ନୂଆଦିଲ୍ଲୀ: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ଜାଲ୍ ଦସ୍ତାବିଜ ବ୍ୟବହାର କରି ଆଇଏଏସ୍ ହୋଇଥିବା ପୂଜା ଖେଦକରଙ୍କ ବିରୋଧରେ ଆଜି ୟୁପିଏସ୍ସି (ୟୁନିଅନ ପବ୍ଲିକ ସର୍ଭିସ କମିସନ୍) ଆପରାଧିକ ମାମଲା ରୁଜୁ କରିଛି। କମିସନ୍ ମଧ୍ୟ ପୂଜାଙ୍କ ପ୍ରାର୍ଥିତ୍ବ ରଦ୍ଦ କରିବା ସହ ଭବିଷ୍ୟତରେ ସେ ଯେମିତି ପରୀକ୍ଷାରେ ବସି ପାରିବେନି ସେ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସମଗ୍ର ମାମଲାରେ ପୂଜାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ୟୁପିଏସ୍ସି ଏକ ବିବୃତି ଜାରି କରି କହିଛି ଯେ ପୂଜା ଖେଦକରଙ୍କ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇଛି। ତଦନ୍ତରୁ ଏହା ଜଣାପଡ଼ିଛି ଯେ ପୂଜା ପରୀକ୍ଷା ନିୟମର ଉଲ୍ଲଂଘନ କରିଛନ୍ତି ଏବଂ ସେ ତାଙ୍କ ନିଜ ନାଁ ଓ ବାପା, ମା’ଙ୍କ ନାଁ , ତାଙ୍କ ଫଟୋଗ୍ରାଫ୍, ଦସ୍ତଖତ, ଇମେଲ୍ ଆଇଡି, ମୋବାଇଲ ନମ୍ବର ଏବଂ ଠିକଣା ସବୁକିଛି ଜାଲ୍ କରିଛନ୍ତି। ୟୁପିଏସ୍ସି ପୂଜାଙ୍କ ବିରୋଧରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପର୍ଯ୍ୟାୟକ୍ରମେ ସମସ୍ତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଶେଷ ହେବ ବୋଲି ବିବୃତିରେ କୁହାଯାଇଛି। ପୂଜାଙ୍କ ବିରୋଧରେ ଆପରାଧିକ ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂଜାଙ୍କ ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ ରଦ୍ଦ କରିବାପାଇଁ କମିସନ୍ଙ୍କ କାର୍ଯ୍ୟାନୁଷ୍ଠାନ ବାବଦରେ ପୂଜା କହିଛନ୍ତି ଯେ ଏ ବାବଦରେ ଆଗକୁ ଅଦାଲତରେ ହିଁ ଯାହାକିଛି ଫଏସଲା ହେବ। ପୂଜା କେବଳ ନକଲି ସାର୍ଟିଫିକେଟ୍ ଦେଇ ଆଇଏଏସ୍ ହୋଇନାହାନ୍ତି ବରଂ ପ୍ରଶିକ୍ଷଣ ସମୟରେ ରହି ବି ସେ କ୍ଷମତାର ଅପବ୍ୟବହାର କରିଛନ୍ତି। ପୁନେ ଜିଲ୍ଲାପାଳ ପୂଜାଙ୍କର କେତେକ ବେଆଇନ ପଦକ୍ଷେପ ନେଇ ଅଭିଯୋଗ କରିବାପରେ ତାଙ୍କୁ ୱାଶିମକୁ ବଦଳି ହୋଇଥିଲା। ଏହାକୁ ନେଇ ପୂଜା ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଥିଲେ।
ତଦନ୍ତ ରିପୋର୍ଟ ଦାଖଲ କଲେ ମହାରାଷ୍ଟ୍ର ସରକାର, କ୍ଷମତାର ଅପବ୍ୟବହାର କରିଛନ୍ତି
ମୁମ୍ବାଇ: ବିବାଦୀୟ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଦକରଙ୍କ ବିରୋଧରେ ଆଜି ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ନୀତିନ ଗରଡ଼େଙ୍କ ନେତୃ୍ତ୍ବାଧୀନ ସାଧାରଣ ପ୍ରଶାସନ ବିଭାଗ ଆଜି ପୂଜାଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଡିଓପିଟି (କାର୍ମିକ ଏବଂ ତାଲିମ ବିଭାଗ)ରେ ଦାଖଲ କରିଛନ୍ତି। ଏହାର ଏକ କପି କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଜଣିକିଆ କମିଟିକୁ ପଠାଯାଇଛି। ପୂଜାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ୨ ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରିବାପାଇଁ ଡିଓପିଟିର ଅତିରିକ୍ତ ସଚିବ ମନୋଜ ଦ୍ବିବେଦୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ପୂଜା ଜାଲ୍ କାଗଜପତ୍ର ବ୍ୟବହାର କରି ଆଇଏଏସ୍ ହୋଇଛନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି।
ପୂଜା ଦାବି କରିଥିବା ଓବିସି ଶ୍ରେଣୀ ଅଧୀନରେ ସେ ଆସୁନାହାନ୍ତି କି ନିଜକୁ ଆଂଶିକ ଭିନ୍ନକ୍ଷମ କହୁଥିଲେ ମଧ୍ୟ ମେଡିକାଲ ଟେଷ୍ଟ୍ ପାଇଁ ରାଜି ହେଉନାହାନ୍ତି। ମହାରାଷ୍ଟ୍ର ସରକାରଙ୍କ ରିପୋର୍ଟରେ ମଧ୍ୟ ପୂଜାଙ୍କର ପୁନେ ଜିଲ୍ଲାପାଳ ଅଫିସରେ ନିଯୁକ୍ତି ସମୟରେ ତାଙ୍କର ଅଶୋଭନୀୟ ବ୍ୟବହାର ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି। ନିଜ ବ୍ୟକ୍ତିଗତ କାର୍ରେ ସେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ବିକନ୍ ଲଗାଇଥିବାନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ପୂଜା ଖେଦକର ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ବହିଷ୍କାର କରାଯାଇପାରେ। ପୂଜାଙ୍କର ପ୍ରଶିକ୍ଷଣ ଏବେ ସ୍ଥଗିତ ରହିଛି ଏବଂ ତାଙ୍କୁ ମସୌରୀର ଲାଲ୍ ବାହାଦୁର ଶାସ୍ତ୍ରୀ ଏକାଡେମିକୁ ଡକାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhhfsfhshfs.jpg)