ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଇଫଲ୍ସ ଦ୍ବାରା ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ସନ୍ଧ୍ୟା ୭ଟାରେ ଇଫତାର ପାର୍ଟି ଆରମ୍ଭ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ  ଏହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

Advertisment

ସୂଚନା‌ଯୋଗ୍ୟ, ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା‌ ସମୟରେ ଯବାନମାନେ ସଙ୍ଗିଓଟ ଗ୍ରାମରେ ଇଫତାର ପାର୍ଟି ପାଇଁ ଟ୍ରକ୍‌‌ରେ ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଧରି ଯାଉଥିଲେ। ଏହି ସମୟରେ ସେନା ଗାଡ଼ି ଉପ‌ରେ ଆତଙ୍କବାଦୀଙ୍କ ଆକ୍ରମଣ ଆରମ୍ଭ ହୋଇଥିଲା ଏବଂ କିଛି ସମୟ ମଧ୍ୟରେ ୫ ଜଣ ଯବାନ ସହିଦ ହୋଇଥିବା ଖବର ଆସିଥିଲା।

ସହିଦ ୫ଜଣ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲାନ୍ସ ନାୟକ କୁଳବନ୍ତ ସିଂହ। କୁଳବନ୍ତଙ୍କ ସହିଦ ହେବା ଖବର ଶୁଣିବା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା। ସହିଦଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିଥିଲା। ଗ୍ରାମରେ ସମ୍ମାନର ସହ ସହିଦଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। କୁଳବନ୍ତଙ୍କୁ ମୁଖାଗ୍ନୀ ଦେଇଥିଲେ ତାଙ୍କ ୪ମାସର ପୁଅ। ଏହି ଦୃଶ୍ୟ ଦେଖିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା। କେହି ହେଲେ ବି ନିଜ କୋହକୁ ଜାବୁଡ଼ି ଧରି ପାରି ନଥିଲେ। ପରସ୍ପରକୁ ଧରି ଭୋଭୋ ହୋଇ କାନ୍ଦୁଥିଲେ।

ତେବେ ସହିଦ କୁଳବନ୍ତ ସିଂହଙ୍କ ବାପା ବଳଦେବ ସିଂହ ୩୨ବର୍ଷ ପୂର୍ବରୁ ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧରେ  ସହିଦ ହୋଇଥିଲେ। ବାପା ସହିଦ ହେଲାବେଳକୁ କୁଳବନ୍ତ ମାତ୍ର ଦେଢ଼ବର୍ଷର ଥିଲେ। ଦୁଃଖର ବିଷୟ କୁଳବନ୍ତଙ୍କ ବାପା ଯେଉଁ ବୟସରେ ସହିଦ ହୋଇଥିଲେ ପୁଅ ବି ସେହି ବୟସରେ ଦେଶ ପାଇଁ ଜୀବନ ଦେଇଛନ୍ତି।