ପୁଣେ: ବିବାଦୀୟ ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଦକରଙ୍କ ମା’ ମନୋରମା ୨୦୨୩ରେ କୃଷକଙ୍କ ଜମି ଜବରଦଖଲ କରିବା ଓ ପ୍ରତିବାଦକାରୀ କୃଷକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣାରେ ପୁଲିସ ମାମଲା ରୁଜୁ କରିଛି। ପୁଲିସର ଏଫ୍‌ଆଇଆର୍‌ ପରେ ପିତା ଦିଲୀପ ଓ ମାତା ମନୋରମା ଫେରାର୍‌ ହୋଇଯାଇଛନ୍ତି। ପୂଜା ଖେଦକରଙ୍କ କ୍ଷମତାର ଅପବ୍ୟବହାର ବିବାଦକୁ ନେଇ ଆଲୋଚନା ଜୋର ଧରିବା ସମୟରେ ପୂଜାଙ୍କ ମା’ ମନୋରମା ୫ ଜୁନ୍‌ ୨୦୨୩ରେ ପୁଣେ ନିକଟ ଧଡ଼ାୱାଲି ଠାରେ କେତେକ କୃଷକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ମାମଲା ପଦାକୁ ଆସିଥିଲା। ଏନେଇ ଭିଡିଓ ଭାଇରାଲ୍‌ ହେବା ପରେ ଚାପରେ ପଡ଼ି ପୁଲିସ ପୁରୁଣା ମାମଲାରେ ପଦକ୍ଷେପ ନେଇଥିଲା। କୃଷକଙ୍କ ଅଭିଯୋଗ ଅନୁସାରେ ୧୨ ତାରିଖରେ ମାମଲା ରୁଜୁ ହୋଇଥିଲା। ୧୩ ତାରିଖରେ ପୁଲିସ ଧଡ଼ାୱାଲି ଯାଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିଲା। ୧୪ ତାରିଖ ସକାଳ ୭ଟାରେ ଅପରାଧିକ ଶାଖା ଓ ସ୍ଥାନୀୟ ପୌଡ ଥାନାର ଏକ ଟିମ୍‌ ମନୋରମାଙ୍କ ବାନେର୍‌ ବଙ୍ଗଳାରେ ପହଞ୍ଚିଥିଲେ। ଏନେଇ ସୂଚନା ଦେଇ ପୁଣେ ଗ୍ରାମାଞ୍ଚଳ ଏସ୍‌ପି ପଙ୍କଜ ଦେଶମୁଖ କହିଛନ୍ତି ଯେ ଉଭୟ ଦିଲୀପ ଓ ମନୋରମା ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମୋବାଇଲ୍‌ ବନ୍ଦ ରହିଛି। କ୍ରାଇମ୍‌ ବ୍ରାଞ୍ଚ ଓ ସ୍ଥାନୀୟ ଥାନାର ଏକ ପୁଲିସ ଟିମ୍‌ ମନୋରମାଙ୍କ ବାନେର୍‌ ବଙ୍ଗଳାକୁ ଯାଇଥିଲେ, କିନ୍ତୁ ସେଠାରେ ମଧ୍ୟ ସେମାନଙ୍କୁ ଠାବ କରିପାରିନାହାନ୍ତି। ଏକାଧିକ ଟିମ୍‌ ଗଠନ କରାଯାଇ ପୁଣେ ଫାର୍ମହାଉସ୍‌ ଓ ଆଖପାଖ ଅଞ୍ଚଳରେ ଅନୁସନ୍ଧାନ କରାଯାଉଛି।

Advertisment

ନୂଆଦିଲ୍ଲୀ: ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଦକର ଚାକିରି ପାଇବା ପାଇଁ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହେଉଥିବା ବେଳେ ଏବେ ଦିବ୍ୟାଙ୍ଗ ମାନଦଣ୍ଡ ଅନୁଯାୟୀ ଅନ୍ୟ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଚୟନକୁ ନେଇ ପ୍ରଶ୍ନ ଉଠିଛି। ଅଭିନେତା ହେବା ପାଇଁ ଗତବର୍ଷ ଇସ୍ତଫା ଦେଇଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଅଭିଷେକ ସିଂହଙ୍କ ଡ୍ୟାନ୍ସ ଏବଂ ଜିମ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅଭିଷେକ ସିଂହ ସେୟାର କରିଥିବା ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ କରି ଅମଲାତାନ୍ତ୍ରିକ ଚୟନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ଆହ୍ୱାନ ଦେଇଛନ୍ତି। ଅଭିଷେକ ସିଂହ ୟୁପିଏସ୍‌ସି ଚୟନ ପ୍ରକ୍ରିୟାରେ ରିହାତି ପାଇବା ପାଇଁ ଚାଲିବାରେ ଅକ୍ଷମତା (ଲୋକୋମୋଟିଭ୍ ଡିସାବିଲିଟି)ର ସାହାଯ୍ୟ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଉକ୍ତ ଭିଡିଓରୁ ସେ ଦିବ୍ୟାଙ୍ଗ ନୁହନ୍ତି ବୋଲି ପ୍ରମାଣ ମିଳୁଛି। ଏହାର ଜବାବ ଦେଇ ସିଂହ କହିଛନ୍ତି, ମୁଁ ସଂରକ୍ଷଣକୁ ସମର୍ଥନ କରିବା ଆରମ୍ଭ କରିବା ପରଠାରୁ ସଂରକ୍ଷଣ-ବିରୋଧୀମାନେ ମୋତେ ଟାର୍ଗେଟ କରିଛନ୍ତି।

ସେମାନେ ମୋ ଜାତି ଓ ଚାକିରି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଲେଖିଛନ୍ତି, ବିନା ସରକାରୀ ସହାୟତାରେ ୟୁନାଇଟେଡ୍ ବାଇ ବ୍ଲଡ୍ ଏବଂ ନୋ-ଶେମ୍ ମୁଭମେଣ୍ଟ ଭଳି ପଦକ୍ଷେପ ମାଧ୍ୟମରେ ମୁଁ ସାମାଜିକ କାର୍ଯ୍ୟ କରିଛି। ମୁଁ ବିଶ୍ୱାସ କରେ ଯେ ସରକାରୀ ଚାକିରିରେ ସଂରକ୍ଷଣ ଜନସଂଖ୍ୟା ଅନୁଯାୟୀ ହେବା ଉଚିତ ଏବଂ ମୁଁ ସେ ଦିଗରେ କାର୍ଯ୍ୟ କରିବି। ଯଦି ଆପଣମାନେ ଭାବୁଛନ୍ତି ଆପଣଙ୍କ ପାଖରେ ପ୍ରତିଭା ଅଛି, ତେବେ ସରକାରୀ ଚାକିରି ପାଇଁ ଚେଷ୍ଟା ନ କରି ବ୍ୟବସାୟ, କ୍ରୀଡ଼ା କିମ୍ବା ଅଭିନୟରେ ପାରଦର୍ଶିତା ଦେଖାନ୍ତୁ। ସେଠାରେ କୌଣସି ସଂରକ୍ଷଣ ନାହିଁ। ମୁଁ ମୋ ପ୍ରତିଭା, ଆତ୍ମବିଶ୍ୱାସ ଓ ସାହସ ବଳରେ ଆଗକୁ ବଢୁଛି, କାହା ଦୟାରେ ନୁହେଁ ବୋଲି ସିଂହ କହିଛନ୍ତି।