ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଅପିଲ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ଏଲୋନ୍ ମସ୍କ ଯଦି ଆପଣ ଟ୍ୱିଟର କିଣିବାକୁ ଚାହୁଁନାହାଁନ୍ତି, ତେବେ ସେହି ପୁଞ୍ଜିର କିଛି ଅଂଶକୁ ଭାରତରେ ବିନିଯୋଗ କରନ୍ତୁ ଏବଂ ଏଠାରେ ଉଚ୍ଚମାନର ଟେସଲା କାର ନିର୍ମାଣ କରନ୍ତୁ। ଏହା ମଧ୍ୟ କହିଛନ୍ତି ଯେ ଏହା ଆପଣଙ୍କର ସର୍ବୋତ୍ତମ ନିବେଶ ହେବ। ସେ କହିଛନ୍ତି, “ମୁଁ ଆପଣଙ୍କୁ ନିର୍ଭର ପ୍ରତିଶୃତି ଦେଉଛି ଯେ ଏହା ତୁମର ସର୍ବଶ୍ରେଷ୍ଠ ପୁଞ୍ଜିନିବେଶ ହେବ।”
ମିଳିଥିବା ସୂଚନା ମୁତାବକ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ସେକ୍ୱୋଆ କ୍ୟାପିଟାଲ୍ ପାଣ୍ଠି ଟ୍ୱିଟର ଅଧିଗ୍ରହଣ ଚୁକ୍ତିରେ ୮୦୦ ମିଲିୟନ୍ ଡଲାର୍ ଏବଂ ୱାଇକ୍ୟାପିଟାଲ୍ ୭୦୦ ମିଲିୟନ୍ ଡଲାର୍ ନିବେଶ ପାଇଁ ରାଜି ହୋଇଛନ୍ତି | ତେବେ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ଓରକେଲର ସହ ପ୍ରତିଷ୍ଠାତା ଏଲିସନ ରାଜି ହୋଇଛନ୍ତି।
ଏଲିସନ ମସ୍କଙ୍କ କମ୍ପାନି ଟେସଲାର ନିର୍ଦ୍ଦେଶକ ବୋର୍ଡରେ ମଧ୍ୟ ଅଛନ୍ତି। ଏଥିସହ ସାଉଦି କ୍ରାଉନ୍ ପ୍ରିନ୍ସ ଆଲୱାଲିଡ୍ ବିନ୍ ତାଲାଲ୍ ବିନ୍ ଅବଦୁଲାଜିଜ୍ ଆଲସାଉଦ ମସ୍କଙ୍କ ସମର୍ଥନରେ ଟ୍ୱିଟର ସେୟାର କିଣିବାକୁ ୩୫ ମିଲିୟନ୍ ଡଲାରର ପ୍ରତିଶୃତି ଦେଇଛନ୍ତି। ଏଥିପାଇଁ ସେ ଟେସଲାରେ ସେୟାରକୁ ୮.୫ ବିଲିୟନ ଡଲାରରେ ବିକ୍ରି କରିଛନ୍ତି। ପରେ ସେ ଟେସଲାରେ ନିଜର ଅଧିକ ଅଂଶଧନ ବିକ୍ରୟ କରିବାକୁ ମନା କରିଦେଇଥିଲେ। ଏହିପରି, ଡିଲ୍ ସଂପୂର୍ଣ୍ଣ କରିବା ପାଇଁ ମସ୍କଙ୍କୁ ବାହ୍ୟ ସମର୍ଥନ ଆବଶ୍ୟକ | ଆଉ ଏହି ସମୟରେ ଭାରତରେ ନିବେଶ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଅପିଲ କରିଛନ୍ତି |