ପୁନାଓ୍ବାଲାଙ୍କ ଚେତାବନୀ : କରୋନା ଟିକା ଯୋଗାଣରେ ବିଳମ୍ବ ହୋଇପାରେ

ମୁମ୍ବାଇ : କରୋନା ଟିକା ଯୋଗାଇବାରେ ଭାରତ ଏବେ ସମଗ୍ର ବିଶ୍ବରେ ନାଁ କରିଛି । ଭାରତରେ ଉତ୍ପାଦିତ ଦୁଇ ପ୍ରକାରର ଟିକା ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ନିଜ ଦେଶରେ ବ୍ୟବହାର କରିବା ସହ ଅନ୍ୟ ଦେଶମାନଙ୍କୁ ଯୋଗାଉଛି । କିନ୍ତୁ ଆଗକୁ ଟିକା ଯୋଗାଣରେ ବିଳମ୍ବ ହୋଇପାରେ ବୋଲି ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ବାଲା ସତର୍କ କରାଇଦେଇଛନ୍ତି ।

ଏଥିପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି । ଆମେରିକା ସରକାରଙ୍କ ଦ୍ବାରା ନିଆଯାଇଥିବା ଏକ ନିଷ୍ପତ୍ତି ଅନୁସାରେ ଟିକା ଉତ୍ପାଦନରେ ଲାଗୁଥିବା କେତେକ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲର ରପ୍ତାନି ଉପରେ କଟକଣା ଲଗାଯାଇଛି । ଏହାଫଳରେ ଭାରତରେ ଟିକା ଉତ୍ପାଦନ ପ୍ରଭାବିତ ହୋଇପାରେ ବୋଲି ସେ ବିଶ୍ବ ବ୍ୟାଙ୍କ ଦ୍ବାରା ଆୟୋଜିତ ଏକ ଆଲୋଚନା ଚକ୍ରରେ କହିଛନ୍ତି ।

କରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବରେ ମୁକ୍ତଭାବେ ଟିକା ଆବଣ୍ଟନ ଓ ଯୋଗାଣ କଥା କୁହାଯାଉଥିବାବେଳେ ଆମେରିକା ଦ୍ବାରା ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଣରେ ଅଙ୍କୁଶ ଲଗାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ପୁନାଓ୍ବାଲାଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ସେ କହିଛନ୍ତି ଟିକା ତିଆରି ପାଇଁ ଆବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର