ଦୁଷ୍କର୍ମ ବଢ଼ୁଛି, ନିର୍ଭୟା ପାଣ୍ଠିର ବ୍ୟବହାର ହୋଇପାରୁନି

ନୂଆଦିଲ୍ଲୀ : ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ି ଚାଲିଛି। ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଦୁଷ୍କର୍ମ ବିରୋଧରେ ଆଇନ କଡ଼ାକଡ଼ି କରାଯାଇଛି। ମହିଳାଙ୍କ ସୁରକ୍ଷା ବୃଦ୍ଧି ପାଇଁ ନିର୍ଭୟା ପାଣ୍ଠି ସୃଷ୍ଟି କରାଯାଇଥିଲା। କିନ୍ତୁ ଏହାର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ଦେଶ ବହୁ ପଛରେ ରହିଯାଇଛି। ମହିଳାଙ୍କୁ ଅତ୍ୟନ୍ତ ଅମାନୁଷିକ ଅତ୍ୟାଚାର କରାଯାଉଛି। ତେଲେଙ୍ଗାନାରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା, ବିହାର ଓ ପଶ୍ଚିମବଂଗରେ ଅନୁରୂପ ଘଟଣା ଏବଂ ଆଜି ଉନ୍ନାଓ ପୀଡ଼ିତାଙ୍କ ଶରୀରରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବା ବିଷୟ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଭାରତରେ ଅପରାଧ ନିୟନ୍ତ୍ରଣ ପାଇଁ ଯେତେ ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି ତାହା ସଠିକ୍‌ ଭାବେ କାର୍ଯ୍ୟକାରୀ ‌ହୋଇପାରୁ ନଥିବା ଦେଖିବାକୁ ମିଳିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ନିର୍ଭୟା ପାଣ୍ଠି। ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତାଙ୍କ ନାମ ଦିଆଯାଇଥିଲା ନିର୍ଭୟା। ନିର୍ଭୟାର ଅର୍ଥ ଭୟଶୂନ୍ୟ। ମହିଳାଙ୍କ ସୁରକ୍ଷା ପାଇଁ ୨୦୧୩ରେ ‘ନିର୍ଭୟା ପାଣ୍ଠି’ ସୃଷ୍ଟି କରାଗଲା। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଦ୍ବାରା ଏହି ସ୍ବତନ୍ତ୍ର ପାଣ୍ଠି ଘୋଷଣା କରାଯାଇଥିଲା। ମହିଳାଙ୍କ ସୁରକ୍ଷା ପାଇଁ ନିର୍ଭୟା ପାଣ୍ଠି ଅଧୀନରେ ୧୦,୦୦୦ କୋଟି ଆବଣ୍ଟନ ପାଇଁ ସରକାର ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ନିର୍ଭୟା ପାଣ୍ଠିରୁ ଅର୍ଥ ଆବଣ୍ଟନ କରିବାପରେ ରାଜ୍ୟମାନେ ଏହାକୁ ମହିଳାମାନଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ କରିନାହାନ୍ତି। କେନ୍ଦ୍ର ସରକାର ସଂସଦରେ ଦାଖଲ କରିଥିବା ସର୍ବଶେଷ ତଥ୍ୟରୁ ଜଣାପଡ଼ିଛି ଯେ ନିର୍ଭୟା ପାଣ୍ଠିର ବ୍ୟବହାର ଖୁବ୍‌ କମ୍‌ ରହିଛି ଏବଂ ଏହା ଏହା ଉଦ୍ଦେଶ୍ୟ ସାଧନ ଦିଗରେ ସଫଳ ହୋଇପାରି ନାହିଁ।

ସଂସଦରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ନିର୍ଭୟା ପାଣ୍ଠି ଅଧୀନରେ ବିଭିନ୍ନ ରାଜ୍ୟମାନଙ୍କୁ ୨,୦୫୦ କୋଟି ଆବଣ୍ଟନ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ୧୬୫୬ କୋଟି ଦିଆଯାଇଛି। କିନ୍ତୁ ନିର୍ଭୟା ପାଣ୍ଠି ଯେଭଳି ବ୍ୟବହାର ହୋଇଛି ତାହା ଅତ୍ୟନ୍ତ ନିରାଶାଜନକ। ପାଣ୍ଠିରୁ ମାତ୍ର ୨୦ ପ୍ରତିଶତ ରାଜ୍ୟମାନଙ୍କ ଦ୍ବାରା ବ୍ୟବହାର ହୋଇଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ କ୍ଷେତ୍ରରେ ରାଜ୍ୟମାନେ ୯ ପ୍ରତିଶତରୁ କମ୍‌ ପାଣ୍ଠି ବ୍ୟବହାର କରିଥିବା ସାର୍ଟିଫିକେଟ୍‌ ଦେଇଛନ୍ତି। କେନ୍ଦ୍ର ଦ୍ବାରା ଦିଆଯାଇଥିବା ୧୬୫୬.୭୧ କୋଟି ପାଣ୍ଠିରୁ ଗତ ୫ ବର୍ଷ ମଧ୍ୟରେ ମାତ୍ର ୧୪୬.୯୮ କୋଟି ବ୍ୟବହାର ହୋଇଛି। ତେବେ ରାଜ୍ୟମାନଙ୍କ ଦ୍ବାରା ପାଣ୍ଠି ବ୍ୟବହାରକୁ ନେଇ କେନ୍ଦ୍ର ଅଡ଼ୁଆରେ ପଡ଼ୁଛି। ସ୍ମୃତି ଇରାନୀ ଏଭଳି ସ୍ଥିତି ପାଇଁ ରାଜ୍ୟମାନଙ୍କୁ ଦାୟୀ କରିଛନ୍ତି।

ତଥ୍ୟ ଅନୁଯାୟୀ ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ମହାରାଷ୍ଟ୍ର, ମଣିପୁର, ମେଘାଳୟ, ସିକ୍କିମ, ତ୍ରିପୁରା, ଡାମନ୍‌ ଏବଂ ଡିୟୁରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଦିଆଯାଇଥିବା ପାଣ୍ଠିରୁ ଗୋଟିଏ ଟଙ୍କା ବି ଖର୍ଚ୍ଚ ‌ହୋଇନାହିଁ। ଉତ୍ତରପ୍ରଦେଶ ପରେ ସବୁଠୁ ବଡ଼ ରାଜ୍ୟ ମହାରା‌ଷ୍ଟ୍ରରେ ଗତ ୫ ବର୍ଷ ଧରି ବିଜେପି ଶାସନ ଥିଲା। ୨୦୧୭ରେ ମହାରାଷ୍ଟ୍ରରେ ମହିଳାଙ୍କ ଉପରେ ୪,୩୦୬ ଥର ଆକ୍ରମଣ ହୋଇଛି। ମହିଳାଙ୍କୁ ଅପହରଣ କ୍ଷେତ୍ରରେ ମହାରାଷ୍ଟ୍ର ଦ୍ବିତୀୟ ଏବଂ ଦୁଷ୍କର୍ମ କ୍ଷେତ୍ରରେ ଏହା ଷଷ୍ଠ ରାଜ୍ୟ। ତେଲେଙ୍ଗାନାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଆବଣ୍ଟନ କରାଯାଇଥିବା ୧୦୩ କୋଟିରୁ ମାତ୍ର ୪ କୋଟି ଟଙ୍କା ବ୍ୟବହାର ହୋଇଛି। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ନ୍ୟାୟ ବିଭାଗ ଦ୍ବାରା ମଧ୍ୟ ନିର୍ଭୟା ପାଣ୍ଠିକୁ ଅର୍ଥ ଦିଆଯାଉଛି। କିନ୍ତୁ କୌଣସି ରାଜ୍ୟ ଏହି ପାଣ୍ଠି ବ୍ୟବହାର କରିନାହାନ୍ତି। ଏହି ଯୋଜନା ଅଧୀନରେ ୧୨ଟି ରାଜ୍ୟକୁ ପାଣ୍ଠି ଆବଣ୍ଟନ କରାଯାଇଥିଲା। କିନ୍ତୁ ଏହି ୧୨ଟି ରାଜ୍ୟରୁ ମାତ୍ର ୪ଟି ରାଜ୍ୟ ପାଣ୍ଠିର ସୀମିତ ବ୍ୟବହାର କରିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ପାଣ୍ଠି ବ୍ୟବହାର କରିନାହାନ୍ତି।

ସମ୍ବନ୍ଧିତ ଖବର