ରାହୁଲ ଦ୍ରାବିଡଙ୍କୁ ଚୂନ ଲଗାଇଲା ଚିଟ୍‌ ଫଣ୍ଡ କମ୍ପାନି

ବାଙ୍ଗାଲୁରୁ: ଚିଟ୍‌ ଫଣ୍ଡ କମ୍ପାନି କବଳରେ ପଡି ଆମ ରାଜ୍ୟର ହଜାର ହଜାର ଲୋକ ନିଜର ଅର୍ଥ ହରାଇଥିବା କଥା ଆମେ ଶୁଣିଛୁ । ଏସବୁ କମ୍ପାନିଙ୍କ ମାୟାଜାଲରେ ପଡି ଅନେକ ଲୋକ ନିଜର ସର୍ବସ୍ୱ ହରାଇଛନ୍ତି । କିନ୍ତୁ ଆମ ଦେଶର ଜଣେ ଷ୍ଟାର କ୍ରିକେଟିୟଙ୍କୁ ମଧ୍ୟ ଚୂନ ଲଗାଇଛନ୍ତି ଚିଟ୍‌ ଫଣ୍ଡ ବାଲା । ସେହି କ୍ରିକେଟ ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ । ଦ୍ରାବିଡ଼ଙ୍କୁ ବାଙ୍ଗାଲୁରୁର ଏକ ଚିଟ୍‌ ଫଣ୍ଡ କମ୍ପାନି ବିକ୍ରମ ଇନଭେଷ୍ଟମେଣ୍ଟ କମ୍ପାନି ପ୍ରାୟ ୪ କୋଟି ଟଙ୍କାର ଚୂନ ଲଗାଇଛି । ୨୦୧୪ରେ ଏହି କମ୍ପାନିରେ ରାହୁଲ ୨୦ କୋଟି ଟଙ୍କା ଖଟାଇଥିଲେ । ଅଧିକ ରିଟର୍ଣ୍ଣ ଆଶାରେ ରାହୁଲ ଏହି ଟଙ୍କା ଖଟାଇଥିଲେ । ତେବେ ଅଧିକ ରିଟର୍ଣ୍ଣ କଥା ଛାଡ଼, ମୂଳଧନ ମଧ୍ୟ ପାଇବାକୁ ରାହୁଲ ଦୌଡୁଛନ୍ତି । ବହୁ କଷ୍ଟରେ ଉକ୍ତ କମ୍ପାନି ୧୬ କୋଟି ଟଙ୍କା ଦେବା ପରେ ଆଉ ୪ କୋଟି ବାକି ଅଛି । ୪ କୋଟି ଟଙ୍କା ଦେଉନଥିବାରୁ ସେ ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଛନ୍ତି । ଏହା ପରେ ପୁଲିସ ଉକ୍ତ କମ୍ପାନିର ମାଲିକ ରାଘବେନ୍ଦ୍ର ଶ୍ରୀନାଥ ଓ ଜଣେ ସାମ୍ବାଦିକ ସୁତ୍ରମ ସୁରେଶଙ୍କୁ ଗିରଫ କରିଛନ୍ତି । ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ମୋଟ ୫ ଜଣଙ୍କୁ ଗିରଫ କରିଛି । ଏହି କମ୍ପାନି ଆଉ କେତେ ଜଣ ଖେଳାଳିଙ୍କୁ ଠକିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର