅନନ୍ତପୁରମ୍‌ : ବନ୍ୟାରେ ସମଗ୍ର କେରଳ ବୁଡ଼ିଯାଇଥିଲା। ଲୋକଙ୍କ ଘରଦ୍ୱାର ପାଣିରେ ଉବୁଟୁବୁ ହୋଇଥିଲା। ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ରିଲିଫ ଶିବିରରେ ରହିଥିଲେ। କିନ୍ତୁ ଏବେ ରାଜ୍ୟରେ ଓଲଟା ସ୍ଥିତି। ପାଣି ପାଇଁ ଚାରିଆଡ଼େ ହାହାକାର। ବନ୍ୟା ସ୍ରୋତରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ରାଜ୍ୟବାସୀ ଏବେ ଟୋପାଏ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି। ସାରା ରାଜ୍ୟରେ କୂଅପୋଖରୀ, ନଦୀନାଳ ଶୁଖିବା ଆରମ୍ଭ କରିଛି। ପ୍ରଚଣ୍ଡ ଖରା ସହିତ ଭୂତଳ ଜଳସ୍ତର ଯେପରି ଅସ୍ୱାଭାବିକ ଭାବେ ଖସିବା ଆରମ୍ଭ କରିଛି ତାହା ଚିନ୍ତାର କାରଣ ହୋଇଛି। କେବଳ ଏତିକି ନୁହେଁ ଆଗକୁ ମରୁଡ଼ି ପରିସ୍ଥିତି ବି ସୃଷ୍ଟି ହେବ ବୋଲି ପରିବେଶ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ହଠାତ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା ତାହାର ଅନୁସନ୍ଧାନ କରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ରାଜ୍ୟ ବିଜ୍ଞାନ, ପ୍ରଯୁକ୍ତି ଓ ପରିବେଶ ପରିଷଦକୁ ଚିଠି ଲେଖି ଘଟଣାର ଅନୁଧ୍ୟାନ କରିବାକୁ କହିଛନ୍ତି। କିଛିଦିନ ତଳେ ବନ୍ୟାରେ ଘାଣ୍ଟି ହୋଇଥିବା ସମଗ୍ର ରାଜ୍ୟ ଏବେ କାହିଁକି ଶୁଖିଲା ପଡ଼ିଛି ତାହା ଯାଞ୍ଚ କରିବା ସହିତ ଏ ସମସ୍ୟାର କିଭଳି ମୁକାବିଲା କରାଯାଇ ପାରିବ, ସେ ନେଇ ପରାମର୍ଶ ଦେବାକୁ କୁହାଯାଇଛି।

ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ କେରଳରେ ବନ୍ୟା ଛାଡ଼ିବା ପରେ ନଦୀଗୁଡ଼ିକର ଜଳସ୍ତର ଅସ୍ୱାଭାବିକ ଭାବେ ଖସିଯାଇଛି। ନଦୀଜଳ ସ୍ତର କମିବା କାରଣରୁ କୂଅ, ପୋଖରୀରେ ପାଣି କମିଯାଇଛି। ଏହାଛଡ଼ା କିଛିଦିନ ହେବ ରାଜ୍ୟରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ଫଳରେ ଯେଉଁ ନଦୀ ଓ ନାଳରେ ଅଳ୍ପ ପାଣି ଥିଲା, ତାହା କ୍ରମେ ଶୁଖିବାରେ ଲାଗିଛି। ଖାଲି ସେତିକି ନୁହେଁ, ଭୂତଳ ଜଳସ୍ତର ମଧ୍ୟ ଆପେକ୍ଷିକ ଭାବେ ହ୍ରାସ ପାଇଛି। ବନ୍ୟା ପୂର୍ବରୁ ଭୂତଳ ଜଳ ଯେଉଁ ସ୍ତରରେ ଥିଲା, ବନ୍ୟା ପରେ ତାହା ଆହୁରି କମିଯାଇଛି। ଅପରପକ୍ଷରେ ବନ୍ୟା ବିତ୍ପାତ ଯୋଗୁ କେରଳରେ ଜିଆ ସଂଖ୍ୟା ଅନେକ ମାତ୍ରାରେ ଲୋପପାଇଛି। ଜଳ ସ୍ତରକୁ ସ୍ୱାଭାବିକ ସ୍ତରରେ ରଖିବା ଏବଂ ମାଟିକୁ ଉର୍ବର କରିବାରେ ଜିଆଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନିକଟରେ ରାଜ୍ୟର ଚାଷୀମାନେ ଜିଆ ଲୋପପାଇବାକୁ ନେଇ ଚିନ୍ତାପ୍ରକଟ କରିଥିଲେ। ସେମାନଙ୍କ ଚାଷ ଅତି ମାତ୍ରାରେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ।

ଗତମାସ ବନ୍ୟା ସମୟରେ କେରଳର ପେରିୟାର, ଭରତପୂଝା, ପମ୍ପା ଓ କାବାଣୀ ଭଳି ନଦୀରେ ପ୍ରବଳ ଜଳ ପ୍ରବାହିତ ହୋଇଥିଲା।

ଫଳରେ ଏହାର ସଂଲଗ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆଜିକା ଦିନରେ ଏହି ନଦୀଗୁଡ଼ିକ ସଂପୂର୍ଣ୍ଣ ଶୁଖିଯାଇଛି। ଅସ୍ୱାଭାବିକ ଭାବେ ଏହି ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇବା ଅନେକଙ୍କୁ ଚକିତ କରିଛି। ଅନେକ ଜିଲ୍ଲାରେ କୂଅଗୁଡ଼ିକ ଶୁଖିଯାଇଛି। କୂଅରେ ସ୍ୱାଭାବିକ ଭାବେ ଯେଉଁ ପରିମାଣ ଜଳ ଝରୁଥିଲା, ତାହା ଆଉ ଦେଖିବାକୁ ମିଳୁନାହିଁ।

ଉଲ୍ଲେଖଯୋଗ୍ୟ, ଗତମାସ କେରଳରେ ବନ୍ୟା ବିତ୍ପାତ ଦେଖାଦେଇଥିଲା। ୧୦ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇ ରିଲିଫ ଶିବିରରେ ଆଶ୍ରୟ ନେଇଥିଲେ। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟାଜଳରେ ଭାସିଯାଇଥିଲା। ବନ୍ୟା ଯୋଗୁ ରାଜ୍ୟକୁ ୨୦,୦୦୦ କୋଟି ଟଙ୍କା କ୍ଷତି ଘଟିଥିବା ଆକଳନ କରାଯାଇଥିଲା। ତେବେ ବନ୍ୟା ପରେ ଏବେ ରାଜ୍ୟବାସୀଙ୍କୁ ପୁଣି ପାଣି ଚିନ୍ତା ଘାରିଛି।

ସମ୍ବନ୍ଧିତ ଖବର